ନନ୍ଦନକାନନରେ ଜନ୍ମ ନେଲେ ୨ ବାଘ ଛୁଆ : କଳା ବାଘ ସଂଖ୍ୟା ୪କୁ ବୃଦ୍ଧି

112

କନକ ବ୍ୟୁରୋ : ନନ୍ଦନକାନନରେ ଆଜି ୨ଟି ବିରଳ ବାଘଛୁଆଙ୍କ ଜନ୍ମ ଦେଇଛି ବାଘୁଣୀ ରେଣୁକା । ଏହି ୨ଟି ବାଘଛୁଆଙ୍କ ସହିତ ନନ୍ଦନକାନନରେ କଳାବାଘ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସିସିଟିଭି ସର୍ଭେଲାନ୍ସରେ ଉଭୟ ବାଘୁଣୀ ରେଣୁକା ଓ ତାର ଦୁଇ ଶାବକଙ୍କ ଉପରେ ନଜର ରଖାଯାଇ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଅନୁଯାୟୀ, ନନ୍ଦକାନନରେ ବାଘ ବଂଶ ବୃଦ୍ଧି ପାଇଁ ବାଘୁଣୀ ରେଣୁକା ଓ ସମ୍ରାଟଙ୍କ ମଧ୍ୟରେ ଏନକ୍ଲୋଜନର ଭିତରେ ନନ୍ଦନକାନନ କର୍ତ୍ତୃପକ୍ଷ ମିଳନ କରାଇଥିଲେ । ତେବେ ଆଜି ଭୋର ୩ଟା ୪୦ ମିନିଟ୍ରେ ରେଣୁକା ତାର ପ୍ରଥମ ଶାବକଟିକୁ ଜନ୍ମ ଦେଇଥିବା ବେଳେ ଆଜି ମଧ୍ୟାହ୍ନରେ ଦ୍ୱିତୀୟ ଶାବକକୁ ଜନ୍ମ ଦେଇଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଶାବକଦ୍ୱୟଙ୍କ ଲିଙ୍ଗ ନିର୍ଣ୍ଣୟ କରାଯାଇ ପାରି ନାହିଁ । ଏହି ଦୁଇ ଶାବକଙ୍କ ଜନ୍ମ ସହିତ ନନ୍ଦନକାନନର ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୫ଟି ସ୍ୱାଭାବିକ ବାଘ ଥିବା ବେଳେ ୯ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି ।