ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି : ରାଜ୍ୟର ବିଭିନ୍ନ ସ୍ଥାନରୁ ହଟିଲା ନେତାଙ୍କ ଫଟୋ ଥିବା ସରକାରୀ ବିଜ୍ଞାପନ
କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ ଆୟୋଗ ଗତକାଲି ସଂଧ୍ୟାରେ ଆସନ୍ତା ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା ତାହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହଟାଇ ଦିଆଯାଇଛି। ରାଜଧାନୀ ଓ ଏହା ଉପକଣ୍ଠରେ ଥିବା ବିଭିନ୍ନ ସ୍ଥାନରେ ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଏହି ହୋର୍ଡିଂ ଉଚ୍ଛେଦ କାର୍ୟ୍ୟ ଜାରି ରହିଛି। ସେହିପରି ଜୟଦେବ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ନେତାଙ୍କ ମାଳମାଳ ହୋର୍ଡିଂ, ବ୍ୟାନର୍ ଓ ପୋଷ୍ଟର ଉଚ୍ଛେଦ କରାଯାଇଛି। ଉଭୟ ବାଲିଅନ୍ତା ତହସିଲଦାର ଓ ବିଡିଓ ଦାୟିତ୍ବରେ ଥିବା ରଶ୍ମିରେଖା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ୯ଟିଯାକ ରାଜସ୍ବ ସର୍କଲ ଅଧୀନ ବିଭିନ୍ନ ପଞ୍ଚାୟତ, ବ୍ଲକ ଓ ତହସିଲ କାର୍ୟ୍ୟାଳୟ ସମେତ ସ୍କୁଲ, କୃଷି କାର୍ୟ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ୟ୍ୟାଳୟ ପରିସରରୁ ନେତାଙ୍କ ହୋର୍ଡିଂ, ବ୍ୟାନର ଓ ପୋଷ୍ଟରଗୁଡ଼ିକ ଉଚ୍ଛେଦ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ତହସିଲଦାରଙ୍କ ସୂଚନାନୁଯାୟୀ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ନେଇ ସୂଚନା ପାଇବା କ୍ଷଣି ସର୍ବପ୍ରଥମେ ବାଲିଅନ୍ତା ତହସିଲ କାର୍ୟ୍ୟାଳୟ ଓ ବାଲିଅନ୍ତା ପଞ୍ଚାୟତ ସମିତି ପରିସରରୁ ନେତାଙ୍କର ବ୍ୟାପକ ବ୍ୟାନର୍ ଓ ହୋର୍ଡିଂ ଓ ପୋଷ୍ଟର ଉଚ୍ଛେଦ ହୋଇଛି। ପ୍ରତାପଶାସନ ପଞ୍ଚାୟତ ଅଧୀନ ରାଜସ୍ବ ନିରୀକ୍ଷକ କାର୍ୟ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ସାମନା, ଭାର୍ଗବୀ ନଦୀ ବ୍ରିଜଠାରେ ଲାଗିଥିବା ମନ୍ତ୍ରୀଙ୍କ ଅଭିନନ୍ଦନ ହୋର୍ଡିଂଗୁଡ଼ିକ ଉଚ୍ଛେଦ ହୋଇଛି। ଅପରପକ୍ଷେ ବାଳକାଟିରେ ବ୍ୟାନର୍ ଓ ହୋର୍ଡ଼ିଂ ଚିରିବାକୁ କେନ୍ଦ୍ର କରି ରାଜନୈତିକ ଗୋଷ୍ଠୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପିସିଆର ଭ୍ୟାନ ସେଠାରେ ପଇଁତରା ମାରୁଛି।
ସୂଚନା ଅନୁଯାୟୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର କେଉଁ ସରକାରୀ ଓ ସର୍ବସାଧାରଣ କାର୍ୟ୍ୟାଳୟ, ୱେବସାଇଟରେ ନେତାମାନଙ୍କର ଫଟୋ, ହୋର୍ଡିଂ ଲାଗିଛି ତାହାକୁ ଚିହ୍ନଟ କରିଛନ୍ତି। ଏହାର ଏକ ଡାଟାବେସ୍ ପ୍ରସ୍ତୁତ ହୋଇଛି। ଏହାସହ ପ୍ରତ୍ୟେକ ବିଭାଗ ଏନେଇ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ରାଜ୍ୟ, ଜିଲ୍ଲା, ସବ୍ଡିଭିଜନ, ବ୍ଲକ ଏବଂ ପଞ୍ଚାୟତସ୍ତରରେ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାର କମିସନର ଓ ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ସୋମବାର ସଂଧ୍ୟା ସୁଦ୍ଧା ସମସ୍ତ ହୋର୍ଡିଂ ଉଚ୍ଛେଦ କରିବାକୁ କୁହାଯାଇଛି। ଗତକାଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ଲାଗିଥିବା ହୋର୍ଡିଂକୁ ଚିରାଯାଇଛି।
ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ
ନିର୍ବାଚନ ବିଗୁଲ ବାଜି ସାରିଛି। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗତକାଲି ବିଭିନ୍ନ ନୋଡାଲ ଅଫିସରଙ୍କ ସହ ଆଲେଚାନା କରିଛନ୍ତି। ପୂର୍ବ ବର୍ଷମାନଙ୍କ ଭଳି ଯେଭଳି ନିର୍ବାଚନ ଶୃଙ୍ଖଳିତ ହେବ ସେ ନେଇ ଅଧିକାରୀଙ୍କ ପ୍ରକୋଷ୍ଠରେ ଆଲୋଚନା ହୋଇଛି। ସିଏପିଏଫ୍, ପୁଲିସ(ଆଇନ ଶୃଙ୍ଖଳା ଓ ଫୋର୍ସ ମୁତୟନ), ପରିବହନ ପ୍ରଭୃତି ନୋଡାଲ ଅଫିସରଙ୍କ ସହ ପ୍ରସ୍ତୁତ ହୋଇଥିବା ଯୋଜନାର ତର୍ଜମା କରାଯାଇଛି। କେଉଁଠି କେତେ ଫୋର୍ସ ରହିବେ, ଉତ୍ତେଜନା ପ୍ରବଣ ବୁଥ୍, ‘ହଠାତ୍ ଉତ୍ତେଜନା ହେବା’ ଭଳି ସ୍ଥାନ ଚିହ୍ନଟ, ଇଭିଏମ୍ ଭିଭିପାଟ୍ ସୁରକ୍ଷିତ ସ୍ଥାନାନ୍ତର ପ୍ରଭୃତିକୁ ନେଇ ପ୍ରସ୍ତୁତ ଯୋଜନାକୁ ଚୂଡ଼ାନ୍ତ କରାଯାଇଛି। ଏହାକୁ ଜାତୀୟ ନିର୍ବାଚନ ଆୟୁକ୍ତଙ୍କ ନିକଟକୁ ପଠାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ପୂର୍ବରୁ ତିନୋଟି ରାଜ୍ୟକୁ ନେଇ ରାଜ୍ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇସାରିଛି। ଏ ବାବଦରେ ଗୁଇନ୍ଦା ଓ ଅନ୍ୟାନ୍ୟ ଆଶା ଆଶଙ୍କା ସମ୍ବନ୍ଧରେ ମଧ୍ୟ ଆୟୁକ୍ତଙ୍କୁ ଅବଗତ କରାଯାଇଛି।