ବିଜେପି ଯାଉଛନ୍ତି ବୈଜୟନ୍ତ ! ନବୀନ୍ କ୍ୟାମ୍ପ୍ ଛାଡି ମୋଦିଙ୍କ ସହ ହାତ ମିଳାଇବେ ସାଂସଦ, ରିପବ୍ଲିକ୍ ଟିଭିରେ ସୁପର୍ ଏକ୍ସକ୍ଲୁସିଭ୍ ଖବର

32

କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିରେ ପ୍ରସାରିତ ଏହି ଖବର ବିଜେଡି ରାଜନୀତିକୁ ଦୋହଲାଇ ଦେଇଛି । ଆଉ ଅନେକ ଦିନ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା ତାକୁ ବଢ଼ାଇବା ପାଇଁ ଏହି ଖବର ଖୋରାକ୍ ଯୋଗାଇଛି । ନବୀନଙ୍କ ଶଙ୍ଖ ଦଳ ଛାଡ଼ି ବୈଜୟନ୍ତ, ଅମିତ ଶାହାଙ୍କ ପଦ୍ମ ପୋଖରୀକୁ ଡେଇଁବା ନେଇ ଯେଉଁ ଖବର ରିପବ୍ଳିକ୍ ଟିଭି ପ୍ରସାରଣ କରିଛି, ତାହା ଏବେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି ଏକ ନୂଆ ଝଡ଼ । ବିଜେପିର ଟପ୍ ନେତାଙ୍କ ସହ ଏହି ଚ୍ୟାନେଲର ସମ୍ବାଦିକଙ୍କ ସିଧାସଳଖ ଲିଙ୍କ୍ ଥିବାରୁ ଏହି ଖବରକୁ ସଂପୂର୍ଣ୍ଣ ଭୁଲ୍ କହିବା ହୁଏତ ଠିକ୍ ହେବ ନାହିଁ ।

ବିଗତ କିଛି ଦିନ ଭିତରେ ବୈଜୟନ୍ତ ପଣ୍ଡା ଦେଇଥିବା ମନ୍ତବ୍ୟ, ଟ୍ୱିଟ୍ ଏବଂ ଲେଖା ଅନେକ ସମୟରେ ବିଜେଡିକୁ ଅଡୁଆରେ ପକାଇଛି । ଆଉ ମହାଙ୍ଗା ଅଣ୍ଡାମାଡ଼ ଘଟଣା ପରେ ଅମଲା ଏବଂ ତୃତୀୟ ମହଲାକୁ ଇଙ୍ଗିତ କରି ସିଧାସଳଖ ବିଜେଡିର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଥିଲେ ବୈଜୟନ୍ତ । କେବଳ ଏତିକି ନୁହେଁ-କେତେବେଳେ ପରାମର୍ଶ ଦେବା ଆଳରେ ନିଜ ଲେଖା ମାଧ୍ୟମରେ ବିଜେଡିକୁ କାଠଗଡ଼ାରେ ଠିଆ କରିଛନ୍ତି, ତ ଆଉ କେତେବେଳେ ମୋଦିଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରି ବିଜେଡିକୁ ଅଡୁଆରେ ପକାଇଛନ୍ତି । ଯେଉଁଥି ପାଇଁ ଦଳୀୟ ସୁପ୍ରିମୋଙ୍କୁ ମୁହଁ ଖୋଲିବାକୁ ପଡ଼ିଛି ।

ସେପଟେ ବୈଜୟନ୍ତ ଦଳ ଛାଡିବା ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଖବର ଦେଖା ଯାଉଛି- ସେ ଉପରେ ସାଂସଦଙ୍କ ରାଜନେତିକ ସଚିବ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ କୁହାଯାଇଛି-ସାଂସଦ ଏବେ ବ୍ରିଟେନରେ ଅଛନ୍ତି ଆଉ ଏହି ଭଳି କିଛି ଖବର ନେଇ ଆମେ ଅବଗତ ନାହୁଁ ।

ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି :

– ରିପବ୍ଲିକ୍ ଟିଭିର ତଥ୍ୟ ଉପରେ ଆଧାରିତ ତ ?
– ସତରେ ନବୀନଙ୍କ ହାତ ଛାଡୁଛନ୍ତି କି ବୈଜୟନ୍ତ ?