ଟାଙ୍ଗିଆରେ ହାଣିଲେ ନିଆଁ ଲଗାଇଦେଲେ । ରାଜସ୍ଥାନରେ ‘ଲଭ ଜିହାଦ’ ପ୍ରତିଶୋଧର ଭିଡିଓ ଭାଇରାଲ

30

ବର୍ବରତା, ଘୃଣ୍ୟ, ଜଘନ୍ୟ ଯାହା କହିଲେ ବି କମ ହେବ । ପ୍ରେମ ପାଇଁ ଜଣେ ଶ୍ରମିକକୁ ଅତି ନିର୍ମମ ଓ ଅମାନୁଷିକ ଭାବେ ହତ୍ୟାକରିଛି ଜଣେ ବ୍ୟକ୍ତି । ତଥାପି ଏତିକିରେ ଶାନ୍ତ ହୋଇନଥିଲା ହତ୍ୟାକାରୀ । ମୃତ ଶରୀରେ ନିଆଁ ଲଗାଇ ସମସ୍ତପ୍ରମାଣ ନଷ୍ଟ କରିବା ପାଇଁ କରିଥିଲା ଆପ୍ରାଣ ଉଦ୍ୟମ । ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ହତ୍ୟାକାରୀକୁ ଗିରଫ କରିଛି ପୋଲିସ । ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା ।

ଗତ ବୁଧବାର ଦିନ ରାଜସମନ୍ଦ ହୋଟେଲ ଠାରୁ ମାତ୍ର ଶହେ ମିଟର ଦୂରରେ ଶ୍ରମିକଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଦେଖିବାକୁ ମିଳିଥିଲା । ‘ଲଭ ଜିହାଦ’ ଲେଖାଥିବା ସହ ନିଆଁ ଜଳୁଥିବା ଗୋଟିଏ ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ତେବେ ପୋଲିସ ଏହି ଭିଡିଓକୁ ଶ୍ରମିକଙ୍କର ମୃତ ଦେହ ଜଳୁଥିବାର ଭିଡିଓ ବୋଲି କହିଛି । ତାସହ ହତ୍ୟା କରିଥିବା ସମ୍ବୁଲାଲକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିବା କହିଛିନ୍ତି ରାଜସ୍ଥାନର ଗୃହମନ୍ତ୍ରୀ ଗୁଲାବ ଚନ୍ଦ୍ର କଟାରିଆ ।

ଚିତ୍ରରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ଅଭିଯୁକ୍ତ ଶ୍ରମିକକୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ତା ଶରୀରେ ନିଆଁ ଲଗାଇ ଦେଉଛି । ଏତିକିରେ ସରିନାହିଁ ତାର ବର୍ବରତା । ଧମକ ଦେଇ ଅଭିଯୁକ୍ତ କହିଛି, ପତ୍ୟେକ ଭାରତୀୟ ଏଭଳି କରିବା ଉଚିତ ନଚେତ ‘ଲଭ ଜିହାଦ’ ସମାପ୍ତ ହେବ ନାହିଁ । ସେହି ଚିତ୍ରରେ ଗୋଟିଏ ମୋଟର ସାଇକେଲ ଓ ସ୍କୁଟି ଥିବା ଜଣାପଡିଛି । ଏହି ଭିଡିଓକୁ ଏପରି ଭାବେ ସୁଟିଂ କରାଯାଇଛି ଲାଗୁଛି ଯେପରି ଏଥିରେ କୌଣସି ତୃତୀୟ ବ୍ୟକ୍ତିଙ୍କର ସଂପୃକ୍ତି ରହିଛି ।

ସେପଟେ ଏସପି କହିଛନ୍ତି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ପଶ୍ଚିମବଙ୍ଗ ମାଲଦା ଅଂଚଳର ଆଫ୍ରାଜଲ ରାଜସ୍ଥାନରେ ଜଣେ ଶ୍ରମିକଭାବେ କାମ କରୁଥିଲେ ।