ବନବାସ ପରେ ନବକଳେବର । ରାଜନୀତିରେ କାହିଁକି ଆସିଲା ଧାର୍ମିକ ଶଦ୍ଦ? ନେତା ହୋଇଗଲେ କି ଭଗବାନ?

109

ଉତ୍ତରପ୍ରଦେଶରେ ବନବାସ ସରିଲା, ବିଜେପି କ୍ଷମତାକୁ ଆସିଲା । ଅବିଶ୍ୱସନୀୟ ସଂଖ୍ୟା ସହ ରାଜ୍ୟ ଶାସନ ଡୋରି ବିଜେପି ନିଜ ହାତକୁ ନେଲା । ପ୍ରଭୁ ଶ୍ରୀରାମ ୧୪ ବର୍ଷର ବନବାସ ଯାତ୍ରା ସାରି ଫେରିବା ଭଳି ଉତ୍ତରପ୍ରଦେଶରେ ବିଜେପି ତାର ବନବାସ ଯାତ୍ରା ସାରିଥିଲା । କ୍ଷମତା ଅଳିନ୍ଦରୁ ବାହାରେ ରହିବା ପରେ ୧୪ ବର୍ଷ ପରେ ଶାସନ ଗାଦିକୁ ଫେରିଥିଲା ଭାରତୀୟ ଜନତା ପାର୍ଟି । ଯୋଗୀ ଆଦିତ୍ୟନାଥ ଏବେ ସରକାରର ମଙ୍ଗ ଧରିଛନ୍ତି ।

bjp ୟୁପି ଭଳି ଓଡିଶାରେ ମଧ୍ୟ ଏବେ ଖୁବ ଜୋରରେ ଶୁଣିବାକୁ ମିଳୁଛି ନବକଳେବର ଶଦ୍ଦ । ଅର୍ଥାତ୍ ରାଜନୀତିର ନବକଳେବର ହେବ । ବିଜେପିର ନେତାମାନେ ଦାବି କରୁଛନ୍ତି, ଓଡିଶାରେ ବିଜେଡି ଶାସନ ଗାଦିରୁ ବାହାରିବ ଆଉ ବିଜେପି କ୍ଷମତାସୀନ ହେବ । ଏହାକୁ ବିଜେପି ନେତା ନବକଳେବରର ଆଖ୍ୟା ଦେଇଛନ୍ତି । ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜନୀତି ।

ପ୍ରଶ୍ନ ଉଠୁଛି, ରାଜନୀତିରେ ନବକଳେବର ଶଦ୍ଦକୁ ଯୋଡିବା କେତେଦୁର ଠିକ୍ ? ୨୦୧୫ରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ହୋଇଥିଲା ନବକଳେବର । ଅର୍ଥାତ୍ ମହାପ୍ରଭୁଙ୍କର ନବକଳେବର । ଜଗତର ନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ନବକଳେବରର ପ୍ରତି ୮ ବର୍ଷ କିମ୍ବା ୧୨ ବର୍ଷ କିମ୍ବା ୧୯ ବର୍ଷ ପରେ ଆଉ ଏକ ନବକଳେବର ହୋଇଥାଏ । ଓଡିଶାର ସବୁଠାରୁ ବଡ ପର୍ବ ହିସାବରେ ଏହା ଜଣାଶୁଣା । ବନଯାଗ ଯାତ୍ରା ଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତ୍ତନ ଯାଏଁ, ପ୍ରତିଟି କାର୍ଯ୍ୟକ୍ରମକୁ ନିଷ୍ଠାର ସହ ପାଳନ କରିଥାନ୍ତି ସେବାୟତ । ଆଉ ଏହାପରେ ନବଯୌବନ ଦର୍ଶନ ଦିଅନ୍ତି ଠାକୁର । ଯେଉଁଠି ପ୍ରଥମ ଥର ପାଇଁ ସାଧାରଣ ଲୋକେ ନବକଳେବର ପରେ କାଳିଆ ସାଆନ୍ତେଙ୍କ ପ୍ରଥମ ଦର୍ଶନ ପାଇଥାନ୍ତି । ଏହାପରେ ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି ତିନି ଠାକୁର ।

ଏଥିଲା ନବକଳେବରର ପ୍ରକୃତ ଚିତ୍ର । ହେଲେ ରାଜନୀତିରେ ଏହି ଶଦ୍ଦ ବ୍ୟବହାରର ଅର୍ଥ କଣ? ବିଜେପି ନେତାଙ୍କ ଦାବି ଅନୁସାରେ, ରାଜ୍ୟ ରାଜନୀତିରେ ନବକଳେବର ହେବ । ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଏହି ଉକ୍ତି ରଖୁଛନ୍ତି । ତେବେ ନବକଳେବରର ପ୍ରକୃତ ଅର୍ଥ କଣ ରାଜନୀତିରେ ପ୍ରଜୁଯ୍ୟ? ନେତାମାନେ କଣ ଏହି ଶଦ୍ଦକୁ ବ୍ୟବହାର କରିବା ଉଚିତ୍?

ରାଜ୍ୟରେ ଚାରି ଚାରି ଥର କ୍ଷମତାକୁ ଆସିଛି ବିଜୁ ଜନତା ଦଳ । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନNABIN PATTANAIK ପଟ୍ଟନାୟକ ରେକର୍ଡ ମଧ୍ୟ କରିଛନ୍ତି । ଆଉ ଆଗାମୀ ନିର୍ବାଚନ ୨୦୧୯ରେ ହେବାର ଅଛି । ୨୦୦୦ ମସିହାରେ ରାଜ୍ୟରେ କ୍ଷମତାକୁ ଆସିବାର ଠିକ ୧୯ ବର୍ଷ ପୁରିଥିବ । ଆଉ ନବକଳେବରର ଅବଧି ସହ ମଧ୍ୟ ସମାନ । ୧୯୯୬ରେ ନବକଳେବର ପରେ ୨୦୧୫ରେ ନବକଳେବର ହୋଇଥିଲା । ୧୯ ବର୍ଷ ପରେ ନବକଳେବର ହୋଇଥିବାରୁ ବିଜେପି ଭାବିବା ସ୍ୱାଭାବିକ ଯେ ରାଜ୍ୟ ରାଜନୀତିରେ ମଧ୍ୟ ନବକଳେବର ହେବ । ଆଉ ଏହାରି ଆଧାରରେ ଦଳ ଓ ନେତା ବୟାନ ରଖୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଓଡିଶାରେ ରାଜନୈତିକ ନବକଳେବର ନିଶ୍ଚିତ ହେବ । ଆଜିର ରାଜନୈତିକ ସମୀକରଣ ଆଉ ସ୍ଥିତି ଯାହା ଅଛି ତାହା ଆଗକୁ ଆଉ ରହିବନି । ବିଜେପି କ୍ଷମତାକୁ ଆସିବ । ପୁରୀ କିମ୍ବା ସୁନ୍ଦରଗଡରୁ ନବକଳେବର ହୋଇପାରେ । ରାଜ୍ୟରେ ବିଜେଡି ସରକାର ବିକାଶ କରିବାରେ ବିଫଳ ହୋଇଛନ୍ତି, ଲୋକେ ସରକାର ଉପରେ ଅତିଷ୍ଠ ହେଲେଣି ଆଉ ବିଜେପିକୁ ସୁଯୋଗ ଦେବାକୁ ମନବଳାଇଲେଣି । ବିଜେଡି ଆତଙ୍କିତ ହୋଇଗଲାଣି, ତେଣୁ ଦଳର ନେତା ନୂଆ ନୂଆ ଘୋଷଣା ମାନ କରି ଲୋକଙ୍କ ମନରେ ଆସ୍ଥା ଜନ୍ମାଇବାକୁ ଚାହୁଁଛନ୍ତି । ଜବାବରେ ବିଜେଡି ମଧ୍ୟ ଶାଣିତ ପ୍ରତିକ୍ରିୟା ରଖିଛି । ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି, ବିଜେପି ନେତାଙ୍କ ଅହଙ୍କାର ବଢିଯାଇଛି । ଜୁଏଲ ଓରାମ ନିଜକୁ ଭଗବାନ ଭାବିନେଇଛନ୍ତି ତେଣୁ ସେ ନବକଳେବର ହେବ ବୋଲି କହୁଛନ୍ତି । ବିଜେପିକୁ ଦେଶବାସୀ ୨୦୧୪ରେ କ୍ଷମତାକୁ ଆଣିଥିଲେ । ବିଜେପି ଓଡିଶାରେ ଯେମିତି ପ୍ରତିଶ୍ରୁତି ଦେଉଛି ସାରା ଭାରତରେ ବୁଲି ବୁଲି ମୋଦି ସେମିତି ପ୍ରତିଶ୍ରୁତି ଦେଇଥିଲେ । ୩ ବର୍ଷ ଭିତରେ କଣ ପାଳନ ହୋଇଛି, ତାର ହିସାବ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତୁତ ରୁହନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।

-dharmendra-pradhanବୟାନବାଜୀ ମଧ୍ୟ ଚାଲିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ମଧ୍ୟରେ । ପୁରୀରେ ଧର୍ମେନ୍ଦ୍ର କହିଥିଲେ, ଓଡିଶାର ରାଜନୈତିକ ନବକଳେବର ଜଗନ୍ନାଥଙ୍କ ପବିତ୍ର ଧାମରୁ ଆରମ୍ଭ ହେବ । ଜବାବରେ ମହେଶ୍ୱର ପୁରୀରୁ ଲଢିବାକୁ ଧର୍ମେନ୍ଦ୍ରଙ୍କୁ ଆହ୍ୱାନ ଦେଇଥିଲେ । ରାଜନୀତିରେ ଏହି ନବକଳେବର ଶଦ୍ଦକୁ କେବଳ ସାଂକେତିକ ରୁପରେ ଦେଖାଯିବ ନା ଏହାର ଗୁଢ ରହସ୍ୟ ବି ରହିଛି । ପ୍ରଥମେ ପୁରୀ ଉପରେ ନଜର ପକାନ୍ତୁ । ବାରମ୍ବାର ଧର୍ମେନ୍ଦ୍ର କହିଛନ୍ତି, ରାଜନୈତିକ ନବକଳେବର କଥା । ପୁରୀରୁ ଲୋକସଭା ସାଂସଦ ଅଛନ୍ତି ପିନାକୀ ମିଶ୍ର ଯିଏ କି ନିକଟରେ ଧର୍ମେନ୍ଦ୍ରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଅନ୍ୟପଟେ ଦୀର୍ଘବର୍ଷ ଧରି ବିଧାୟକ ଅଛନ୍ତି ମହେଶ୍ୱର ମହାନ୍ତି । ପୁରୀର ଟାଣୁଆ ବିଜେଡି ନେତା । ଅର୍ଥାତ୍ ଲୋକେ କଣ ଏମାନଙ୍କୁ ବଦଳାଇବା ପାଇଁ ଯୋଜନା କରୁଛନ୍ତି?

ଧର୍ମେନ୍ଦ୍ରଙ୍କ କହିବା ପଛରେ କିଛି ଭିନ୍ନ ଉଦ୍ଦେଶ୍ୟ ନାହିଁ ତ ? ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, modi celebrates diwaliମୋଦି ହୁଏତ ପୁରୀରୁ ଲୋକସଭା ନିର୍ବାଚନ ଲଢିପାରନ୍ତି । ସୋମନାଥ ଧାମ, କାଶୀ ବିଶ୍ୱାନାଥ ଧାମ ପରେ ଜଗନ୍ନାଥ ଧାମ ହୋଇପାରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ । କିନ୍ତୁ ଏହାଉପରେ କେହି ମୁହଁ ଖୋଲିବାକୁ ନାଚାର । ଅମିତ ଶାହା ଏହି ପ୍ରଶ୍ନ ଉପରେ ଚୁପ୍ ରହିଥିଲେ । ସେହିଭଳି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ପ୍ରକାଶ ଜାଭଡେକର ମଧ୍ୟ ଏହା ଉପରେ କୈାଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନଥିଲେ । ସେହିଦୃଷ୍ଟିରୁ ନବକଳେବର ଶଦ୍ଦର ପ୍ରୟୋଗ ଅନେକ ଦୃଷ୍ଟିରୁ ମହତ୍ୱପୁର୍ଣ୍ଣ ।

ଅନ୍ୟପକ୍ଷରେ ନବକଳେବର ଶଦ୍ଦର ରାଜନୈତିକ ପ୍ରୟୋଗ କରି ବିଜେପି ସାଢେ ଚାରି କୋଟି ଲୋକଙ୍କ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଛି । କାରଣ ପ୍ରତିଟି ଓଡିଶାବାସୀ ଏହି ଶଦ୍ଦ ସହିତ ବେଶ ଭଲ ଭାବେ ଜଡିତ । ତେଣୁ ଦଳ ଏଭଳି ଏକ ଶଦ୍ଦ ପ୍ରୟୋଗ କରି ଓଡିଶାବାସୀଙ୍କ ଘରେ ଘରେ ପହଂଚିବାକୁ ଉଦ୍ୟମ କରୁଥାଇପାରେ । ଅତୀତରେ ଦେଖିବାକୁ ମିଳିଛି ଧାର୍ମିକ ପ୍ରସଙ୍ଗ ଆଉ ହିନ୍ଦୁ ରାଜନୀତି ଉପରେ ବିଜେପିର ଫୋକସ ଅଧିକ ରହିଛି । ଉତ୍ତରପ୍ରଦେଶରେ ରାମ ଜନ୍ମଭୁମି ପ୍ରସଙ୍ଗ ହେଉ ଅବା ବିଭିନ୍ନ ରାଜ୍ୟରେ ହିନ୍ଦୁତ୍ୱର ଝଣ୍ଡା, ଏହାରି ଆଧାରରେ ବିଜେପି ରାଜନୈତିକ ସଫଳତା ହାସଲ କରିବାକୁ ଚେଷ୍ଟା କରିଆସୁଛି । ଆଉ ଠିକ ସେହି ଫର୍ମୁଲା ଆଜି ବିଜେପି ଓଡିଶାରେ ଆପଣାଇବାକୁ ଚେଷ୍ଟା କରିଛି ।

ସଂଯୋଗବଶତଃ ଆଗାମୀ ନିର୍ବାଚନ ବେଳକୁ ବିଜେଡି ସରକାର ରାଜ୍ୟରେ ୧୯ ବର୍ଷ ପୁରଣ କରିଥିବ । ଆଉ ମହାପ୍ରଭୁଙ୍କର ନବକଳେବର ମଧ୍ୟ ୧୯ ବର୍ଷରେ ହୋଇଥାଏ । ସେଦୃଷ୍ଟିରୁ ଏହି ଶଦ୍ଦ ଆଧାରରେ ବିଜେପି ରାଜନୈତିକ ସଫଳତା ହାସଲ କରିବାକୁ ଉଦ୍ୟମ କରିଥାଇପାରେ । ରାଜ୍ୟ ସରକାରଙ୍କ ସ୍ଥାଣୁତା ଆଉ ଅପାରଗତାକୁ ବାରମ୍ବାର ସମାଲୋଚନା କରିଆସୁଥିବା ବିଜେପି ପଂଚାୟତ ନିର୍ବାଚନ ପରେ ହଠାତ କ୍ରିୟାଶୀଳ ହୋଇଛି ଆଉ ରାଜନୈତିକ ନବକଳେବରର କଥା କହୁଛି ।

ଗଣତନ୍ତ୍ରରେ ବିରୋଧୀ ଦଳ ଶକ୍ତିଶାଳୀ ହେବା ଭଲ କଥା, କାରଣ ଏହାଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ମଧ୍ୟ ହୋଇପାରିବ । ଅତୀତରେ ବିଜୁ ଜନତା ଦଳ ଯେଭଳି କାମ କରୁଥିଲା ଏବେ ତାଠାରୁ ଅଧିକ କ୍ରିୟାଶୀଳ ହୋଇଛି । ନୁଆ ନୁଆ ଯୋଜନାମାନ ଘୋଷଣା ସହ ଅନେକ ପ୍ରକଳ୍ପର ମଧ୍ୟ ଉଦଘାଟନ ହେଉଛି, ଯାହା କିଛି ଦିନ ଧରି ଅଟକି ଯାଇଥିଲା । ଏଥିରେ ରାଜ୍ୟର ସାଧାରଣ ଜନତାଙ୍କ ବିକାଶ ହେଉଛି ।

ତେବେ ନବକଳେବର ଶଦ୍ଦର ପ୍ରୟୋଗ ଯେଭଳି କରାଯାଉଛି, କେଉଁଠି ନା କେଉଁଠି ମନରେ ଦ୍ୱନ୍ଦ୍ୱ ବା ସନ୍ଦେହ ତିଆରି ହେଉଛି ଯେ, ବିଜେପି ୟୁପି ଫର୍ମୁଲା ଏଠି ଆପଣାଇବାକୁ ଚେଷ୍ଟା କରୁନାହିଁ ତ? ଅବଶ୍ୟ ଓଡିଶାରେ ଜାତିଗତ ସମୀଖରଣ ଭୋଟ ରାଜନୀତିରେ ସେତେଟା ପ୍ରଭାବ ପକାଏ ନାହିଁ । ହେଲେ ଶାନ୍ତିପ୍ରିୟ ଓଡିଶାରେ ଏହା ଭିନ୍ନ ଏକ ଦିଗକୁ ସୁଚାଉନାହିଁ ତ? ବନବାସ ଶଦ୍ଦକୁ ବ୍ୟବହାର କରି ବିଜେପି ୟୁପିରେ କ୍ଷମତାକୁ ଆସିବା ଭଳି ନବକଳେବର ଶଦ୍ଦକୁ ପ୍ରୟୋଗ କରି ବିଜେପି ଶାସନ ଗାଦିକୁ ଆସିବାକୁ ପ୍ରୟାସ କରୁଛି । ତେବେ ରାଜନୀତିରେ ଧାର୍ମିକ ଭାବନାକୁ ବ୍ୟବହାର କରିବା ଆଉ ନବକଳେବର ଶଦ୍ଦକୁ ପ୍ରୟୋଗ କରିବା ବିଜେପିକୁ ଫାଇଦା ଦେବ ନା କ୍ଷତି କରିବ ତାହା ତ ସମୟ କହିବ, କିନ୍ତୁ ରାଜନୀତିରେ ଶଦ୍ଦର ଖେଳ କିନ୍ତୁ ଦମଦାର ହୋଇଛି ।

 ‘ବନବାସ ଶଦ୍ଦକୁ ବ୍ୟବହାର କରି ବିଜେପି ୟୁପିରେ କ୍ଷମତାକୁ ଆସିବା ଭଳି ନବକଳେବର ଶଦ୍ଦ ପ୍ରୟୋଗ କରି ବିଜେପି ଶାସନ ଗାଦିକୁ ଆସିବାକୁ ପ୍ରୟାସ କରୁଛି ‘।