ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି ! ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ସବୁ ଟୁର୍ଣ୍ଣାମେଂଟରେ ନେଇପାରିବେ ଭାଗ

26

କନକ ବ୍ୟୁରୋ : ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି । ଓଡିଆ ଦୌଡାଳୀ ଦୂତୀ ଚାନ୍ଦ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ସବୁ ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ । ଏଭଳି ସ୍ପଷ୍ଟିକରଣ ଦେଇଛି କ୍ୟାସ ବା କୋର୍ଟ ଅଫ ଆବିଟ୍ରେସନ୍ ଅଫ ସ୍ପୋର୍ଟସ । କ୍ୟାସ୍ ଅର୍ନ୍ତଜାତିକ ଦୌଡକୁଦ ସଂଘର ଅଭିଯୋଗକୁ ସ୍ଥଗିତ ରଖିଛି ଓ ଦୂତିଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ସେପ୍ଟେମ୍ବର ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଏହି ଦୁଇ ମାସ ସମୟ ମଧ୍ୟରେ ଦୂତୀ ସମସ୍ତ ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ । ଏହି ନିର୍ଦ୍ଦେଷକୁ ସ୍ୱାଗତ କରିଛନ୍ତି ଦୂତୀ ଓ ଆଗକୁ ବିଶ୍ୱ ଚମ୍ପିୟନସିପ୍ ଆସୁଥିବାରୁ ମୁଁ ଏହାକୁ ଫୋକସ୍ କରିପାରିବି ବୋଲି କହିଛନ୍ତି ଦୂତୀ ।

ଅନ୍ୟପଟେ ଯୋଗ୍ୟତା ଅର୍ଜନରେ ଅଳ୍ପକେ ବଞ୍ଚିତ ହୋଇଥିବା ଦୂତିଙ୍କୁ ମିଳିଯାଇଛି ବିଶ୍ୱ ଦୌଡ଼କୁଦ ସୁଯୋଗ। ଲଣ୍ଡନରେ ଅଗଷ୍ଟ ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କୁ ମିଳିଛି ବିଶେଷ ନିମନ୍ତ୍ରଣ । ଓ୍ଵାଇଲ୍ଡ କାର୍ଡ ପ୍ରବେଶ ଲାଗି ତାଙ୍କୁ ଆମନ୍ତ୍ରିତ କରାଯାଇଛି । ଚଳିତ ଋତୁରେ ଦୂତି ମେ ମାସ ୧୫ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଦେଇଥିବା ସମୟ ୧୧.୩୦ ସେକେଣ୍ଡ୍ ତାଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ଦେଇଛି ।

ବିଶ୍ୱ ପ୍ରତିଯୋଗିତାର ମହିଳା ୧୦୦ ମିଟରରେ ଆବଶ୍ୟକ ସଂଖ୍ୟକ (୫୬ ଜଣ) ଧାବିକା ନ ମିଳିବା ଫଳରେ ଦୂତିଙ୍କୁ ପ୍ରବେଶ ମିଳିଛି । ଚଳିତ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦରେ ୧୦୦ ମିଟର୍ ଦୌଡ଼ ଏବଂ ୧୦୦ ମିଟର୍ ରିଲେରୁ ଦୁଇଟି କାଂସ୍ୟ ପଦକ ଜିତିଥିଲେ । ହେଲେ ଗୁଣ୍ଟୁରରେ ଅନୁଷ୍ଠିତ ଅନ୍ତଃରାଜ୍ୟ ପ୍ରତିଯୋଗିତା ବେଳେ ଜ୍ୱରରେ ପୀଡ଼ିତ ହୋଇ ଦୌଡ଼ିବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ତାଙ୍କ ପୂର୍ବ କୃତିତ୍ୱ ଏବେ ତାଙ୍କ ପାଇଁ ବଡ଼ ସୁଯୋଗ ଆଣି ଦେଇଛି ।

ଫଳରେ ପ୍ରଥମ ଓଡ଼ିଆ ଭାବେ ୧୦୦ ମିଟରରେ ବିଶ୍ୱ ଯୋଗ୍ୟତା ଅର୍ଜନ କରିବା ସହିତ ରାଜ୍ୟ ଇତିହାସରେ ମାତ୍ର ଦ୍ୱିତୀୟ ବ୍ୟକ୍ତି ଭାବେ ବିଶ୍ୱ ପ୍ରତିଯୋଗିତା ଖେଳିବା ସୁଯୋଗ ପାଇଛନ୍ତି । ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଜଉନା ମୁର୍ମୁ ୪୦୦ ମିଟର୍ ରିଲେ ଦଳରେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ଫଳରେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ ଦେବଙ୍କ ନେତୃତ୍ୱରେ ଯାଉଥିବା ଭାରତୀୟ ଦଳରେ ପ୍ରଥମ ଥର ପାଇଁ ଦୁଇ ଓଡ଼ିଆଙ୍କ ଉପସ୍ଥିତି ରାଜ୍ୟ କ୍ରୀଡ଼ା ଦୁନିଆକୁ ନୂଆ ଶିଖରରେ ପହଞ୍ଚାଇ ଦେଇଛି ।

ଜୁଲାଇ ୯ ତାରିଖ ମଧ୍ୟରେ ଦୂତି ଦୌଡ଼ିଥିବା ଶ୍ରେଷ୍ଠ ୫ ଦୌଡ଼ ସମୟ ମଧ୍ୟରୁ ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଦେଇଥିବା ୧୧.୩୦ ସେକେଣ୍ଡ୍ ଚଳିତ ଋତୁର ଶ୍ରେଷ୍ଠ ଥିଲା । ୧୦୦ ମିଟର୍ ମହିଳା ଦୌଡ଼ର ବିଶ୍ୱ ମାନ୍ୟତା ଦୃଷ୍ଟିରୁ ଦୂତିଙ୍କୁ ଅନ୍ତର୍ଜାତୀୟ ଦୌଡ଼କୁଦ ସଂଘ (ଆଇଏଏଏଫ୍) ନିୟମ ଅନୁସାରେ ଏହି ସୁଯୋଗ ଦେଇଥିବା ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କିନ୍ତୁ ଏହି ସୁଯୋଗ ପ୍ରଦାନର ୧୨ ଘଣ୍ଟା ମଧ୍ୟରେ ଦୂତି ସବୁଜ ସଙ୍କେତ ନ ଦେଲେ ଏହା ଅନ୍ୟ କାହା ନିକଟକୁ ଚାଲିଯିବାର ଆଶଙ୍କା ଥିଲା। ଆମେ କିନ୍ତୁ ହଁ କହିଛୁ ବୋଲି ଭାରତୀୟ ଦୌଡ଼କୁଦ ସଂଘର ସଭାପତି ଆଦିଲ୍ ସୁମରିଓ୍ଵାଲ୍ ପ୍ରକାଶ କରିଛନ୍ତି। ଦୂତି ମଧ୍ୟ ଏହି ନିମନ୍ତ୍ରଣକୁ ତୁରନ୍ତ ଗ୍ରହଣ କରି ନେଇଛନ୍ତି ଏବଂ ରବିବାର ସେ ଭୁବନେଶ୍ୱରରୁ ଦିଲ୍ଳୀ ଗସ୍ତ କରିବା ପରେ ସେଠାରୁ ସୋମବାର ଲଣ୍ଡନ୍ ବାହାରିଯିବେ ବୋଲି ସ୍ପଷ୍ଟ କରିଛନ୍ତି ।