କୋଟା ବିବାଦରେ ଫସିଗଲା ପୌର ନିର୍ବାଚନ! ସିଟ୍ ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

51

କନକ ବ୍ୟୁରୋ : କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ପୌର ନିର୍ବାଚନ । କାରଣ ପୌର ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ରାଜ୍ୟରେ ପୌର ନିର୍ବାଚନରେ ବର୍ତମାନ ୬୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେଣୁ ୫୦ ପ୍ରତିଶତ ସଂରକ୍ଷଣ କଟକଣା କୋହଳ କରିବାକୁ ସୁପ୍ରିମକୋର୍ଟ ଯିବେ ସରକାର । ଆଉ ଏହାରି ଭିତରେ ସରକାର ଜାଣିଶୁଣି ନିର୍ବାଚନ ବିଳମ୍ବିତ କରୁଥିବା ନେଇ ବିରୋଧୀ କ୍ୟାମ୍ପରୁ ଅଭିଯୋଗ ଉଠିଛି ।

ଗ୍ରାମ ପଂଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦ ଓ ପୌର ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ବର୍ତମାନ କିନ୍ତୁ ପୌର ନିର୍ବାଚନରେ ୬୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ଯାହା ପୌର ନିର୍ବାଚନକୁ ଅନିଶ୍ଚିତତା ଘେରକୁ ଟାଣିଆଣିଛି । ସେପଟେ ରାଜ୍ୟ ସରକାର ୫୦ ପ୍ରତିଶତରୁ ସଂରକ୍ଷଣ ଅଧିକ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟକୁ କୋହଳ କରିବାପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ବିରୋଧୀ କହିଛନ୍ତି ପୌର ନିର୍ବାଚନକୁ ନେଇ ରାଜ୍ୟସରକାର ନାଟକ କରୁଛନ୍ତି ।

ଆଗାମୀ ସେପ୍ଟେମ୍ବର ସୁଧା ଶେଷ ହେଉଛି ୯୦ଟି ପୌର ପରିଷଦର କାର୍ଯ୍ୟକାଳ । ନିୟମ ଅନୁସାରେ ନିର୍ବାଚନ ପାଇଁ ୪ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହେବା ଦରକାର । ହେଲେ ହାତରେ ଅଛି ଆଉ ଅଢେଇ ମାସରୁ ବି କମ୍ ସମୟ । ମିଳିଥିବା ସୂଚନା ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ନିକଟରେ ଆବଶ୍ୟକ ତଥ୍ୟ ଦାଖଲ କରିପାରି ନାହିଁ ନଗର ଉନ୍ନୟନ ବିଭାଗ । ସଂରକ୍ଷଣ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବାପାଇଁ ନିଷ୍ପତି ନେବା ପରେ ଏବେ ପ୍ରଶ୍ନ ଉଠୁଛି –
– ଜାଣିଶୁଣି ପୌର ନିର୍ବାଚନକୁ ବିଳମ୍ବିତ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର
– ଏବେ ଅନିଶ୍ଚିତତାର ଜାଲରେ ଝୁଲିଗଲା କି ପୌର ନିର୍ବାଚନ?