ରାସ୍ତାରେ ମୋବାଇଲ ଫୋନ ବ୍ୟବହାର କରିବା ପଡିବ ମହଙ୍ଗା ! ଛାଡିବନି ପୁଲିସ, ଛଡାଇନେବ ଫୋନ

40

ଏଣିକି ରାସ୍ତା ପାର କରୁଥିବା ବେଳେ ଫୋନରେ କଥା ହେବା ମହଙ୍ଗା ପଡିବ । ଏଥିପାଇଁ କୋଲକାତାରେ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ରାସ୍ତା ପାର କରୁଥିବା ବେଳେ ନା ଫୋନରେ କଥା ହୋଇପାରିବେ ନା କାନରେ ଇୟର ଫୋନ ଦେଇ ପାରିବେ । କୋଲକାତାରେ ରାସ୍ତା ପାର୍ ହେବା ସମୟରେ ଆଉ ଫୋନ୍ ବ୍ୟବହାର କରିହେବ ନାହିଁ। କାନରେ ଇୟର୍ ଫୋନ୍ କିମ୍ବା ହାତରେ ଫୋନ୍ ଧରି ଫୋନ୍କୁ ଚାହିଁବା ନେଇ ବି ରହିଛି କଟକଣା। ଫୋନ୍ ବ୍ୟବହାର ହେତୁ ବହୁ ପାଦଚଲା ବ୍ୟକ୍ତି ଦୁର୍ଘଟଣାର ଶିକାର ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୩୧ ପ୍ରତିଶତ ପାଦଚଲାଙ୍କର ଫୋନ୍ ବ୍ୟବହାର ହେତୁ ଦୁର୍ଘଟଣା ହେଉଛି ବୋଲି ରିପୋର୍ଟ ରହିଛି।

ଏ ସଂପର୍କରେ କୋଲକାତାର ଟ୍ରାଫିକ୍ ପୁଲିସ୍ ସୁମିତ୍ କୁମାର କହିଛନ୍ତି, ‘ଯଦି ଜଣେ ବ୍ୟକ୍ତି ଇୟରଫୋନ୍, ବ୍ଲୁଟୁଥ୍ ଲଗାଇ କିମ୍ବା ଅନ୍ୟ କୌଣସି ଶୈଳୀରେ ଫୋନ୍ ବ୍ୟବହାର କରନ୍ତି ତାହା ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବି ଅନ୍ୟମନସ୍କତା ହେତୁ ବିପଦକୁ ଠେଲି ଦେଇଥାନ୍ତି।’

କୋଲକାତାର ନିୟ୍ୟୁ ମାର୍କେଟ ଅଞ୍ଚଳରେ ଅନେକ ଗୁଡ଼ିଏ ବାଣିଜ୍ୟିକ ପ୍ରତିଷ୍ଠାନ ରହିଛି। ସେହି ଅଞ୍ଚଳରେ ଅନେକ ପାଦଚଲା ଯାତାୟାତ କରିଥାନ୍ତି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିୟମ ବାହାର କରାଯାଇଛି। ଯେଉଁମାନେ ଏହାକୁ ଉଲଂଘନ କରିବେ କୋଲକାତା ପୁଲିସ୍ ସେମାନଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯିବେ। ଅତି କମରେ ଘଣ୍ଟାଟେ ପରେ ଫୋନ୍ ଦିଆଯିବ ବୋଲି ସୂଚନା ରହିଛି।