ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳଙ୍କ ପତାକା ଉତ୍ତୋଳନ : ଗଣତନ୍ତ୍ର ଦିବସ ଅବସରରେ ଦେଖିବାକୁ ମିଳିଛି ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ 

38

କନକ ବ୍ୟୁରୋ : ରାଜ୍ୟରେ ମଧ୍ୟ ବେଶ୍ ଧୁମଧାମରେ ପାଳିତ ହୋଇଛି ୬୯ ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ଏସ.ସି. ଜମିର ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ଉପସ୍ଥିତ ରହିଥିଲେ । ପତାକା ଉତ୍ତୋଳନ ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପୋଲିସ, ଅର୍ଦ୍ଧସାମରିକ ବଳ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଏନସିସି ଓ ସ୍କାଉଟ୍ ପିଲାମାନେ ମଧ୍ୟ ପରେଡରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସେବାର ପ୍ରତୀକ ସ୍ୱରୂପ ଆମ୍ବୁଲାନ୍ସ ଓ କୃଷି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପରେଡରେ ପ୍ରଦର୍ଶନ କରାଯାଇଛି । ଏହା ସହ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ଯୋଗର ଉପାଦେୟତା ପ୍ରଦର୍ଶନ ସ୍ୱରୂପ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଛି । ପରେଡରେ ବିଭିନ୍ନ ପ୍ରକାର ବାଇକ୍ ଷ୍ଟଂଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି ।

ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଛି । ରଙ୍ଗବେରଙ୍ଗୀ ପୋଷାକରେ ବାଦ୍ୟ ସଙ୍ଗୀତର ତାଳେ ତାଳେ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଯୋଡି ଶଙ୍ଖ ବାଦ୍ୟ ମଧ୍ୟ ଆକୃଷ୍ଟ କରିଛି ଉପସ୍ଥିତ ଦର୍ଶକଙ୍କୁ । ଖାଲି ନୃତ୍ୟଗୀତ ନୁହେଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଚୀନ ଓଡିଶାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଖଣ୍ଡା, ବର୍ଚ୍ଛା ଆଦି ମଧ୍ୟ ପ୍ରଦର୍ଶିତ କରିଛନ୍ତି କଳାକାରମାନେ ।

ସେହିପରି ଐତିହାସିକ ସହର କଟକରେ ମଧ୍ୟ ପାଳିତ ହୋଇଛି ୬୯ ତମ ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମିଳିତ ପରେଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ସେ କହିଛନ୍ତି ବିକାଶ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟଗୁଡିକ ସହ ଓଡିଶା ସମକକ୍ଷ ହୋଇପାରିଛି । ଓଡିଶାର ଅଭିବୃଦ୍ଧି ହାର ଦେଶର ଅଭିବୃଦ୍ଧି ହାର ତୁଳନାରେ ଅଧିକ । ଗରିବୀ ହ୍ରାସ କ୍ଷେତ୍ରରେ ରାଜ୍ୟ ଯଥେଷ୍ଟ ଆଗୁଆ ଓ ଜନକଲ୍ୟାଣ କ୍ଷେତ୍ରରେ ଓଡିଶା ଦେଶର ମଡେଲ ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।