ୟୁଟ୍ୟବରୁ ହଟିଲା ଅଭିନନ୍ଦନଙ୍କ ସଂପର୍କିତ ଭିଡିଓ, ଡିଲିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତ ସରକାର

237

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗତକାଲି ପାକିସ୍ତାନ ସେନା ଗିରଫ କରିନେଥିଲା । ଆଉ ଗିରଫ ପରେ ତାଙ୍କୁ ପ୍ରବଳ ମାଡ ଦିଆଯାଉଥିବା ଓ ସେ ରକ୍ତାକ୍ତ ହୋଇପଡିଥିବା କେତେକ ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଥିଲା । ଆଉ ତା’ପରେ ସେ ଚା ପିଉଥିବା ଏକ ଭିଡିଓ ମଧ୍ୟ ଆସିଥିଲା । ଏହାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା । ଭାରତ ସରକାର ୟୁଟ୍ୟୁବକୁ ଏସବୁ ଭିଡିଓ ହଟାଇବାକୁ କହିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ୟୁଟ୍ୟୁବ ପକ୍ଷରୁ ଏସବୁ ଭିଡିଓକୁ ହଟାଇଦିଆଯାଇଛି ।

ସରକାରଙ୍କ ଠାରୁ ଅନୁରୋଧ ଆସିବା ପରେ ତୁରନ୍ତ ଏସବୁ ଭିଡିଓକୁ ଡିଲିଟ କରାଯାଇଥିଲା ବୋଲି ୟୁଟ୍ୟୁବ ଚଳାଉଥିବା କମ୍ପାନି ଗୁଗୁଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଅଭିନନ୍ଦନଙ୍କୁ ଛାଡିବାକୁ ଆଜି ପାକିସ୍ତାନ ରାଜି ହୋଇଛି । ଗତ କାଲି ସେ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ନିୟନ୍ତ୍ରଣ ରେଖା ସେପଟେ ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ । କିନ୍ତୁ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ ।