ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳିଲା ଭାରତର ଦମ୍ : ସାମରିକ ଶକ୍ତି ପ୍ରଦର୍ଶନ ସହ ସାଂସ୍କୃତିକ ଝଲକର ଅଦ୍ଭୁତ ସଙ୍ଗମ

161

କନକ ବ୍ୟୁରୋ : ଦିଲ୍ଲୀ ରାଜପଥରୁ ବିଶ୍ୱ ଦେଖିଲା ଗଣତନ୍ତ୍ରର ମେଗା ସୋ । ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ ପରେଡ । ସାଧାରଣତନ୍ତ୍ର ଦିବସ ପରେଡର ଦେଶର ସାମରିକ ଶକ୍ତି ପ୍ରଦର୍ଶନ କଲା ସେନା । ସାଧାରଣତନ୍ତ୍ର ଦିବସ  ଦିବସ ପାଳନ କରିବା ଅବସରରେ ରାଜପଥରେ ଭାରତର ସାମରିକ ସାମର୍ଥ୍ୟ, ସାହସିକ ସଶସ୍ତ୍ରବାହିନୀ ଏବଂ ସାଂସ୍କୃତିକ ବିବିଧତା ଆଦି ପ୍ରଦର୍ଶିତ ହୋଇଛି । ବିଭିନ୍ନ ରାଜ୍ୟ ପକ୍ଷରୁ ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ରାଜପଥରେ ପ୍ରଦର୍ଶିତ ହୋଇଛି ।

ଦିଲ୍ଲୀ ରାଜପଥରୁ ସାରା ବିଶ୍ୱ ଦେଖିଛି ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶର ଶକ୍ତି । ରାଜପଥରେ ଭବ୍ୟ ପରେଡରେ ଥିଲେ ତିନି ସେନା, ସ୍ଥଳ ସେନା, ବାୟୁସେନା ଏବଂ ଜଳସେନାର ଜବାନ । ଏହା ବାଦ ସ୍ଥଳ ସେନାର ବିଭିନ୍ନ ୱିଙ୍ଗର ଜବାନଙ୍କ ଟ୍ରୁପ ବି ସାମିଲ ହୋଇଥିଲେ ପରେଡରେ । ସବୁଠାରୁ ଆକର୍ଷଣୀୟ ଥିଲା ସେନାର ପରେଡ । ଚଳିତ ବର୍ଷ ସେନାର ପୁରୁଷ କଣ୍ଟିଜେଂଟର ନେତୃତ୍ୱ ନେଇଥିଲେ ତାନିଆ ସେରଗିଲ୍ । ତିନି ସେନାର ଜବାନଙ୍କ ସହିତ ଏନସିସି କ୍ୟାଡେଟ୍ ବି ସାମିଲ ହୋଇଥିଲେ । ମିଳିତ ପରେଡରେ ଦୁଲୁକି ଥିଲା ଦିଲ୍ଲୀ ରାଜପଥ । ସେନାର ପରେଡ ସହିତ ଭାରତୀୟ ସେନା ଏହାର ଶକ୍ତି ଓ ସାମର୍ଥ୍ୟ ବି ପ୍ରଦର୍ଶନ କରିଛି । ସେନାର ଯୁଦ୍ଧ ଟ୍ୟାଙ୍କ, ଟି ୯୦ ଟ୍ୟାଙ୍କ, ବାୟୁସେନାର ଆଂଟି ମିଜାଇଲ ସିଷ୍ଟମ, ମିଶାଇଲ ମଧ୍ୟ ଭବ୍ୟ ପରେଡରେ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ସାଧାରଣ ତନ୍ତ୍ର ଦିବସ ଅବସରରେ ଭାରତର ଅତିଥୀ ଭାବେ ଯୋଗ ଦେଇଥିଲେ ବ୍ରାଜିଲ ରାଷ୍ଟ୍ରପତି । ରାଜପଥ ପରେଡରେ ଚଳିତ ବର୍ଷ ବ୍ରାଜିଲ ରାଷ୍ଟ୍ରପତି ରାଷ୍ଟ୍ରୀୟ ଅତିଥୀ ଭାବରେ ସାମିଲ ହୋଇ ପରେଡ ଦେଖିଥିଲେ ।

ରାଜପଥ ପରେଡରେ ଅନ୍ୟତମ ଆକର୍ଷଣ ଥିଲା ଭାରତୀୟ ସେନା ଜବାନଙ୍କ ଡେୟାର ଡେଭିଲ ସୋ । ବାଇକ ଉପରେ ଜବାନଙ୍କ ହାତରେ ଥିଲା ତ୍ରିରଙ୍ଗା । ବାଇକ ଉପରେ ଥାଇ ନିର୍ଭିକ ଭାବରେ ଅତି କୁଶଳତାର ସହ ଭଳିକି ଭଳି ଷ୍ଟଂଟ ଦେଖାଇ ଚାଲିଥିଲେ ଭାରତୀୟ ଜାବନ ମାନେ । ରାଜପଥରେ ଦ୍ରୁତ ଗତିରେ ଗଡି ଚାଲିଥିଲା ବାଇକ । ତା ଉପରେ ଦଶରୁ ଅଧିକ ଜବାନ ମଧ୍ୟ ଷ୍ଟଂଟ ଦେଖାଉଥିବାଦେଖିବାକୁ ମିଳିଥିଲା । ୫ଟି ବାଇକରେ ଆସିଥିଲେ ୨୧ ଜଣ ମହିଳା ଜବାନ । ଯେଉଁମାନଙ୍କର ଡେୟାର ଡେଭିଲ ସୋ ଦେଖି ତାଜୁବ୍ ହୋଇଯାଇଥିଲେ ଦେଶବାସୀ । ରାଜପଥରେ ଭାରତୀୟ ଜବାନଙ୍କ ଏହି ଡେୟାର ଡେଭିଲ ସୋ ଦେଖିବାକୁ ଦର୍ଶକ ପ୍ରତିବର୍ଷ ଅପେକ୍ଷା କରି ରହିଥାନ୍ତି ଦିଲ୍ଲୀ ପରେଡକୁ । ଯାହାକୁ ଦେଖିବା ପରେ ଦର୍ଶକ ବେଶ୍ ଅଭିଭୂତ ହୋଇଯାଇଛନ୍ତି ।

ସେପଟେ ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିଥିଲା ଭାରତୀୟ ବାୟୁସେନା । ଗୋଟିଏ ପରେ ଗୋଟିଏ କରି ଭାରତୀୟ ବାୟୁସେନାର ବିମାନ ଆକାଶର ନୀରବତାକୁ ଭେଦ କରି ପ୍ରଦର୍ଶନ କରୁଥିଲା କଳା କୌଶଳ । ଯାହା ଦେଖିବା ଲୋକକୁ ବି ଚକିତ କରିଦେବ । ଏହା ମଧ୍ୟରେ ରହିଥିଲା ଶକ୍ତିଶାଳୀ ଆପାଚେ ହେଲିକପ୍ଟର । ଏହି ବର୍ଗର ୫ ଟି ହେଲିକପ୍ଟର ରାଜପଥରେ ନିଜ ଶକ୍ତି ପ୍ରଦର୍ଶିତ କରିଥିଲା । କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଏହା ଉଡାଣ ଭରିବାର କ୍ଷମତା ରଖିଛି ।

ସେହିପରି ଅତି ଚମକ୍ରାର ପ୍ରଦର୍ଶନ କରିଥିଲେ ୩ଟି ଏଏଲଏଚ ହେଲିକପ୍ଟର । ଭି ସେପରେ ଉଡାଣ ଭରି ଏହା ଅତି ନିପୁଣତାକୁ ପ୍ରଦର୍ଶିତ କରିଥିଲା । ଆକାଶରେ କଳା କୌଁଶଳ ଦେଖାଇ ଥିଲା ଡ୍ରୋନିୟର ବିମାନ । ଏହି ବର୍ଗର ୩ଟି ବିମାନ ଦେଶର ରାଜଧାନୀର ଛାତି ଚିରି ଯେଭଳି ଭାବରେ ଆକାଶରେ କୌଶଳ ପ୍ରଦର୍ଶନ କରିଥିଲା ତାହା କୌଣସି ଦେଖଣାହାରିକୁ ଅଭିଭୂତ କରିଦେବ । ୱିଂଗ କମାଣ୍ଡର ଏସକେ ଚୌହାନ ଏହାର ନେତୃତ୍ୱ ନେଇଥିଲେ । ସେହିପରି ତୀର ଭଳି ଆକାରରେ ଗତି କରି ନିଆରା ପ୍ରଦର୍ଶନ କରିଥିଲେ ୫ଟି ଫାଇଟର ଜାଗୁଆର ବିମାନ ।

ଆକାଶରେ ଉଡୁଥିବା ବେଳେ ଏଗୁଡିକର ଘଂଟା ପ୍ରତି ବେଗ ରହିଥିଲା ୭୮୦ କିମି । ସୁଖୋଇ ୩୦ ବିମାନ ବି ସାମିଲ ହୋଇଥିଲା ଶକ୍ତି ପ୍ରଦର୍ଶନରେ । ଆକାଶରେ ସୁଖୋଇ ୩୦ ଉଡାଣ ଭରୁଥିବା ସମୟରେ ସୃଷ୍ଟି ହୋଇଥିଲା ତ୍ରିଶୂଳ ଆକୃତି । ଜାଗୁଆର ଠାରୁ ଏମାନଙ୍କର ବେଗ ଥିଲା ଅତି ଅଧିକ । ଘଂଟା ପ୍ରତି ୯୦୦ କିମି ବେଗରେ ଗତି କରି ତ୍ରିଶୂଳ ଆକୃତି କରିଥିଲେ ତିନୋଟି ସୁଖୋଇ ୩୦ ଏମକେ ଆଇ ବିମାନ ।

ଅନ୍ୟପଟେ ଦିଲ୍ଲୀ ରାଜପଥରେ ବିଶ୍ୱ ଦେଖିଲା ଭାରତର ସଂସ୍କୃତି ଓ ପରମ୍ପରାର ଝଲକ । ମିଳିତ ପରେଡ ସରିବା ପରେ ପରେ ରାଜପଥରେ ଧୀରେ ଧୀରେ ପ୍ରବେଶ କରିଥିଲା ଏହି ପ୍ରଜ୍ଞାପନ ମେଢ ଗୁଡିକ । ଭାରତର ସଂସ୍କୃତି , ପରମ୍ପରା ର ନିଦର୍ଶନ ସହିତ ବିଭିନ୍ନ ବାର୍ତା ପ୍ରଦାନ କରୁଥିବା ୨୨ଟି ପ୍ରଜ୍ଞାପନ ମେଢ ଏଥିରେ ସାମିଲ ହୋଇଥିଲେ । ଯାହା ମଧ୍ୟରେ ୧୬ଟି ପ୍ରଜ୍ଞାପନ ମେଢ ରହିଥିଲା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ । ଏହା ବାଦ୍  ୬ଟି ମନ୍ତ୍ରାଳୟର ସୁସଜ୍ଜିତ ପ୍ରଜ୍ଞାପନ ମେଢ ବି ରହିଥିଲା । ରାଜପଥରେ ହଜାର ହଜାର ଜନତାଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ମେଢ । ଏହି ଅବସରରେ ଦିଲ୍ଲୀ ଦରବାରରେ ଓଡିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଓଡିଶାର ସଂସ୍କୃତିର ପରିଚୟ ବହନ କରୁଥିବା ଲିଂଗରାଜ ମନ୍ଦିର, ରୁକୁଣା ରଥ । ମେଢ ଉପରେ ଓଡିଶୀ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ବି ବିମୋହିତ କରିଥିଲା ଦର୍ଶକଙ୍କୁ ।