ଦିଲ୍ଲୀ ରାଜନୀତିକୁ ଫେରିବ ୧୯୯୬ ସ୍ଥିତି ! ଭବିଷ୍ୟବାଣୀ କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ

୧୯୯୬ରେ ଯେଉଁଭଳି ଭାବେ ଆଞ୍ଚଳିକ ଦଳ ଓ କଂଗ୍ରେସ ସମର୍ଥନରେ ଦେବଗୌଡା ପ୍ରଧାନମନ୍ତ୍ରୀ ହୋଇଥିଲେ ଠିକ୍ ସେହିଭଳି ସ୍ଥିତି ୨୦୧୯ରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଦେବଗୌଡାଙ୍କ ପୁଅ ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ

821

ଏନଡିଏ ସହ ଟିଡିପିର ବ୍ରେକଅପ୍ ପରେ ଏବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ମୋଦି ସରକାର । ୨୦୧୯ରେ ମୋଦି ସରକାରଙ୍କୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଏବେ ଜୋରଦାର କସରତ କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏଥିପାଇଁ ସମସ୍ତ ବିରୋଧୀ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଚନ୍ଦ୍ରବାବୁ । ଏହି କ୍ରମରେ ଆଜି ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ଭେଟିଛନ୍ତି ଚନ୍ଦ୍ରବାବୁ । ଯାହାକୁ ନେଇ ଜାତୀୟ ରାଜନୀତି ଉଷ୍ମ ହେବାରେ ଲାଗିଛି ।

ଚନ୍ଦ୍ରବାବୁ ଓ ଦେବଗୌଡାଙ୍କ ମଧ୍ୟରେ ଏହି ଭେଟଘାଟ ପରେ ଚନ୍ଦ୍ରବାବୁ କହିଛନ୍ତି, ଦେବଗୌଡାଙ୍କ ସହ ମୋର ଭଲ ସର୍ମ୍ପକ ରହିଛି । ଏହି ଦେଶକୁ ରକ୍ଷା କରିବାକୁ ହେଲେ, ଲୋକତନ୍ତ୍ର ବଞ୍ଚାଇବାକୁ ହେଲେ ସମସ୍ତଙ୍କୁ ସାଙ୍ଗ ହୋଇ ଆସିବାକୁ ପଡିବ । କାରଣ ଏବେ ସିବିଆଇକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲାଣି । ରିଜର୍ଭ ବ୍ୟାଙ୍କ ମଧ୍ୟ ବିପଦରେ । ଏପରିକି ଇଡି, ଇନକମ ଟ୍ୟାକ୍ସ ଅଫିସରଙ୍କୁ ବିରୋଧୀ ଦଳରେ ଥିବା ନେତା ମାନଙ୍କ ବିରୋଧରେ ବ୍ୟବହାର କରାଯାଉଛି । ଦେଶର ଗଣତନ୍ତ୍ର ଯେତେବେଳେ ବିପଦରେ ପଡିଛି ସେତେବେଳେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ଚନ୍ଦ୍ରବାବୁ ।
କେବଳ ଚନ୍ଦ୍ରବାବୁ ନୁହନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ମଧ୍ୟ ଏନଡିଏ ସରକାର ଉପରେ ବର୍ଷିଛନ୍ତି । ଏନଡିଏ ସରକାର ଆସିବା ପରେ କିଛି ସଂସ୍ଥା ଏବେ ବିପଦ ଘେରକୁ ଆସିଯାଇଛି । ତେଣୁ ଏହା ବିରୋଧରେ ସମସ୍ତ ବିରୋଧୀ ମାନଙ୍କୁ ଏକଜୁଟ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଛଡା କଂଗ୍ରେସ ୧୭ଟି ରାଜ୍ୟରେ ବିଜେପି ନିକଟରୁ ପରାଜିତ ହୋଇଛି ସତ କିନ୍ତୁ ୨୦୧୯ରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ତେଣୁ ଚନ୍ଦ୍ରବାବୁ ନାଇଡୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ କଂଗ୍ରେସ ସହଯୋଗ କରୁ ବୋଲି କହିଛନ୍ତି ଦେବଗୌଡା ।

ଦୀପାବଳି ଅବସରରେ ଚନ୍ଦ୍ରବାବୁ କହିଥିେ. ଦେଶରେ ବାସ୍ତବରେ ଦୀପାବଳି ସେହିଦିନ ପାଳନ କରାଯିବ ଯେବେ କେନ୍ଦ୍ରରେ ଥିବା ଏନଡିଏ ସରକାରର ପତନ ଘଟିବ । ଏହା ର୍ପୂବରୁ ଚନ୍ଦ୍ରବାବୁ ଦିଲ୍ଲୀରେ ରାହୁଲ ଗାନ୍ଧି, ଶରଦ ପାୱାର, ଅଖିଳେଶ ଯାଦବ ଓ ଫାରୁକ ଅବଦୁଲ୍ଲାଙ୍କୁ ଭେଟିଥିଲେ ।