ଜିଓ ଫୋନ୍ ପ୍ରାୟତଃ ମାଗଣା ! ୧୫୦୦ ଟଙ୍କା ଦେଇ ଫୋନ୍ କିଣିବେ ୩ ବର୍ଷ ପରେ ଫେରିପାଇବେ 

102

ରିଲାଏନ୍ସ ଏଜିଏମରେ ଇଣ୍ଡିଆ କା ସ୍ମାର୍ଟଫୋନ୍ ଅର୍ଥାତ୍ ଜିଓ ଫୋନକୁ ଲଂଚ୍ କରିଛନ୍ତି ମୁକେଶ ଅମ୍ବାନୀ । ଯାହାର ମୂଲ୍ୟ ଯଦି ହିସାବ କରାଯାଏ, ତେବେ ଆପଣଙ୍କୁ ଏଥିପାଇଁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଘୋଷଣା ଅନୁସାରେ, ଆପଣ ୧୫୦୦ ଟଙ୍କା ଦେଇ ଏହି ଫୋନକୁ କିଣିବେ ଆଉ ୩ ବର୍ଷ ପରେ କଂପାନୀ ଏହି ଅର୍ଥକୁ ଆପଣଙ୍କୁ ଫେରାଇଦେବ । ଯଦି ଏହାକୁ ହିସାବ କରାଯାଏ, ତେବେ ଆପଣ ବିନା ଅର୍ଥରେ ଗୋଟିଏ ଫୋନ୍ ବ୍ୟବହାର କରିପାରିବେ ।

ଏହି ୧୫୦୦ ଟଙ୍କାକୁ ଜଣେ ଗ୍ରାହକ ଜମା ରାଶି ଭାବେ ଚିନ୍ତା କରିପାରିବ । ପରୀକ୍ଷା ପାଇଁ ଅଗଷ୍ଟ ୧୫ରୁ ଏହି ଫୋନ୍ ଉପଲବ୍ଧ ରହିବ ଏବଂ ଅଗଷ୍ଟ ୨୪ରୁ ଗ୍ରାହକ ଏହାର ପ୍ରି-ବୁକିଂ କରିପାରିବେ । ଯେଉଁ ଗ୍ରାହକ ଏହାକୁ ବୁକ୍ କରିଥିବେ, ସେପଟେମ୍ବର ୧ରୁ ସେମାନେ ଏହି ଫୋନ୍ କିଣିପାରିବେ । ପ୍ରଥମେ ଆସ ପ୍ରଥମେ ପାଅ ବେସିସରେ ଏହି ଫୋନ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଫୋନରେ ଅଲଗା ଅଲଗା ଡାଟା ପ୍ୟାକ୍ ରହିଛି ।

ଗ୍ରାହକ ଡାଟା ପ୍ୟାକ୍ ପାଇଁ ମାସକୁ ୧୫୩ ଟଙ୍କା ଦେଇପାରିବେ ଯେଉଁଥିରେ ଅନଲିମିଟଡେ୍ ଡାଟା, ମେସେଜ୍, ଫ୍ରି-ଭଏସ୍ କଲ୍ ପାଇବେ । ସେହିପରି ୩୦୯ ଟଙ୍କାର ପ୍ୟାକରେ ଏହି ତମାମ ସୁବିଧା ଉପଲବ୍ଧ ରହିବେ ଅତିରିକ୍ତ ସ୍ୱରୁପ ଫୋନକୁ ଟିଭି ସହ ଯୋଡିବାର ମାଧ୍ୟମ ରହିବ । ଏହାଛଡା ଦୁଇଦିନ ପାଇଁ ୨୪ ଟଙ୍କାର ଡାଟା ପ୍ୟାକ୍ ଓ ସପ୍ତାହକ ପାଇଁ ୫୪ ଟଙ୍କାର ଡାଟା ପ୍ୟାକ୍ ଉପଲବ୍ଧ ରହିବ । ତିନି ବର୍ଷ ପରେ ଆପଣ ଫୋନ୍ ଫେରାଇଦେଲେ ଦେଇଥିବା ୧୫୦୦ ଟଙ୍କା ଫେରିପାଇବେ ।

ରିଲାଏନ୍ସ ଏଜିଏମରେ ଏହି ଫୋନକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ ଆକାଶ ଓ ଇଷା ଅମ୍ବାନୀ । ଇଷା ଅମ୍ବାନୀ କହିଛନ୍ତି, ଫୋନ୍ ବ୍ୟବହାର କରିବା ଯେଭଳି ସମସ୍ତଙ୍କ ପାଇଁ ଖୁବ୍ ସହଜ ହେବ ତାକୁ ନିଶ୍ଚିତ କରାଯାଇଛି । ଦେଶରେ ମୋଟ୍ ୭୮ କୋଟି ଫୋନ୍ ରହିଛି । ଯେଉଁଥିରେ ୫୦ କୋଟି ହେଉଛନ୍ତି ଫିଚର୍ ଫୋନ୍ ବ୍ୟବହାରକାରୀ ଯେଉଁମାନେ ଧୀରେ ଧୀରେ ମୋବାଇଲ ବ୍ୟବହାର ବନ୍ଦ କରିଦେଉଛନ୍ତି । ହୁଏତ ସେମାନେ ଶସ୍ତା ଏଲଟିଇ ଫୋନକୁ ବ୍ୟବହାର କରିପାରୁନାହାନ୍ତି ଅଥବା ଇଂଟରନେଟ୍ ଡାଟା ପ୍ୟାକ୍ ସେମାନଙ୍କୁ ବାଧ୍ୟ କରୁଛି, ନିଜକୁ ଏଥିରୁ ଦୂରେଇ ରଖିବାକୁ ।

ଡିଜିଟାଲ ଲାଇଫରେ ଡାଟା ହେଉଛି ଅମ୍ଳଜାନ ଭଳି । କୌଣସି ଭାରତୀୟ ଏହାର ବ୍ୟବହାରରୁ ବଂଚିତ ହୁଅନ୍ତୁ ଏହା ସେ ଚାହୁଁନଥିବା ମୁକେଶ ଅମ୍ବାନୀ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ଜିଓ ଏହି ବାଧାକୁ ଦୁର କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁକେଶ ଅମ୍ବାନୀ କହିଛନ୍ତି । କଂପାନୀ ଏଥିପାଇଁ ତିନିଟି ଦିଗ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛି । କନେକ୍ଟିଭିଟି, ଡାଟା ଓ ଆଫର୍ଡେବିଲିଟି ।

ଆଗାମୀ ବର୍ଷକ ଭିତରେ ଜିଓ ତାର ନେଟୱର୍କକୁ ଆହୁରି ଆଗକୁ ନେଇବାକୁ ଯୋଜନା କରିଥିବା ମୁକେଶ ଅମ୍ବାନୀ କହିଛନ୍ତି । ବଜାରରେ ଆଜିର ଦିନରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ୩ ହଜାର ଟଙ୍କାରୁ ୪୫୦୦ ଟଙ୍କା ଭିତରେ ଆସୁଥିବାରୁ ଜିଓ କମ ଦରରେ ଫିଚର୍ ଫୋନ୍ ଗ୍ରାହକଙ୍କ ପାଇଁ ଆଣିବାକୁ ଉଦ୍ୟମ କଲା । ଫଳରେ ଲୋକଙ୍କ ନିକଟରେ ଏହା ସହଜରେ ଉପଲବ୍ଧ ହୋଇପାରିବ । ଦେଶର ୯୯ ପ୍ରତିଶତ ଜନବସତିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଥିବା ରିଲାଏନ୍ସ ଏଜିଏମରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ।