ଝଡ଼ ମୁହଁର ସାମ୍ବାଦିକଙ୍କୁ ସମ୍ବାଦ ଗ୍ରୁପ ପକ୍ଷରୁ ସମ୍ବର୍ଦ୍ଧନା । ସମ୍ମାନିତ ହେଲେ ରିପୋର୍ଟର ଓ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ।

206

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ନିଜ ଜୀବନକୁ ଖାତିର ନକରି କୋଟି କୋଟି ଓଡ଼ିଆଙ୍କୁ ସଚେତନ କରାଇଥିବା କନକ ନ୍ୟୁଜ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବାତ୍ୟା ଫୋନି ଯେବେଠାରୁ ଓଡ଼ିଶା ମୁହାଁ ହୋଇଥିଲା ସେତେବେଳେ ଏକ ଦାୟିତ୍ୱବାନ ଗଣମାଧ୍ୟମଭାବେ କନକ ନ୍ୟୁଜର ରିପୋର୍ଟର ଏବଂ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ମାନେ ‘ଫୋନି’ ଲ୍ୟାଣ୍ଡଫଲ କରିବାର ସ୍ଥାନ ଏବଂ ପ୍ରଭାବିତ ସ୍ଥାନ ଗୁଡ଼ିକରେ ମହଜୁଦ ରହିଥିଲେ । ଏପରିକି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନୀଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବାତ୍ୟା ବିଷୟର ଟିକନିଖ ଖବର ଦେଇଥିଲେ । ତେଣୁ ଲୋକଙ୍କୁ ସଚେତନ କରାଇଥିବା ସାମ୍ବାଦିକମାନଙ୍କୁ ସମ୍ବାଦ ଗ୍ରୁପ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବାଦ ଭବନରେ ଆୟୋଜିତ ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପର ଚେୟାରମ୍ୟାନ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସମ୍ବାଦ ଗ୍ରୁପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗଦେଇ ଝଡ଼ ମୁହଁର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ସମ୍ବାଦ ଗ୍ରୁପର ଚେୟାରମ୍ୟାନ କହିଛନ୍ତି କି, ସାମ୍ବାଦିକତା ସମସ୍ତ ବୃତ୍ତି ଠାରୁ ଏକ ଭିନ୍ନ ବୃତ୍ତି । କାରଣ ଯେତେବେଳେ ଲୋକମାନେ ଶାନ୍ତିର ନିଦରେ ଶୋଇଥାନ୍ତି ସେତେବେଳେ ସାମ୍ବାଦିକମାନେ ହିଁ ଅନିଦ୍ରା ରହି ପ୍ରକୃତ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଆଉ ଏକ ସ୍ୱାଭାବିକ ପ୍ରକ୍ରିୟା ଯେତେବେଳେ ଅସ୍ୱାଭାବିକ ହୋଇପଡ଼େ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମ୍ବାଦିକମାନେ ହିଁ ପରୀକ୍ଷା ଦେଇଥାନ୍ତି । ତେଣୁ ଯେତେବେଳେ ‘ଫୋନି’ର କରାଳ ରୂପରେ ସାରା ଓଡ଼ିଶା ଥରୁଥିଲା ସେତେବେଳେ କନକ ନ୍ୟୁଜର ପ୍ରତିନିଧିମାନେ ଘଟଣା ସ୍ଥଳରେ ରହି ଲୋକଙ୍କୁ ସଚେତନ କରାଇଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।