ବନ୍ୟା ବିପନ୍ନଙ୍କ ପାଖରେ ହେଲିକପ୍ଟର ଯୋଗେ ପହଂଚିଲା ରିଲିଫ୍ !

33

କନକ ବ୍ୟୁରୋ : ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚିବାରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଦୀର୍ଘ ସମୟ ଧରି ଅଟକି ରହିଥିବା ରିଲିଫ ସାମଗ୍ରୀ ପୁଣି କଲ୍ୟାଣସିଂହପୁର ଅଭମୁଖେ ଯାଇଛି । ହେଲିକପ୍ଟର ଯୋଗେ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଯାଇଛି । ଆକାଶମାର୍ଗରୁ ରିଲିଫ ବଂଟାଚାଲିଛି ।

ଲଗାତର ବର୍ଷା ଜାରି ରହିଥିବା ଯୋଗୁଁ କଲ୍ୟାଣସିଂହପୁର ବନ୍ୟା ବିପନ୍ନଙ୍କ ନିକଟରେ ଗତକାଲିଠାରୁ ରିଲିଫ ସାମଗ୍ରୀ ପହଂଚିପାରୁନଥିଲା । ରିଲିଫ ସାମଗ୍ରୀ ନେଇ ରାୟଗଡାରୁ କଲ୍ୟାଣସିଂହପୁର ଯାଉଥିବା ଗାଡି ଗୁଡିକ ଅଧାରାସ୍ତାରେ ଅଟକ ରହିଥିଲା । ଚାରିଆଡେ ପାଣି ଘେରି ରହିଥିବାରୁ ଗାଡି ଗୁଡିକ କଲ୍ୟାଣସିଂହପୁର ପର୍ଯ୍ୟନ୍ତ ଯାଇପାରୁନାହିଁ ।

ସେପଟେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟର ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । କର୍ମଚାରୀଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇନ୍ଦ୍ରାବତୀର ଜଳସ୍ତର ବୃଦ୍ଧି ପାଉଥିଲେ ସୁଦ୍ଧା ବର୍ତମାନ ଏହା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।