ଥାନାରେ କୋଣାର୍କ ମୂର୍ତ୍ତି ଗାଏବ ମାମଲା : ମରାମତି ଆଳରେ ମୁଖଶାଳାରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଲୁଟ୍ ଅଭିଯୋଗ

କେନ୍ଦ୍ର ପ୍ରତ୍ନତାତ୍ୱିକ ସଂସ୍ଥା ବିରୋଧରେ କୋଣାର୍କ ଥାନାରେ ଏତଲା ଦେଲା କୋଣାର୍କ ସୁରକ୍ଷା ସମିତି

114

କନକ ବ୍ୟୁରୋ : କୋଣାର୍କ ମନ୍ଦିର ବିରୋଧରେ ବଡ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା କୋଣାର୍କ ସୁରକ୍ଷା ସମିତି । ମନ୍ଦିର ମୁଖଶାଳାରୁ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବଦଳରେ ସାଧା ପଥର ଲାଗିବା ଘଟଣାକୁ ନିନ୍ଦା କରିବା ସହ ଥାନାରେ ଏତଲା ଦେଲା ସମିତି । ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଓ ପଥର ଗୁଡିକୁ କେନ୍ଦ୍ର ପ୍ରତ୍ନତାତ୍ୱିକ ବିଭାଗ ଲୁଟ୍ କରିଥିବା ଅଭିଯୋଗ କରି କୋଣାର୍କ ଥାନାରେ ଏତଲା ଦେଇଛି କୋଣାର୍କ ସୁରକ୍ଷା ସମିତି । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି । ଏହି ବିଶ୍ୱ ଐତିହ୍ୟ ସ୍ଥଳୀର ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଯାଇଛି । କେବଳ ଏତିକି ନୁହେଁ ମନ୍ଦିରର ଟିକଟ ବାବଦକୁ ଆସୁଥିବା ହଜାର ହଜାର ଟଙ୍କାକୁ ବି କେନ୍ଦ୍ର ପ୍ରତ୍ନତାତି୍ୱକ ବିଭାଗ ହେରଫେର କରୁଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, କୋଣାର୍କ ମନ୍ଦିର ବିରୋଧରେ ବଡ ଷଡଯନ୍ତ୍ର ହେଉଥିବା ଅଭିଯୋଗ । ସର୍ବପୁରାତନ କୀର୍ତିରାଜିରେ ଭରପୁର ବିଶ୍ୱ ଐତିହ୍ୟ କୋଣାର୍କରୁ ହଜିଯାଇଛି ୧୨ଶହ ବଢେଇଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ । କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ବଦଳରେ ଲାଗିଛି ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ବିଭିନ୍ନ ବିଗ୍ରହ ହଟାଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଛି । ମରାମତି ନାଁରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସବୁ ହଟାଯିବା ପରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂର୍ଯ୍ୟ ମନ୍ଦିରକୁ ଲୁହା ରଡ୍ ଭାରାରେ ଘୋଡେଇ ରଖି ବର୍ଷ ବର୍ଷ ଧରି ଚାଲିଛି ମରାମତି କାର୍ଯ୍ୟ । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ହେଉଛି । ଆଜିର ସ୍ଥିତିକୁ ଅନୁଧ୍ୟାନ କଲେ ଅନୁମାନ କରାଯାଇପାରେ, ବିଶ୍ୱ ଐତିହ୍ୟ ସ୍ଥଳୀ ଯେକୌଣସି ମୂହୁର୍ତ୍ତରେ କେବଳ ପଥରସ୍ତୁପରେ ପରିଣତ ହୋଇଯାଇପାରେ । ଗୋଟିଏ କି ଦୁଇଟି ନୁହେଁ, ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଯାଇ ତା ସ୍ଥାନରେ ଲାଗିଛି ସାଧା ପଥର ଖଣ୍ଡ ।

ତେବେ ମନ୍ଦିରର ମରାମତି ପାଇଁ କାରୁକାର‌୍ୟ୍ୟ ପୂର୍ଣ୍ଣ ମୂର୍ତ୍ତି ହଟାଇବା ଜରୁରୀ ଥିଲା କି? ଯଦି ହଟିଲା ସେ ସବୁ ମୂର୍ତ୍ତି ଗଲା କୁଆଡେ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।