ଶିଶୁକୁ ଦାନ୍ତ ସମସ୍ୟାରୁ ଦିଅନ୍ତୁ ମୁକ୍ତି । ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କିପରି ନେବେ ଯତ୍ନ ?

51

ଶିଶୁର ଯତ୍ନ ନେବା ବହୁତ କଷ୍ଟ । ମା’ମାନେ ଶିଶୁର ଯତ୍ନ ନେବାକୁ ଟିକେ ବି ଅବହେଳା କରିବାକୁ ଚାହାନ୍ତି ନାହିଁ । ହେଲେ ଏହି ଶିଶୁମାନଙ୍କ ଦାନ୍ତ ବିକାଶ ପାଂଚ, ଛଅସପ୍ତାହର ଗର୍ଭାବସ୍ଥାରୁ ଆରମ୍ଭ ହୋଇଥାଏ । ମା’ ଖାଉଥିବା ଖାଦ୍ୟରୁ କ୍ୟାଲସିୟମ, ଫସଫରସ, ଭିଟାମିନ ଆଦି ଦ୍ୱାରା ଗର୍ଭସ୍ଥ ଶିଶୁର ଦାନ୍ତ ଓ ହାଡ଼ ମଜଭୁତ ହୁଏ ।

ଏହି ସମୟରେ ଗର୍ଭଧାରିଣୀ ମା’ ପୁଷ୍ଟିସାରଯୁକ୍ତ ପରିବା ଓ ଫଳ ଖାଇବା ଉଚିତ । ଫ୍ଲୋରାଇଡଯୁକ୍ତ ପାନୀୟ ଶିଶୁର ଦାନ୍ତକୁ ଶକ୍ତ କରିଥାଏ । ଏହା ଦ୍ୱାରା ଦାନ୍ତ ପୋଲା ହୁଏ ନାହିଁ । ମା’ କ୍ଷୀର ଦାନ୍ତ ମଜଭୁତ କରିବାରେ ସହାୟତା କରିଥାଏ । କ୍ଷୀରରେ ଥିବା କ୍ୟାଲସିୟମ ଓ ଫ୍ଲୋରାଇଡ ଶିଶୁର ଦାନ୍ତକୁ ମଜଭୁତ କରାଏ ।

ଶିଶୁ ଜନ୍ମ ହେବାର ପ୍ରାୟ କୋଡିଏ ମାସ ପର୍ଯ୍ୟନ୍ତ ଦାନ୍ତ ଉଠିବା ସମୟ ଚାଲେ । ଏହି ସମୟରେ ଉଠୁଥିବା ଦାନ୍ତକୁ କ୍ଷୀର ଦାନ୍ତ କୁହାଯାଏ । ତେବେ, ଏହି ସମୟରେ ଦାନ୍ତର ସୁରକ୍ଷା ପାଇଁ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍ । ନମନୀୟ ଟୁଥ ବ୍ରସ ଦ୍ୱାରା ଶିଶୁର ଦାନ୍ତକୁ ହାଲୁକା ଭାବେ ଘଷି, ସଫା କରନ୍ତୁ । ଏହା ଦ୍ୱାରା ଶିଶୁର ମୁଖରୁ ଦୁର୍ଗନ୍ଧ ବାହାରିବ ନାହିଁ । ସକାଳ ଓ ସନ୍ଧ୍ୟାରେ ଦାନ୍ତ ସଫା ପାଇଁ ଶିଶୁଙ୍କୁ ଅଭ୍ୟାସ କରାନ୍ତୁ । ଖାଇ ସାରିବା ପରେ ଭଲ ଭାବେ କୁଳି କରି ସଫା କରନ୍ତୁ ।

ଦାନ୍ତର ସୁରକ୍ଷା ପାଇଁ ସବୁଜ ପନିପରିବା, ଫଳ, କ୍ଷୀର ଓ ଲହୁଣି ଖାଇବାକୁ ଦିଅନ୍ତୁ । ଶିଶୁଙ୍କୁ ଯଥେଷ୍ଟ ପରିମାଣରେ ପାଣି ପିଇବାକୁ ଦିଅନ୍ତୁ । ବର୍ଷକୁ ଦୁଇ ବା ତିନି ଥର ଜଣେ ଦାନ୍ତରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇ ଶିଶୁର ମାଢି ଓ ଦାନ୍ତ ପରୀକ୍ଷା କରାଇନିଅନ୍ତୁ । ଶିଶୁର ଦାନ୍ତରେ ଧଳା, କଳା, କିମ୍ବା ବାଦାମୀ ରଙ୍ଗର କୌଣସି ଚିହ୍ନ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଶିଶୁକୁ ଯେତେ ସମ୍ଭବ, କମ୍ ଚିନିଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଆଇସକ୍ରିମ, ଚକୋଲେଟ ଦେବା କମ୍ କରନ୍ତୁ ।