ଆଉ କେତେ ଦିନ? ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ, କେଉଁଠାରେ କାର୍ଯ୍ୟକ୍ରମ ମଧ୍ୟରେ କୁକୁର ପସିଗଲା ତ କେଉଁଠି ପତାକା ଛିଣ୍ଡି ତଳେ ପଡିଲା

302

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସକୁ ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛି । ରାଜ୍ୟରେ ମଧ୍ୟ ଜିଲ୍ଲା, ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟ ସମେତ ବିଦ୍ୟାଳୟମାନଙ୍କରେ ତ୍ରିରଙ୍ଗା ଉଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ସମାପନ ହୋଇଛି । ତେବେ ରାଜ୍ୟସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ କୁକୁର ପରେଡ ସ୍ଥଳ ମଧ୍ୟକୁ ପଶିଆସିଥିଲା । ଏହି ସମୟରେ ପରେଡ ଚାଲିଥିବାବେଳେ ଭିଆଇପି ଗ୍ୟାଲେରୀ ଦେଇ କୁକୁରଟି ପଶିଆସିଥିଲା । ସେତେବେଳେ ମଞ୍ଚ ଉପରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ସେହିପରି ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜାତୀୟ ପତାକା ଛିଣ୍ଡିପଡିଥିଲା । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକା ପତାକା ଉତ୍ତୋଳନ କରୁଥିବା ସମୟରେ ପତାକା ଖୋଲିବା ପରିବର୍ତ୍ତେ ଛିଣ୍ଡି ଯାଇ ସିଧାସଳଖ ତଳେ ପଡିଯାଇଥିଲା ।

ଏହି ସମୟରେ ମଞ୍ଚ ଉପରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବିଧାୟକ ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପତାକା ବାନ୍ଧିବା ଦାୟିତ୍ଵରେ ଥିବା ସମ୍ପୃକ୍ତ କର୍ମଚାରୀଙ୍କର ଖାମଖିଆଲି ମନୋଭାବ ପୋଷଣ ଯୋଗୁ ଏଭଳି ଘଟିଲା ବୋଲି ଆଲୋଚନା ହେଉଛି ।