ସାକ୍ଷୀ ରଖିଲେ ସମ୍ମାନ : ରିଓରେ ଜିତିଲେ ବ୍ରୋଂଜ ପଦକ

54

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସର ୧୨ ଦିନରେ ସଗର୍ବରେ ଉଡିଛି ତ୍ରିରଙ୍ଗା। ରିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ହାସଲ କରିଛି। ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକ ବ୍ରୋଂଜ ପଦକ ଜିତି ନିରାଶା ଭିତରେ ସଫଳତାର ଝଳକ ଦେଖାଇଛନ୍ତି। ୫୮ କେଜି ବର୍ଗରେ ସେ ଏହି ସଫଳତା ପାଇଛନ୍ତି।

ହରିୟାନାର ୨୩ ବର୍ଷୀୟା ମହିଳା ରେସଲର ସାକ୍ଷୀ ମଲ୍ଲିକ କିରଗିଜିସ୍ତାନର ଇସିଲୁ ତିନିବେକୋଭାକୁ ୮-୫ ସେଟରେ ହରାଇ କାଂସ୍ୟ ପଦକ ଲାଭ କରିଛନ୍ତି। ପଦକ ଜିତିବା ପରେ ସେ କହିଛନ୍ତି, ଭାରତ କୁସ୍ତିରେ ଆଉ କିଛି ପଦକ ହାସଲ କରିବା ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାକ୍ଷୀଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ପ୍ରଥମ ମହିଳା ଭାବେ କୁସ୍ତିରେ ପଦକ ହାସଲ କରିଛନ୍ତି ସାକ୍ଷୀ ମଲ୍ଲିକ । ଅଲିମ୍ପିକ୍ସରେ ବୁଧବାର ଦିନ ୫୮କେଜି ବର୍ଗ ଫ୍ରୀଷ୍ଟାଇଲ ବର୍ଗର କ୍ୱାଟରଫାଇନାଲରେ ସାକ୍ଷୀ ହାରିଯାଇଥିଲେ । ଏହାସହ କୁସ୍ତିରେ ଭାରତକୁ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ଆଶା ମଉଳି ଯାଇଥିଲା । ତେବେ ରେପ୍ଚେଜ୍ରେ ତାଙ୍କୁ ଆଉ ଥରେ ସୁଯୋଗ ମିଳିଥିଲା । କ୍ୱାର୍ଟର ଫାଇନାଲରେ ଋଷିଆର ବଲେରିୟା କୋଭଲୋଭାଙ୍କୁ ଠାରୁ ହାରିଥିଲେ ସାକ୍ଷୀ ।

ଋଷୀୟ ଖେଳାଳି ଫାଇନାଲରେ ପ୍ରବେଶ କରିଥିବାରୁ ସାକ୍ଷୀଙ୍କୁ ରେପଚେଜରେ ଆଉ ଥରେ ଲଢିବାକୁ ସୁଯୋଗ ମିଳିଥିଲା । ଏହି ସୁଯୋଗକୁ ହାତଛଡା କରିନଥିଲେ ସାକ୍ଷୀ । ଆଉ ଏହାସହ ନିଜ ନାଁରେ ବ୍ରୋଞ୍ଜ ପଦକ ଯୋଡି ଦେଇଥିଲେ ।