ଆଜି ଆସିବ ରାଜ୍ୟସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ । ଲୋକସଭାରେ ଗତକାଲି ପାସ ହୋଇଥିଲା ସବର୍ଣ୍ଣ ସଂରକ୍ଷଣ ବିଲ୍

ସପକ୍ଷରେ ୩୨୩, ବିପକ୍ଷରେ ପଡିଲା ୩ଟି ଭୋଟ ବିଜେଡିର ସମର୍ଥନ

77

କନକ ବ୍ୟୁରୋ: ଲୋକସଭାରେ ପାରିତ ହୋଇଛି ୧୨୪ ତମ ସମ୍ବିଧାନ ସଂଶୋଧନ ବିଧେୟକ । ଏହି ବିଲରେ ଉଚ୍ଚବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି । ଏହି ବିଲ ପାରିତ କରିବା ପାଇଁ ଭୋଟିଂ ହୋଇଥିଲା । ଏହି ସଂବିଧାନ ସଂଶୋଧନ ବିଲ ସପକ୍ଷରେ ୩୨୩ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଛି ମାତ୍ର ୩ଟି ଭୋଟ୍ । ଏହି ବିଲର ବ୍ୟବସ୍ଥା ଅନୁସାରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସାଧାରଣବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

ବିଜେଡି ସମେତ ଟିଏମସି, ସିପିଆଇ-ଏମ୍, ଏଆଇଡିଏମକେ, ରିପବ୍ଲିକାନ୍ ପାର୍ଟି, ଟିଆରଏସ୍ ଭଳି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ କରିଛନ୍ତି । ଲୋକସଭାରେ ପାରିତ ହୋଇଥିବା ଏହି ବିଲ ଆଜି ରାଜ୍ୟସଭାରେ ଆଗତ କରିବେ ସରକାର । ଉଭୟ ଗୃହରେ ପାରିତ ହେବା ପରେ ଏକ ଚତୁର୍ଥାଂଶ ରାଜ୍ୟର ସ୍ୱିକୃତୀ ପାଇଲେ ଏହି ବିଲ୍ ଆଇନରେ ପରିଣତ ହେବ ।

ଅନ୍ୟପକ୍ଷରେ, ସବର୍ଣ୍ଣ ସଂରକ୍ଷଣ ବିଲକୁ ସମର୍ଥନ କରିଛି ବିଜେଡି । ବିଲକୁ ନେଇ ଗୃହରେ ନିଜ ଆଭିମୁଖ୍ୟ ରଖିଛି ବିଜେଡି । ସବର୍ଣ୍ଣ ଗରିବଙ୍କୁ ଉନ୍ନତ ଶିକ୍ଷା ଓ ଚାକିରିରେ ସୁଯୋଗ ମିଳିବା ଉଚିତ, ଏଣୁ ସମସ୍ତେ ଏହାକୁ ସମର୍ଥନ କରିବା ଦିଗରେ ନିଜ ମତ ରଖିଛନ୍ତି ଭତୃହରି ମହାତାବ । ସାଂସଦ ଭତୃହରି ମହତାବ ବିଲର ବାସ୍ତବ କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯଦି ସବର୍ଣ୍ଣ ପରିବାରର ଆର୍ଥିକ ସ୍ଥିତି ବଦଳୁଛି ତେବେ କେମିତି ସଂରକ୍ଷଣ ବ୍ୟବସ୍ଥା ମିଳିବ ବା ସଂରକ୍ଷଣରୁ ସେମାନେ ବଂଚିତ ହେବେ ସେନେଇ ବିଲରେ ଚିତ୍ର ସ୍ପଷ୍ଟ ନଥିବା କହିଛନ୍ତି ବିଜେଡି ସାଂସଦ ।