ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା ! ରିପବ୍ଲିକ୍ ଟିଭିର ବଡ ଖବର, ହେଲେ ସତ୍ୟତା କେତେ? ଜାଣନ୍ତୁ ପୁରା କାହାଣୀ

103

ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡା ସାଂସଦ । ବିଜେଡି ରାଜନୀତିରେ ଏବେ ଅବୁଝା ପୁଅ । ଏକଦା ନବୀନଙ୍କ ଏକାନ୍ତ ଅନୁଗତ ତଥା ଅତି ନିକଟତର ଥିବା ବୈଜୟନ୍ତ ଆଜି ବିଜେଡି ପାଇଁ ବୋଝ ପାଲଟିଛନ୍ତି । ଦଳ ଭିତରେ ରହି ଦଳ ପାଇଁ ଅଡୁଆ ତିଆରି କରୁଥିବା ବେଳେ, ଆଜି ଆସିଛି ରାଜନୈତିକ ଦୃଷ୍ଟିକୋଣରୁ ଚହଳ ସୃଷ୍ଟି କଲା ଭଳି ଖବର ।

Captureଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭି ଦାବି କରିଛି, ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ସାମିଲ୍ ହେବେ ବୈଜୟନ୍ତ ପଣ୍ଡା । ଖୁବଶୀଘ୍ର ସେ ନବୀନ୍ କ୍ୟାମ୍ପ ଛଡି ମୋଦି କ୍ୟାମ୍ପରେ ସାମିଲ୍ ହେବେ । ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ୍ ପଟ୍ଟନାୟକଙ୍କ ସହ ସାଂସଦଙ୍କ ମନୋମାଳିନ୍ୟ ଚାଲିଛି । ସୁତ୍ରକୁ ଆଧାର କରି ରିପବ୍ଲିକ୍ ଟିଭି ଏହି ଖବର ପ୍ରକାଶ କରିଛି । ଏହି ବ୍ରେକିଂ ନ୍ୟୁଜ୍ ଏବେ ରାଜ୍ୟ ରାଜନୀତି ତଥା ବିଜେଡିର ଅନ୍ଦର ମହଲରେ ଆଲୋଡନ ଖେଳାଇଛି ।

ତେବେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ଖବରକୁ ଖଣ୍ଡନ କରିଛି । ସାଂସଦଙ୍କ ରାଜନୈତିକ ସଚିବ କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି, ଏଭଳି କିଛି ଖବର ବାବଦରେ ଆମେ ଅବଗତ ନାହୁଁ । ବୈଜୟନ୍ତ ଏବେ ୟୁକେରେ ଅଛନ୍ତି । ହେଲେ ଏଯାଏଁ ଏନେଇ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ବୈଜୟନ୍ତ । ଟ୍ୱିଟ୍ ଯୋଗେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁଥିବା ବୈଜୟନ୍ତ ନୀରବ ରହିଛନ୍ତି ।

baijayanta panda editorialଗତ କିଛି ଦିନ ଧରି ରାଜନୈତିକ ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଲେ ଏହା ଅନୁମାନ କରାଯାଉଥିଲା, ଖୁବଶୀଘ୍ର ପଦ୍ମ ପୋଖରୀକୁ ଡେଇଁବେ ବିଜୁ ଜନତା ଦଳର ଏହି ଅଭିଜ୍ଞ ସାଂସଦ । ଟ୍ୱିଟ୍ ଏବଂ ଖବରକାଗଜ ମାଧ୍ୟମରେ ନିଜ ଲେଖା ଦ୍ୱାରା ସବୁବେଳେ ଚର୍ଚ୍ଚାରେ ବୈଜୟନ୍ତ । ବିଜେଡିକୁ ସମାଲୋଚନା କରିବା ଓ ମୋଦି ନୀତିକୁ ପ୍ରଶଂସା କରିବା କାରଣରୁ ବିବାଦ ଭିତରକୁ ଆସିବା ସହ ନବୀନଙ୍କ ଠାରୁ ଦୂରତା ବଢିଥିଲା ।

ସବୁଠାରୁ ବଡ କଥା ଥିଲା, ଯେତେବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଅଣ୍ଡାମାଡ ଖାଇ ଲଜ୍ଜିତ ହୋଇଥିଲେ ବୈଜୟନ୍ତ । ସାଂସଦ ପାଂଠିରୁ ଅର୍ଥ ଖର୍ଚ୍ଚ କରି ତିଆରି କରିଥିବା ପ୍ରକଳ୍ପ ଉଦଘାଟନ କରିବାକୁ ଯେତେବେଳେ ବୈଜୟନ୍ତ ମାହାଙ୍ଗା ଯାଇଥିଲେ ସେତେବେଳେ ବିଜେଡି କର୍ମୀ ତାଙ୍କୁ ଅଣ୍ଡାମାଡ କରିଥିଲେ । ଆଉ ଏହାପରେ ରାଗିପାଚି ଲାଲ୍ ହୋଇଯାଇଥିବା ସାଂସଦ ଛାଡିଥିଲେ ଟ୍ୱିଟ୍ ବାଣ । ଟାର୍ଗେଟ୍ କରିଥିଲେ କିଛି ପ୍ରଶାସକଙ୍କୁ । କିଭଳି ବିଜୁ ଜନତା ଦଳ ଅଫିସରଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି, ସେନେଇ କରିଥିଲେ ଟ୍ୱିଟ୍ ।

articleଖାଲି ଏତିକି ନୁହେଁ, ଦଳ ବିରୋଧରେ ମନ୍ତବ୍ୟ ଓ ଲେଖା ଲେଖିବା କାରଣରୁ ନବୀନ ବୈଜୟନ୍ତଙ୍କୁ ଲୋକସଭାରେ ଦଳୀୟ ମୁଖପାତ୍ର ପଦରୁ ମଧ୍ୟ ହଟାଇଥିଲେ । ଯାହା ତାଙ୍କ ପାଇଁ ବେଶ ଅପମାନଜନକ ମଧ୍ୟ ଥିଲା । ମୁଖପାତ୍ର ପଦରୁ ହଟିବା ପରେ ନବୀନଙ୍କୁ ଯଦିଓ ସିଧାସଳଖ ସମାଲୋଚନା ନକରି କହିଥିଲେ, ଅନ୍ୟ ସାଂସଦ ଖବରକାଗଜରେ ଲେଖା ଲେଖୁଥିଲେ ବି ସେମାନଙ୍କ ବିରୋଧରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଏଥିସହ କହିଥିଲେ, ଯଦି ବିଜେଡି ସୁପ୍ରିମୋ ଏହି ନିଷ୍ପତି ନେଇଥାନ୍ତି ତାହେଲେ ସ୍ୱାଗତ କରିବି । ଅର୍ଥାତ୍ ନିଷ୍ପତି ପଛରେ ଆଉ କାହା ହାତ ଥାଇପାରେ ବୋଲି ସେ ଇଙ୍ଗିତ କରିଥିଲେ ।

ଆଗକୁ ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି କି ବୈଜୟନ୍ତ? ମୁଖପାତ୍ର ପଦରୁ ବିଦା ହେବା ପରେ ଗଣମାଧ୍ୟମ କେନ୍ଦ୍ରାପଡା ସାଂସଦଙ୍କ ସାମ୍ନାରେ ରଖିଥିଲା ଏହି ବଡ ପ୍ରଶ୍ନ । ସେତେବେଳେ ବୈଜୟନ୍ତ କହିଥିଲେ, ଦଳକୁ ସୁଦୃଢ କରିବା ହେଉଛି ତାଙ୍କର ଲକ୍ଷ୍ୟ । ଦଳର ପ୍ରତିଷ୍ଠା ଦିନଠାରୁ ସେ ଦଳରେ ଅଛନ୍ତି । ଦଳର ଉତଥାନ ଦେଖିଛନ୍ତି । ଏବେ ଦଳ ଯେତେବେବେଳେ ଅସୁବିଧାରେ ପଡିଛି ସେ ଦଳକୁ ପରାମର୍ଶ ଦେଉଥିଲେ ।

ହେଲେ ଏହାପରେ ସାମ୍ନାକୁ ଆସିଥିଲା ଆଉ ଏକ ବିବାଦୀୟ ସ୍ଥିତି । ନବୀନ୍ ସରକାର ଚର୍ତୁଥ ପାଳିର ତୃତୀୟ ବର୍ଷ ପୂରଣ ଆଗରୁ ସମସ୍ତ ସାଂସଦ, ବିଧାୟକ, ନେତା ଓ ମନ୍ତ୍ରୀଙ୍କୁ ନେଇ ଭୁବନେଶ୍ୱରରେ କରିଥିଲେ ବଡ ଶୋ । ଆଗାମୀ ଦିନର ରୋଡମ୍ୟାପ୍ ତିଆରି ସହ ଦଳର ସଫଳତାକୁ ଲୋକଙ୍କ ନିକଟକୁ ନେବାକୁ ତିଆରି ହେଉଥିଲା ବ୍ଲୁ-ପ୍ରିଂଟ୍ । ହେଲେ ଏଥିରେ ସାମିଲ ହୋଇନଥିଲେ ବୈଜୟନ୍ତ ପଣ୍ଡା । କୁହାଗଲା, ବୈଜୟନ୍ତ ସହରରେ ନଥିବାରୁ ଦଳର କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ତେବେ କଣ ଏମିତି ବାଧ୍ୟ ବାଧ୍ୟକତା ଥିଲା ଯେ ବୈଜୟନ୍ତ ନିଜକୁ ଏହି ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରଖିଲେ ତାକୁ ନେଇ ଢେର୍ ଚର୍ଚ୍ଚା ବି ହୋଇଥିଲା ।

ଏବେ ନଜର ପକାନ୍ତୁ, ଗତ କିଛି ଦିନ ଧରି କିଭଳି ରହିଥିଲା ବୈଜୟନ୍ତଙ୍କ ବିବାଦୀୟ ମତ ଓ ମନ୍ତବ୍ୟ ।

jay panda– ଯାଜପୁର ନେତା ଅମର ନାୟକ ଓ କୋରାପୁଟ ବିଜେଡିରୁ ନିଲମ୍ବିତ ନେତା ଜୟରାମ ପାଙ୍ଗି ବିଜେପିରେ ଯୋଗଦେବା ପରେ ଟ୍ୱିଟ କରି ବୈଜୟନ୍ତ କହିଥିଲେ, ଏନେଇ ସେ ସପ୍ତାହେ ପୂର୍ବରୁ ଚେତାଇଥିଲେ କିନ୍ତୁ କିଛି ହେଲା ନାହିଁ । ମନ୍ତ୍ରିମଣ୍ଡଳରେ ଅନେକ ଜିଲ୍ଲାର ନେତା ସ୍ଥାନ ନପାଇବାରୁ ଅସନ୍ତୋଷ ବଢୁଛି ।

– କନ୍ଧମାଳ ବାଲିଗୁଡାରେ ବୈଜୟନ୍ତ କହିଥିଲେ ବିଜେଡିରୁ ଯେଉଁମାନଙ୍କୁ ବିଦା କରାଯାଇଛି ସେମାନଙ୍କ ବିରୋଧରେ କରାଯାଇଥିଲା ଷଡଯନ୍ତ୍ର ।

– ପଂଚାୟତ ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ବୈଜୟନ୍ତଙ୍କ ଖବରକାଗଜ ଲେଖା ଥିଲା ଖୁବ କଡା । ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲେ । କିପରି ଦଳ ଗଢିଥିବା ନେତାଙ୍କୁ ଅଣଦେଖା କରାଯାଉଛି ତାହା ମଧ୍ୟ ଉଲ୍ଲେଖ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ।

– ଏହାପରେ ଟ୍ୱିଟ ସିରିଜ ଜରିଆରେ ସଫେଇ ରଖିଥିଲେ, ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲି । ହେଲେ ଦଳରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭ୍ରାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ନବୀନ ପଟ୍ଟନାୟକ ଏହାକୁ ଚିହ୍ନଟ କରିବା ସହ ଜରୁରୀ ପଦକ୍ଷେପ ନେଇ ଦଳର ପ୍ରକୃତ ଶକ୍ତିର ଅଭ୍ୟୁଦୟ କରିବେ ।

– ବିଜେଡିର ଆଉ ଜଣେ ସାଂସଦ ତଥାଗତ ଶତପଥୀଙ୍କ ସହ ଟ୍ୱିଟର ଲଢେଇକୁ ଓହ୍ଲାଇ ଆସିଥିଲେ ବୈଜୟନ୍ତ । ବିଜେଡି ବିଭାଜନ ନେଇ ଦିଲ୍ଲୀରେ କିଛି ନେତା ପ୍ରୟାସ କରୁଛନ୍ତି ବୋଲି ତଥାଗତଙ୍କ ଟ୍ୱିଟରରେ ଲେଖିଥିବା ବେଳେ, ବୈଜୟନ୍ତ ଏହାକୁ ନିଜ ଉପରକୁ ନେଇ ତଥାଗତଙ୍କୁ ପରୋକ୍ଷରେ ଲେଖିଥିଲେ, ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।

baijanta panda controversial tweet– ଅଫିସରଙ୍କ ସ୍ୱଛତା ଉପରେ ବୈ÷ଜୟନ୍ତ ଉଠାଇଥିଲେ ସବୁଠାରୁ ବଡ ପ୍ରଶ୍ନ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଆଇଏଏସ ଅଫିସର ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ତାଙ୍କୁ ବାହାର କରାଯିବା ଦରକାର । ଜଣେ ବ୍ୟକ୍ତି ଟ୍ୱିଟ୍ କରିଥିଲେ, କର୍ଣାଟକର ମାଇନିଂ ସ୍କାମରେ ଆଇଏଏସ ଅଫିସର ଲାଂଚ ନେଇ ନିଜ ପୁଅର ବିଳାସ ବ୍ୟସନ ପାଇଁ ଖର୍ଚ୍ଚ କରିଥିଲେ । ଏହାରି ଉପରେ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦ ଲେଖିଥିଲେ, ର୍ଦୁଭାଗ୍ୟର କଥା ଏଭଳି ଆଇଏଏସ ଅଫିସର ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନଙ୍କୁ ବାହାର କରିବା ଦରକାର । ନବୀନ ଯେପରି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କଲେ ସେହିପରି ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦରକାର । ଦଳ ଓ ସରକାର ଭଳି ଆଇଏଏସଙ୍କ ଉପରେ ମଧ୍ୟ ପଦକ୍ଷେପ ଜରୁରୀ ।

ଏଭଳି କିଛି ବିବାଦୀୟ ମତ ଆଉ ମନ୍ତବ୍ୟକୁ ନେଇ କୁହାଯାଉଥିଲା, ରାଜ୍ୟରେ ବିଜେପିର ବଢୁଥିବା ଶକ୍ତି ଆଉ ବୈଜୟନ୍ତଙ୍କ ଦଳ ଭିତରେ କମୁଥିବା ଲୋକପ୍ରିୟତା ତାଙ୍କୁ ପଦ୍ମ ପୋଖରୀ ଆଡେ ଢଳିବାକୁ ବାଧ୍ୟ କରୁଛି । ଆଉ ରିପବ୍ଲିକ୍ ଟିଭିର ଏହି ଖବର ରାଜନୀତିରେ ହଇଚଇ ଆଣିଛି ।

ତେବେ ବଡ ପ୍ରଶ୍ନ ଉଠୁଛି, ବୈଜୟନ୍ତ ଯଦି ଏବେ ବିଜେଡି ଛାଡି ବିଜେପିରେ ସାମିଲ ହୁଅନ୍ତି ତେବେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ଅର୍ଥାତ୍ ସାଂସଦଙ୍କ ସାଂସଦ ପଦ ଚାଲିଯିବ ଓ ଉପ-ନିର୍ବାଚନ ହେବ । ଠିକ୍ ଯେପରି ସୁରେଶ ପ୍ରଭୁଙ୍କ କ୍ଷେତ୍ରରେ ହୋଇଥିଲା । ଏଭଳି କ୍ଷେତ୍ରରେ ବୈଜୟନ୍ତ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ଯାଇପାରନ୍ତି । ତେବେ ରାଜ୍ୟରେ ଖାଲି ହେବାକୁ ଥିବା କେନ୍ଦ୍ରାପଡା ଆସନ ପାଇଁ ଉପ-ନିର୍ବାଚନକୁ ସାମ୍ନା କରିବେ ରାଜନୈତିକ ଦଳ । ଯାହା ଉଭୟ ରାଜନୈତିକ ଦଳର ସ୍ଥିତି ଆକଳନ ପାଇଁ ହେବ ଅଗ୍ନୀପରୀକ୍ଷା ।
jayଏଭଳି କିଛି ଖବର ଏଥିପାଇଁ ଚର୍ଚ୍ଚାର ପରିଧି ଭିତରକୁ ଆସିଲା, କାରଣ ମାହାଙ୍ଗାରେ ଆକ୍ରମଣର ଶିକାର ହେବା ପରେ ବିଜେପି ଜଣାଇଥିଲା ସମବେଦନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପିର ନେତା ବୈଜୟନ୍ତଙ୍କ ସମର୍ଥନରେ ବାହାରିଥିଲେ, ପରୋକ୍ଷରେ କେନ୍ଦ୍ରାପଡା ସାଂସଦଙ୍କ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଥିଲେ । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଥିଲା ।

ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିର ଖବର ପରେ ଏସବୁ ଦିଗକୁ ନେଇ ଏବେ ଆରମ୍ଭ ହୋଇଯାଇଛି ପର୍ଯ୍ୟାଲୋଚନା । ବିଜେପିର ଟପ୍ ନେତାଙ୍କ ସହ ଏହି ଚ୍ୟାନେଲର ସାମ୍ବାଦିକଙ୍କ ସିଧାସଳଖ ଲିଙ୍କ୍ ରହିଛି । କୁହାଯାଉଛି, ବିଜେପିର ଟପ୍ ନେତା ଏହି ଖବରକୁ ଲିକ୍ କରିଥାଇପାରନ୍ତି । କାରଣ ଚ୍ୟାନେଲ ଆରମ୍ଭ ହେବା ଦିନରୁ ଏହା ବିଜେପିର ଏଜେଣ୍ଡାରେ କାମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଯଦି ରାଜନୀତି କିଛି ଏଭଳି ଢଙ୍ଗରେ କଡ ଲେଉଟାଏ, ତେବେ କୁହାଯାଉଛି, ବିଜେପିର ଓଡିଶା ମିଶନକୁ ବହୁତ ବଡ ସଫଳତା ମିଳିବ ଆଉ ନିର୍ବାଚନ ଆଗରୁ ନବୀନଙ୍କୁ ଲାଗିବ ବଡ ଧକ୍କା ।