ଦେଶରେ ଦେଖାଦେଇଛି ଅର୍ଥନୈତିକ ଅଚଳାବସ୍ଥା ! ଲୁଣ ଓ ଚିନି ନ’ମିଳିବା ନେଇ ସୃଷ୍ଟି ହେଲା ଗୁଜବ

34

କନକ ବ୍ୟୁରୋ : ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ପରେ ଦେଶରେ ଏକ ପ୍ରକାର ଅର୍ଥନୈତିକ ଅଚଳାବସ୍ଥା ଦେଖାଦେଇଛି । ଖୁଚୁରା ଟଙ୍କା ନଦେବା ପାଇଁ ବ୍ୟବସାୟୀମାନେ ମିଥ୍ୟା ଗୁଜବର ଅପପ୍ରଚାର କରୁଛନ୍ତି । ବଜାରରେ ଛୋଟ ନୋଟ୍ ଅଭାବ ଦେଖା ଦେଇଥିବାରୁ ଏହାର ସୁଯୋଗ ନେଇ ଦେଶର ଅନେକ ସ୍ଥାନରେ ଅସାଧୁ ବ୍ୟବସାୟୀମାନେ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ।

ବଜାରରେ ଲୁଣ ଓ ଚିନି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ ବୋଲି କଳାବଜାରୀମାନେ ଗୁଜବ ସୃଷ୍ଟି କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ବଜାରରୁ ଲୁଣ ଓ ଚିନିକୁ ଚଢ଼ା ଦାମରେ କିଣୁଥିବାର ଦେଖାଦେଇଛି ।

ୟୁପି, ଦିଲ୍ଲୀ , ଓ ଉତରାଖଣ୍ଡର କେତେକ ସ୍ଥାନରେ ଏହି ଗୁଜବ ଯୋଗୁଁ ଲୁଣକୁ ଚଢ଼ା ଦାମରେ କିଣିଛନ୍ତି ସ୍ଥାନୀୟ ଲୋକେ । ପରିସ୍ଥିତି ଏପରି ହୋଇଛି ୟୁପିର କେତେକ ସହରରେ ଲୋକମାନେ ଲୁଣ କିଲୋକୁ ୨୦୦ ଟଙ୍କାରୁ ଅଧିକ ଦାମରେ କିଣୁଥିବାର ଖବର ମିଳିଛି । ତେବେ ଏହା ଗୁଜବ, ଏଥିରେ ପ୍ରଭାବିତ ନହେବାକୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି ।