ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ ! ୨୦୧୯ରେ ବାୟୁ ପ୍ରଦୂଷଣ ବିଶ୍ୱ ପାଇଁ ସବୁଠୁ ବଡ ବିପଦ ଭାବେ ଉଭା ହେବ

231

ଏବେ ଦେଶରେ ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ବାୟୁରେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି ଯେ, ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ବିଷାକ୍ତ ବାୟୁ ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଉଛି । ଏସବୁ ଭିତରେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ତାଲିକା ଜାରି କରିଛି । ଏହି ତାଲିକା ଅନୁଯାୟୀ, ବାୟୁ ପ୍ରଦୂଷଣ ଓ ପାଗ ପରିବର୍ତ୍ତନ ୨୦୧୯ରେ ବିଶ୍ୱ ପାଇଁ ବଡ ବିପଦ ଭାବେ ଉଭା ହୋଇପାରେ । ବାୟୁ ପ୍ରଦୂଷଣ ପାଇଁ ଶରୀର ଉପରେ ସବୁଠୁ ଅଧିକ ପ୍ରଭାବ ପଡିବ ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ବାୟୁରେ ଥିବା ଦୂଷିତ କଣିକା ଗୁଡିକ ନିଶ୍ୱାସ ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରିବା ସହ ହୃତପିଣ୍ଡ, ମସ୍ତିଷ୍କ, ଫୁସଫୁସକୁ ସଂକ୍ରମିତ କରିଥାଏ । ସବୁଠୁ ବଡ କଥା ହେଲା ପ୍ରତିବର୍ଷ ୭ ମିଲିୟନ ଲୋକ କ୍ୟାନସର, ଷ୍ଟ୍ରୋକ, ହୃଦଘାତ ଓ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ସମୟ ପୂର୍ବରୁ ପ୍ରାଣ ହରାଇଥାନ୍ତି । ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ମଧ୍ୟମ ଓ କମ ଆୟ କରୁଥିବା ଦେଶ ଗୁଡିକରେ ଦେଖିବାକୁ ମିଳିଥାଏ ।

ବାୟୁ ପ୍ରଦୂଷଣର ସବୁ କାରଣ ମଧ୍ୟରୁ ତେଲ ମଧ୍ୟ ଏକ କାରଣ ବୋଲି ରିପୋର୍ଟରେ କୁହାଯାଇଛି । ତେଲ ଜଳିବା ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ରିପୋର୍ଟ ମୁତାବିକ, ଯେଉଁଭଳି ଭାବେ ପରିବେଶ ପ୍ରଦୂଷଣ ହେଉଛି ତାହାକୁ ନଜରରେ ରଖିଲେ ୨୦୩୦ରୁ ୨୦୫୦ ମଧ୍ୟରେ ସମୟ ପୂର୍ବରୁ ବିଭିନ୍ନ ରୋଗରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି ।