ଶ୍ମଶାନ ଗଲା ସମ୍ପତି ହେଲା ! ସ୍ୱର୍ଗଦ୍ୱାର ଜମିରେ ବଡ ବଡିଆଙ୍କ ବଡ ହୋଟେଲ

184

କନକ ବ୍ୟୁରୋ : କୋଟିକୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାର । ହେଲେ ଏହି ଶ୍ମଶାନରେ ବଡବଡିଆଙ୍କ ପ୍ରାସାଦ । ଜଗନ୍ନାଥଙ୍କ ଜମି ଜବରଦଖଲରେ ରଖିଥିବା କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା, ଗତକାଲି ଆମେ ଆପଣଙ୍କ ସାମ୍ନାରେ ରଖିଥିଲୁ । ଧୀରେ ଧୀରେ ଖୋଲୁଛି ଜାଲିଆତିର ଦସ୍ତାବିଜ । ଶ୍ମଶାନ ଜମିକୁ ଦଖଲକୁ ନେଇ ସଂପତି ବଢାଇଛନ୍ତି ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ । ସ୍ୱର୍ଗଦ୍ୱାରକୁ ଲାଗି ଗଢି ଉଠିଛି ହୋଟେଲ, ଗେଷ୍ଟ ହାଉସ ଓ ବିଦେଶୀ ମଦ ଦୋକାନ । ଆଉ ସେଥିପାଇଁ ସଂପ୍ରସାରଣକୁ ହେଉଛି ବିରୋଧ । ଯାହା ପ୍ରତିବାଦରେ ବି ଦାନା ବାନ୍ଧିଲାଣି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲେଣି ପୁରୀ ସହରର ସଚେତନ ନାଗରିକ । ଏବେ ନଜର ପକାନ୍ତୁ ସ୍ୱର୍ଗଦାରର କିଏ ସେହି ଯମରାଜ  ।

ହୋଟେଲ ଅମ୍ବର ଓ ଫରେନ୍ ଲିକର ସପ୍
ପୁରୀ ପୌରାଧ୍ୟକ୍ଷ ଜୟନ୍ତ ଷଡଙ୍ଗୀଙ୍କ ସଂପର୍କୀୟଙ୍କ ନାଁରେ ଅଛି ହୋଟେଲ ଓ ମଦ ଦୋକାନ
ଜୟନ୍ତଙ୍କ ସଂପର୍କୀୟ ଶ୍ୟାମସୁନ୍ଦର ଷଡଙ୍ଗୀଙ୍କ ନାଁରେ ରହିଛି ଜମି
ପ୍ଲଟ୍ ନଂ ୧୪୫୨ରେ ଅଛି ୧ଏକର ୪୨୬ଡେସିମିଲ ଜମି
ବେଆଇନ ଦଖଲରେ ଅଛି ୩୩୩ ଡେସିମିଲ ଜମି

ହୋଟେଲ ତ୍ରମୂର୍ତ୍ତିି
ପୁରୀ ପୌରପରିଷଦର କାଉନସିଲର ନରସିଂହ ସାହୁଙ୍କ ନାଁରେ ହୋଟେଲ
୧୪୬୮/୧୭୩୫ ପ୍ଲଟରେ ଅଛି ୨୦ ଡେସିମିଲ ଜମି

‘ବାବା ଭବନ’ ଗେଷ୍ଟ ହାଉସ୍
ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ନାଁରେ ଗେଷ୍ଟ ହାଉସ
ପ୍ରେମାନନ୍ଦ ଓ ଦେବାନନ୍ଦଙ୍କ ନାଁରେ ରହିଛି ୨ଟି ପ୍ଲଟ
୧୪୬୬/୧୬୧୮ ପ୍ଲଟରେ ଅଛି ୩୦ ଡେସିମିଲ ଜମି
୧୪୬୭ ନମ୍ବର ପ୍ଲଟରେ ଅଛି ୨୫ ଡେସିମିଲ ଜମି

ପୁରୀ ପୌର ପରିଷଦକୁ ସ୍ୱର୍ଗଦ୍ୱାର ଶ୍ମଶାନର ବିକାଶ କରିବା ପାଇଁ ଦିଆଯାଇଥିବା ୧ ଏକର ଜମିରୁ ୫୩୫ ଡେସିମିଲ ଚଂଚକତା କରି ହଡପ କରିଛନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ଜୋର ଧରିଲାଣି ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଛନ୍ତି ସଚେତନ ନାଗରିକ ।

ସ୍ୱର୍ଗଦ୍ୱାରର ପୂର୍ବ ଓ ପଶ୍ଚିମ ପଟୁ ଆରମ୍ଭ କରି ଚୈତନ୍ୟ ମହାପ୍ରଭୁଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ଶ୍ମଶାନକୁ ଲାଗି ଥିବା ହୋଟେଲ, ଲଜିଂ, ମାର୍କେଟ କଂପ୍ଲେକ୍ସ ଓ ବିଦେଶୀ ମଦଦୋନକୁ ଉଚ୍ଛେଦ କରି ଏହି ସଂପ୍ରସାରଣ କରାଯିବ । ବେଆଇନ ଦଖଲରେ ଥିବା ଏସବୁ ଜମିର ମାଲିକାନା ନେଇ ପିକେଡିଏକୁ ତଥ୍ୟ ଦେଇସାରିଛନ୍ତି ପୁରୀ ତହସିଲଦାର । ବର୍ତମାନ ସ୍ୱର୍ଗଦ୍ୱାରର ସଂପ୍ରସାରଣ ବାବଦକୁ ପାଖାପାଖି ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଜମି ଅଧିଗ୍ରହଣ ପାଇଁ ।

ଏହାରି ଭିତରେ ପ୍ରଶ୍ନ ଉଠିଛି ସ୍ୱର୍ଗଦ୍ୱାରର ଜମି ଜବର ଦଖଲ କରିଥିବା ଜମିକୁ କ୍ଷତିପୂରଣ ଦେଇ ନିଜ ଜମି ନିଜେ କିଣିବା ପାଇଁ ସରକାର ଉଦ୍ୟମ କରିବାର କାରଣ କଣ । ସ୍ୱର୍ଗଦ୍ୱାରକୁ ନେଇ ହୋଇଥିବା ଏହି ଜମି ଦୁର୍ନୀତିକୁ ପ୍ରଶାସନ କେଉଁ ପରିସ୍ଥିତିରେ ସହି ଆସୁଛି । କାହିଁକି ଏପର୍ଯ୍ୟନ୍ତ ପ୍ରଶ୍ନ ଉଠାଇ ନାହାନ୍ତି । ଅନେକ ଗୁଡ଼ିଏ ବିବାଦୀୟ ପ୍ରଶ୍ନର ଉତର ମିଳିପାରୁ ନାହିଁ । ଆଶା କରିବା ପୁରୀ ସହରର ତଥା ସ୍ୱର୍ଗଦ୍ୱାର ଜମି ଦୁର୍ନୀତ ଉପରୁ ପରଦା ଉଠିବ ।