ଦିନ ଗଡୁଛି, ଆଶଙ୍କା ବଢୁଛି ! ମେଘାଳୟରେ କୋଇଲା ଖଣି ତଳେ ଫସି ରହିଥିବା ୧୫ଜଣଙ୍କ ଶ୍ରମିକଙ୍କ ମିଳୁନି ପତ୍ତା ।

200

କନକ ବ୍ୟୁରୋ : ଆଶା ଓ ଆଶଙ୍କା ଭିତରେ ଚାଲିଛି ମେଘାଳୟରେ ମେଗା ଅପରେସନ୍ । କୋଇଲା ଖଣିରେ ୧୬ ଦିନ ଧରି ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଓଡ଼ିଶାର ଅଗି୍ନଶମ ବିଭାଗର ଟିମ୍ । ବାୟୁସେନା, ନୌସେନାର ଯବାନ୍, ଏନଡିଆରଏଫ୍ ଓ କୋଲ୍ ଇଣ୍ଡିଆର ବିଶେଷ ତାଲିମ୍ ପ୍ରାପ୍ତ ଉଦ୍ଧାରକାରୀ ଟିମ୍ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ୭୦ ଫୁଟ ପାଣି ଥିବାରୁ ପାଣି ଭିତରକୁ ପଶିବା ସମ୍ଭବ ହେଉନି । ପାଣି ନିଷ୍କାସନ ପାଇଁ ଜୋରଦାର ଉଦ୍ୟମ ଚାଲିଛି । ନିଖୋଜ ଶ୍ରମିକଙ୍କ ଖୋଜଖବର ମିଳୁନଥିବା ବେଳେ ତିନିଟି ଭଙ୍ଗା ହେଲମେଟ୍ ମିଳିଛି ।  

ମେଘାଳୟ ପୂର୍ବ ଜୈଂଟିଆ ହିଲରେ ଚାଲିଛି ରେସକ୍ୟୁ ଅପରେସନ୍ । ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ସତ୍ୱେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାରକାର୍ଯ୍ୟ ।  ବାୟୁସେନା, ନୌସେନାର ଯବାନ ସହ ଓଡ଼ିଶାରୁ ଯାଇଥିବା ଅଗ୍ନିଶମ ଟିମ୍ ରେସକ୍ୟୁ ଅପରେସନକୁ ଜୋରଦାର କରିଛନ୍ତି । ଏନଡିଆରଏଫର ୧୦୦ଜଣିଆ ଟିମ୍ ସାମିଲ ହେଇଛନ୍ତି ଏହି ଅପରେସନରେ । 

ଦିନ ଗଡୁଛି. ଆଶଙ୍କା ବଢ଼ୁଛି । ମିଳୁନି ନିଖୋଜ ଶ୍ରମିକଙ୍କ ପତ୍ତା । ଉଦ୍ଧାରକାର୍ଯ୍ୟରେ ଶକ୍ତିଶାଳୀ ପମ୍ପ ବ୍ୟବହାର କରାଯାଇଛି । ଶ୍ରମିକଙ୍କ ତିନିଟି ଭଙ୍ଗା ହେଲମେଟ ଓ ଖନନ ପାଇଁ ବ୍ୟବହାର କରାଯାଉଥିବା ଏକ ଗଇନ୍ତିର ସନ୍ଧାନ ମିଳିଛି । ଫଳରେ ଉଦ୍ଧାରକାରୀଙ୍କ ମନରେ ଆଶା ସଂଚାର ହୋଇଛି, ତେବେ ଶ୍ରମିକମାନେ କିଭଳି ଅବସ୍ଥାରେ ଅଛନ୍ତି, ଏ ନେଇ ମିଳୁନାହିଁ କୌଣସି ସୁରାକ୍ । 

୨୦୧୪ରୁ ବ୍ୟାନ୍ ହୋଇଥିବା ଏହି ଖଣିରୁ ଚାଲିଥିଲା ବେଆଇନ ଖନନ । ତେଣୁ ପ୍ରକୃତରେ କେତେ ଶ୍ରମିକ ଖଣି ଭିତରକୁ ଯାଇଥିଲେ, ସଠିକ୍ ସଂଖ୍ୟାକୁ ନେଇ ମଧ୍ୟ ସଂଦେହ ରହିଛି । ୧୬ ଦିନ ବିତିଗଲାଣି , ହେଲେ ମିଳୁନି ଶ୍ରମିକଙ୍କ ଖୋଜ ଖବର । 

ଏବେ ନଜର ପକାନ୍ତୁ କିପରି ହେଲା ମେଘାଳୟରେ ଅଘଟଣ :

-ବେଆଇନ ଖଣି ଭିତରକୁ ଖନନ ପାଇଁ ଯାଇଥିଲେ ପ୍ରାୟ ୧୫ ଜଣ ଶ୍ରମିକ

-ଡିସେମ୍ବର ୧୩ ତାରିଖରେ ୩୭୦ ଫୁଟ ଗଭୀର ଖଣି ଭିତରେ ଫସି ଯାଇଥିଲେ ଶ୍ରମିକ

-ଲିଟେଇଁ ନଦୀର ପାଣି ଖଣି ଭିତରକୁ ପଶିଯିବାରୁ ହୋଇଥିଲା ଅଘଟଣ

-ପ୍ରାୟ ୭୦ ଫୁଟ୍ ଯାଏଁ ପାଣି ପଶି ଯାଇଥିବା ଆଶଙ୍କା

ଏବେ ପ୍ରଶ୍ନ ଉଠୁଛି କାହିଁକି ଉଦ୍ଧାରକାର୍ଯ୍ୟରେ ଉପୁଜୁଛି ଅସୁବିଧା ?

-ର‌୍ୟାଟହୋଲ୍ ମାଇନ୍ ବା ମୂଷାଗାତ ଖଣି ହୋଇଥିବାରୁ ଖନନ କାର୍ଯ୍ୟ ବିପଦଜନକ ଭାବେ ହେଉଥିଲା

-ବେଆଇନ ଭାବେ ଖଣି ଖୋଳା ହେଉଥିବାରୁ ଖଣିର ସୁରକ୍ଷା ପ୍ରତି ଅଣଦେଖା

-ଖଣିର ମ୍ୟାପ୍ ନଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା

-ଉଦ୍ଧାରକାର୍ଯ୍ୟ ପାଇଁ ସରକାରଙ୍କ ଶିଥିଳତା

-ପାଣି ନିଷ୍କାସନ ପାଇଁ ଶକ୍ତିଶାଳୀ ମଟର ନଥିବାରୁ ସମସ୍ୟା 

୧୫ ଦିନ ଧରି ମନ୍ଥର ଗତିରେ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ହିଁ ତ୍ୱରାନ୍ୱିତ ହୋଇଛି । ପାୱାର ମଟର ନେଇ ପହଁଚିଥିବା ଓଡ଼ିଶାର ଅଗ୍ନିଶମ କର୍ମଚାରୀ ଆରମ୍ଭ କରିଛନ୍ତି ଅପରେସନ୍ । ବାୟୁସେନା, ନୌସେନାର ଯବାନ୍, ଏନଡିଆରଏଫ୍ ଓ କୋଲ୍ ଇଣ୍ଡିଆର ବିଶେଷ ତାଲିମ୍ ପ୍ରାପ୍ତ ଉଦ୍ଧାରକାରୀ ଟିମ୍ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ୭୦ ଫୁଟ ପାଣି ଥିବାରୁ ପାଣି ଭିତରକୁ ପଶିବା ସମ୍ଭବ ହେଉନି । ପାଣି ନିଷ୍କାସନ ପାଇଁ କିଲୋସ୍କାରର ଶକ୍ତିିଶାଳୀ ମଟର ମଧ୍ୟ ବ୍ୟବହାର କରାଯାଉଛି । ଗୌହାଟିରୁ ବଡ଼ ବଡ଼ ପମ୍ପ ଘଟଣା ସ୍ଥଳରେ ପହଁଚିଛି । ସେପଟେ ଶ୍ରମିକ ଜୀବିତ ଅଛନ୍ତି କି ପ୍ରାଣ ହରାଇଛନ୍ତି, ଏ ନେଇ କୌଣସି ସୂଚନା ମିଳିନାହିଁ । ଆଶା ଓ ଆଶଙ୍କା ଭିତରେ ଚାଲିଛି ଏହି ମେଗା ଅପରେସନ୍ ।