ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ପ୍ରସ୍ତୁତି ! ୨୧ରୁ ଗାନ୍ଧୀ ମାର୍ଗରେ ଅଭ୍ୟାସ

96

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପରେଡ୍‌ ଲାଗି ଆସନ୍ତା ୨୧ ତାରିଖରୁ ପରେଡ୍‌ ଅଭ୍ୟାସ ଆରମ୍ଭ ହେବ । ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଗାନ୍ଧୀମାର୍ଗକୁ ଲାଗି କରିଥିବା ବିଭିନ୍ନ ଛକ ଉପରେ ଟ୍ରାଫିକ୍‌ କଟକଣା ଜାରି କରାଯିବ । ଏଥିପାଇଁ ଆଜି ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତା ୨୧ ତାରିଖରୁ ରିହରସାଲ ଆରମ୍ଭ ହୋଇ ୨୩ ତାରିଖ ପର୍ଯନ୍ତ ଚାଲିବ । ଏହି ତିନି ଦିନ, ୨ଟାରୁ ସଂଧ୍ୟା ୫ଟା ଓ ୨୪ ତାରିଖରେ ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗାନ୍ଧୀମାର୍ଗକୁ ଲାଗି କରିଥିବା ରାସ୍ତାରେ କଟକଣା ଜାରି କରାଯିବ । କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍‌ ଆସିପାରିବ ନାହିଁ । ପରେଡ୍‌ସ୍ଥଳ ସଂଲଗ୍ନ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍‌ ରହିବ । ସେହିପରି ଏଜି ଛକରୁ ପିଏମ୍‌ଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମଜି ଛକକୁ କୌଣସି ଗାଡ଼ି ଆସି ପାରିବ ନାହିଁ । ପରେଡ୍‌ ଅଭ୍ୟାସରେ ସାମିଲ ହେବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ବ୍ୟକ୍ତିବିଶେଷମାନେ ସେମାନଙ୍କ କାର୍‌, ବାଇକ୍‌ ଓ ସାଇକେଲ୍‌ ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ନିକଟ, ବସଷ୍ଟାଣ୍ଡ୍‌, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବଂ ୟୁନିଟ-୩ରେ ଥିବା ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ଗାନ୍ଧୀମାର୍ଗରେ ଗ୍ୟାସ ବେଲୁନ୍‌ ବିକ୍ରୟ ନିଷେଦ୍ଧ କରାଯିବ ।

ପାଖାପାଖି ୨୩ ପ୍ଲାଟୁନ୍‌ ଫୋର୍ସ ପରେଡ୍‌ ଉତ୍ସବରେ ନିୟୋଜିତ ହେବେ। ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପରେଡ୍‌ ଗ୍ରାଉଣ୍ଡରେ ବାରିକେଡ୍‌ରେ ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯିବ । ସେହିପରି ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର୍‌ଟି, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ୍‌ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍‌ଆଇ, ଏଏସ୍‌ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ଜଣ ଡିଏସ୍‌ପି, ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ । ପରେଡ୍‌ ପାଇଁ ୨ଶହ ଟ୍ରାଫିକ୍‌ କର୍ମଚାରୀ ଓ ୧୫ଜଣ ପୁଲିସ ଅଫିସର୍‌ ନିଯୁକ୍ତ ହେବେ । ଡିସିପି ଟ୍ରାଫିକ୍‌ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ୍‌ ପରିଚାଳିତ ହେବ ।