ନିର୍ବାଚନ ପୂର୍ବରୁ ରଙ୍ଗୀନ ହେଉଛି ରେଙ୍ଗାଲି ରାଜନୀତି! ପ୍ରତି ଦଳରେ ପୁଳାପୁଳା ଆଶାୟୀ ପ୍ରାର୍ଥୀ, କାହାକୁ ଭରସା କରିବେ ଦଳପତି?

119

କନକ ବ୍ୟୁରୋ : ରେଙ୍ଗାଲି ରଣଭୂମିରେ ବିଜୟ ବାନା ଉଡାଇବା ଚଳିତ ଥର ପ୍ରାର୍ଥୀଙ୍କ ପାଇଁ ଏତେ ସହଜ ହେବ ନାହିଁ । ନିର୍ବାଚନ କ୍ଷେତ୍ର ପୁର୍ନଗଠନ ପରେ  ୨୦୦୯ରେ ଗଠିତ ସମ୍ବଲପୁର ଜିଲ୍ଲା ରେଂଗାଲି ନିର୍ବାଚନମଣ୍ଡଳୀର ଭୌଗଳିକ ସ୍ଥିତି ବଡ଼ ବିଚିତ୍ର। ରେଂଗାଲି ବ୍ଲକ, ଧନକଉଡ଼ା ବ୍ଲକ ସମେତ ମାନେଶ୍ବର ବ୍ଲକ୍ର ୫ଟି ଗ୍ରାମ ପଞ୍ଚାୟତ ଓ ସମ୍ବଲପୁର ମହାନଗର ନିଗମର ୧୦ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ରେଙ୍ଗାଲ ଶିଳ୍ପାଞ୍ଚଳ, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଇବ୍ ନଦୀ, ଭେଡେନ ନଦୀ ଓ ମହାନଦୀ ଭିତରେ ଥିବା କୁଦ ଆଦି ରହିଛି। ଏହି ନିର୍ବାଚନମଣ୍ଡଳୀରେ ପାଣି ଅଛି କିନ୍ତୁ ଚାଷୀ ଜଳସେଚନରୁ ବଞ୍ଚିତ। ଶିଳ୍ପ ଅଛି କିନ୍ତୁ ଯୁବଗୋଷ୍ଠୀକୁ ନିଯୁକ୍ତି ନାହିଁ। ପ୍ରଦୂଷଣରେ ଅଣନିଶ୍ବାସୀ ଅଞ୍ଚଳବାସୀ। ଏସବୁ ଭିତରେ ରାଜନୈତିକ ଛକାପଞ୍ଝାରେ ବି ପଛରେ ପଡ଼ି ନାହିଁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଏହି ଆସନ।

୨୦୦୯ରେ ନୂଆକରି ଗଠନ ହୋଇଥିବା ଏହି ଆସନରେ ଡେବ୍ୟୁ ମ୍ୟାଚରେ ବିଜୟ ବାନା ଉଡାଇଥିଲା କଂଗ୍ରେସ । ନବୀନଙ୍କ ଲୋକପ୍ରିୟତା ଥିବା ସତ୍ତେ୍ୱ ମଧ୍ୟ ଏଠାରେ ୨୦୦୯ରେ କଂଗ୍ରେସର ଦୁର୍ଯ୍ୟୋଧନ ଗର୍ଡିଆଙ୍କୁ ପ୍ରଥମଥର ପାଇଁ ବିଧାୟକ ଭାବେ ବାଛିଥିଲେ ରେଙ୍ଗାଲିବାସୀ । ଖାସକରି ଉଭୟ ବିଜେଡି ଓ ବିଜେପିର ଦୁଇ ବିଦ୍ରୋହୀ ପ୍ରାର୍ଥୀ ଛିଡା ହେବାରୁ ଏହା ଉଭୟ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଆଉ ବେଶ ସହଜରେ କଂଗ୍ରେସ ଏହି ଆସନରେ ବାଜି ମାରିନେଇଥିଲା । ତେବେ ୨୦୧୪ରେ ବାଜି ସମ୍ପୂର୍ଣ୍ଣ ପଲଟିଯାଇଥିଲା । ସ୍ୱାଧୀନ ପ୍ରାର୍ଥୀ ମୈଦାନରୁ ହଟିଯିବା ପରେ କଂଗ୍ରେସ ବ୍ୟାକଫୁଟକୁ ଚାଲି ଆସିଥିଲା । ୨୦୧୪ର ଲଢେଇ ବିଜେପି ଓ ବିଜେଡି ମଧ୍ୟରେ ହୋଇଥିବା ବେଳେ ଏହି ଆସନରେ ପ୍ରଥମ ଥର ଶଙ୍ଖ ଫୁଙ୍କି ବିଜେଡି ବିଜୟର ଶୁଭାରମ୍ଭ କରିଥିଲେ ରମେଶ ପଟୁଆ । କଡା ମୁକାବିଲାରେ ମାତ୍ର ୧୮୩୦ ଭୋଟରେ ବିଜେପିର ନାଉରୀ ନାୟକ ପରାସ୍ତ ହୋଇଥିବା ଏଠାରେ ପଦ୍ମ ଫୁଟିବା ଆଶା ମଉଳିଥିଲା ।

୨୦୧୪ରୁ ୨୦୧୯ । ଏହା ମଧ୍ୟରେ କଳ କାରଖାନାର ଅନେକ ଧୂଆଁ ରେଂଗାଲି ଆକାଶକୁ ଧୂମିଳ କରି ସାରିଛି। ଛାୟା ବିଧାୟକଭାବେ ପରିଗଣିତ ରମେଶଙ୍କ ରାଜନୈତିକ ଗୁରୁ ତଥା ଅଞ୍ଚଳର ଜଣାଶୁଣା ବିଜେଡି ନେତା ଏମବି ପ୍ୟାରୀରାଜଙ୍କର ପରଲୋକ ହୋଇ ଯାଇଛି। ଏହି ନିର୍ବାଚନମଣ୍ଡଳୀରେ ପ୍ରଭାବ ରଖୁଥିବା ପଡ଼ୋଶୀ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ୍ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ପଟୁଆ ମଧ୍ୟ ଜାତି ବିବାଦରେ ଛନ୍ଦି ହୋଇଛନ୍ତି ଓ ଅଦାଲତରେ ମାମଲା ଚାଲିଛି। କିଛି ପୁରୁଣା ଓ କିଛି ନୂଆ ମୁହଁ ବିଜେଡି ଟିକଟର ଦାବିଦାର ଭାବେ ମୁଣ୍ଡ ଟେକିଛନ୍ତି।

ସରଳ ସ୍ୱଭାବ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ବିଧାୟକ ରମେଶ ପଟୁଆ ଲୋକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜନୀତିରେ ସେତେଟା ପ୍ରଭାବ ବିସ୍ତାର କରିପାରିନାହାନ୍ତି । ଯାହାର ଫାଇଦା ନେବାକୁ ଏବେ ଅନ୍ୟ ଆଶାୟୀ ମାନେ ଅଣ୍ଟା ଭିଡିଛନ୍ତି । ତେବେ ନୂଆ ନୂଆ କରି ଦଳରେ ମିଶିଥିବା ନବ ଦାସଙ୍କ କ୍ୟାମ୍ପରେ ସାମିଲ ହେବା ପରେ ରମେଶଙ୍କ ପାଇଁ କିଛି ମାତ୍ରାରେ ସଙ୍କଟ ଟଳିଛି । ନବ ଦାସଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ସେୟାର କରିବା ସହ ତାଙ୍କ ସାହାରାରେ ନିର୍ବାଚନ ବୈତରଣୀ ପାର କରିବାକୁ ଅଙ୍କ କଷୁଛନ୍ତି ରମେଶ । ସେହିଭଳି କଂଗ୍ରେସରୁ ସଦ୍ୟ ବହିଷ୍କୃତ ହୋଇଥିବା ମୋତିଲାଲ ତନ୍ତୀ ବି ନବଙ୍କ ଆଶୀର୍ବାଦରୁ ବିଜେଡି ଟିକଟ୍ ପାଇପାରନ୍ତି ବୋଲି ଆଲୋଚନା ହେଉଛି। ଅପର ପକ୍ଷରେ ଗତ ଏକ ବର୍ଷ ମଧ୍ୟରେ ଯୁବ ଇଂଜିନିୟର ଦିଲୀପ ଦୁରିଆ ଏହି ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକଟର ଆଉ ଜଣେ ଦାବିଦାରଭାବେ ମୁଣ୍ଡ ଟେକିଛନ୍ତି। ନିର୍ବାଚନମଣ୍ଡଳୀ ଅଞ୍ଚଳରେ ହେଉଥିବା ଅଧିକାଂଶ ଦଳୀୟ କାର୍ଯ୍ୟକ୍ରମର ସେ ନେତୃତ୍ବ ନେଉଛନ୍ତି। ଏହାଛଡ଼ା ଦଳର ଜଣେ ଶୃଂଖଳିତ ନେତାଭାବେ ଗାନ୍ଧୀ ବେହେରା ମଧ୍ୟ ଟିକଟର ଦାବିଦାର ରହିଛନ୍ତି। ସେହିପରି ହରିଶଂକର ବେହେରା, ସୁବାସ ସିଂହ, ପ୍ରମୋଦ ସୁନା ପ୍ରମୁଖ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ବିଜେପି କର୍ମୀ । ପଞ୍ଚାୟତ ନିର୍ବାଚନରେ ଦଳ ଏଠାରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ଓ ବିଜେଡିକୁ ଲାଗିଥିଲା ବଡ ଝଟକା । ଏହି ଫଳାଫଳକୁ ନେଇ ଉତ୍ସାହିତ ଥିବା ଯୋଦ୍ଧାଙ୍କୁ ନେଇ ମୈଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ତେବେ ଦଳର ସାରଥୀ କିଏ ହେବ ତାହା ଏବେ ପର୍ଯ୍ୟନ୍ତ ସସପେନ୍ସରେ ରହିଛି । ଗତ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିବା ବିଜେପିର ନାଉରୀ ନାୟକ ରେଙ୍ଗାଲିରେ ଦଳର ସେନାପତି ହୋଇ ଯୁଦ୍ଧ ମୈଦାନକୁ ଓହ୍ଲାଇବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ନାଉରୀଙ୍କ ସହ ରେଙ୍ଗାଲି ରଣଭୂମିରେ ଦଳର ସେନାପତି ସାଜିବାକୁ ହରିହର ମହାନନ୍ଦ ମଧ୍ୟ ଉଦ୍ୟମ  ଆରମ୍ଭ କରିଛନ୍ତି । ମହାନନ୍ଦ ନିର୍ବାଚନମଣ୍ଡଳୀ ବୁଲିବା ସହ ନିଜର ସାଙ୍ଗଠନିକ ସ୍ଥିତି ବଢାଉଥିବା ବେଳେ ଏହା ନାଉରୀ ନାୟକଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଏହାଛଡ଼ା ୨୦୦୯ରେ ଦଳୀୟ ପ୍ରାର୍ଥୀ ହୋଇଥିବା ଦେବାନନ୍ଦ ଭୋସାଗର, ଶ୍ରୀପତି ଷଣ୍ଢ ପ୍ରମୁଖ ଦୌଡ଼ରେ ରହିଛନ୍ତି।

ଏସବୁ ଭିତରେ କଂଗ୍ରେସ ପୁଣିଥରେ ଏହି ଆସନରେ କମବ୍ୟାକ୍ କରିବାକୁ କସରତ କରୁଛି । ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ  ପୁଣିଥରେ ଏହି ଆସନରୁ ଲଢିବାକୁ ମନ ବଳାଇଥିବା ବେଳେ ତାଙ୍କୁ ମଧ୍ୟ ଦଳ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିଥିବା କହି ବୁଲୁଛନ୍ତି ତାଙ୍କର ସମର୍ଥକ । ତେବେ ଦୁର୍ଯ୍ୟୋଧନଙ୍କ ବ୍ୟତୀତ ବାଳକୃଷ୍ଣ ରୋହିଦାସ, ତପସ୍ୟା ମହାନନ୍ଦଳ ସଞ୍ଜୟ ଛୁରିଆ, ପ୍ରମୋଦ ଛୁରିଆ ପ୍ରମୁଖ ମଧ୍ୟ ଟିକେଟ ଆଶାୟୀ ରହିଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ରେଙ୍ଗାଲିରେ କଂଗ୍ରେସରେ ନେତା କମ କର୍ମୀ ଅଧିକ ଥିବା ଭଳି ମନେ ହେଉଛି । କାରଣ ଏହି ଆସନରେ କଂଗ୍ରେସ ଟିକେଟରେ ଲଢିବାକୁ ପ୍ରାୟ ୨୦ ଜଣ ଆଶାୟୀ ଆବେଦନ କରିଛନ୍ତି । ଯାହା କଂଗ୍ରେସ କମାଣ୍ଡରଙ୍କ ଚିନ୍ତା ବଢାଇଦେଇଛି । ରେଙ୍ଗାଲି ପାଇଁ କାହାକୁ ବାଛିବେ କାହାର ଟିକେଟ କାଟିବେ ତାହାକୁ ନେଇ କଂଗ୍ରେସ ଦଳପତି ଦ୍ୱନ୍ଦରେ ରହିଛନ୍ତି । କାରଣ ୨୦୦୯ରେ ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଏହି ଆସନରେ ବିଜୟ ବାନା ଉଡାଇ ଆସିଥବା ବେଳେ ଏବେ କଂଗ୍ରେସ ପାଇଁ ମଧ୍ୟ ସମାନ ସମସ୍ୟା ଉପୁଜିଛି । ତେଣୁ ରେଙ୍ଗାଲି ରଣଭୂମିରେ ଜନତା କାହାକୁ ବିଜୟ ସୂଚକ ଭୋଟ ଦେଇ ବିଜୟଟୀକା ପିନ୍ଧାଇବେ ତାହା ଦେଖିବା ବାକି ରହିଲା ।