ଥଣ୍ଡାରୁ ମିଳିବ ଆଶ୍ୱସ୍ତି ! ଲାଗି ରହିବ କୁହୁଡି । ପାଣିପାଗ ବିଭାଗର ପୂର୍ବାନୁମାନ

29

କନକବ୍ୟୁରୋ : ଗତ ଦଶ ଦିନ ଧରି ଶୀତରେ ଆଉଟପାଉଟ ହେବା ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଆଗାମୀ ୨୧ ତାରିଖ ଯାଏ ଏଭଳି ସ୍ଥିତି ରହିବ ଥଣ୍ଡାରେ ସେମିତି କୌଣସି ପରିବର୍ତନ ହେବନି। ଗୋଟିଏରୁ ଦୁଇ ଡିଗ୍ରି କମ ବେଶି ହୋଇପାରେ। ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ପୂର୍ବଭଳି ୧୦ ଡିଗ୍ରି ଭିତରେ ରହିବ। ଦାରିଙ୍ଗବାଡ଼ି ଏବଂ ସୁନ୍ଦରଗଡ଼ରେ ବି ସମାନ ସ୍ଥିତି ରହିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି ଥଣ୍ଡାରୁ ଆଶ୍ୱସ୍ତି ମିଳିବାକୁ ଥିଲେ ମଧ୍ୟ ଘନ କୁହୁଡ଼ି ଆଉ ଦୁଇ ଦିନ ଜାରି ରହିବ। ଅଭ୍ୟନ୍ତରୀଣ ଅପେକ୍ଷା ଉପକୂଳ ଓଡ଼ିଶାରେ ଅଧିକ କୁହୁଡ଼ି ହେବ। କିଛି ସ୍ଥାନରେ ୫୦ରୁ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଖୋର୍ଧା, ନୟାଗଡ଼, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ରହିବ। ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହୋଇପାରେ।

ଗତ ୨୪ ଘଣ୍ଟାରେ ଦୁଇଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ୯ ଡିଗ୍ରି ରହିଥିବା ବେଳେ ହୀରାକୁଦରେ ୧୦.୧, କେନ୍ଦୁଝରଗଡ଼ରେ ୧୦.୨, ବଲାଙ୍ଗିରରେ ୧୦.୫, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୧୧, ସୋନପୁରରେ ୧୧.୬, ସମ୍ବଲପୁରରେ ୧୧.୭, ବାରିପଦା ଓ ଝାରସୁଗୁଡ଼ାରେ ୧୧.୫, ବାଲେଶ୍ୱରରେ ୧୧.୭, ଭବାନୀପାଟଣା ଓ ଢ଼େଙ୍କାନାଳରେ ୧୨, କଟକରେ ୧୨.୫, ଭୁବନେଶ୍ୱରରେ ୧୨.୯ ଡିଗ୍ରି ରହିଥିଲା। ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୨୯ ଓ ସର୍ବନିମ୍ନ ୧୪ ଡିଗ୍ରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।