ପ୍ରତିଦିନ କେତେ ଲୋକ ବ୍ୟବହାର କରୁଛନ୍ତି ଜିଓ ଫୋନ ? ଅମ୍ବାନୀ କହିଲେ କମ୍ପାନୀର ଭିତରି କଥା

42

ରିଲାଏନ୍ସ ଜିଓ ଟେଲିକମ୍ ସେକ୍ଟର ଭାରତର ବଡ ଟେଲିକମ୍ କମ୍ପାନୀ ରୂପରେ ନିଜର ସ୍ଥାନ ବିସ୍ତାର କରିସାରିଲାଣି । ଜିଓର ନେଟୱାର୍କ ଯେତେ ଲୋକପ୍ରିୟ ଜିଓଫୋନ ମଧ୍ୟ ଲୋକଙ୍କର ସେତେ ନିକଟତର ହେବାକୁ ଲାଗିଛି । ବର୍ତ୍ତମାନ ଜିଓ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ପ୍ରତିଦିନ ଭାରତରେ ପ୍ରାୟ ୩ ରୁ ୫ ଲକ୍ଷ ଲୋକ ଜିଓଫୋନକୁ ଆପଣାଉଛନ୍ତି । ଲଣ୍ଡନରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁକେଶ ଏହି କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ କମ୍ପାନୀକୁ ‘ଡାଇଭର୍ସ ଅଫ୍ ଚେଞ୍ଜ’ ଆୱାର୍ଡ ମିଳିଛି ।

ଜିଓ ନେଟୱାର୍କର ଲୋକପ୍ରିୟତା ପରେ ପରେ ଜିଓଫୋନ ଭାରତୀୟ ବଜାରକୁ ପ୍ରବେଶ କରିଥିଲା । ୪ଜି ଏଲ୍ଟିଇ ଫିଚରର ଏହି ଫୋନକୁ ଇଚ୍ଛୁକ ଗ୍ରାହକ ୧୫୦୦ ଟଙ୍କା ଡିପୋଜିଟ୍ କରି କିଣିପାରିବେ । ଜିଓର ପ୍ରଭାବରୁ ୨ ବର୍ଷ ମଧ୍ୟରେ ଭାରତ ଦୁନିଆର ସବୁଠାରୁ ବଡ ମୋବାଇଲ୍ ବ୍ରଡବ୍ୟାଣ୍ଡ ଡାଟା ୟୁଜ୍ କରିବା ଦେଶ ହୋଇଗଲାଣି । ମୁକେଶଙ୍କ କହିବାନୁସାରେ, ଜିଓ ଆଇଡିଆ ଆସିବା ପରେ ରିଲାଏନ୍ସ କମ୍ପାନୀ ଭାରତର ଫୋନ ମାର୍କେଟରେ ୩୧ ବିଲିୟନ୍ ଡଲାର ପୁଞ୍ଚି ନିବେଶ କରିଥିଲା ଯାହା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ।

କାର୍ଯ୍ୟକ୍ରମ ମଝିରେ ମୁକେଶ ଜିଓର ଆବିର୍ଭାବ ବିଷୟରେ ବଖାଣିଥିଲେ । ୨୦୧୧ ମସିହାରେ ଝିଅ ଈଷାଙ୍କ ଏକ ଆଇଡିଆରେ ଆରମ୍ଭ ହୋଇଥିଲା ଜିଓର ଯାତ୍ରା । ଘରର ନେଟୱାର୍କ କମ୍ ରହୁଥିବାରୁ ଝିଅ ଈଷା ପିତାଙ୍କୁ ଘରେ ଖରାପ ଇଣ୍ଟରନେଟ ଲଗାଇଥିବା କଥା କହିଥିଲେ । ବର୍ତ୍ତମାନ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ସଫଳତା ପାଇବା ପାଇଁ ତିଳେ ମାତ୍ର ଧୈର୍ଯ୍ୟ ନାହିଁ । ଏପରିସ୍ଥଳେ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ସହାୟକ ହେଉଥିବା ଇଣ୍ଟରନେଟକୁ ସକ୍ରିୟ ନକଲେ ସେମାନଙ୍କ ପ୍ରତିଭା ଆଗକୁ ବଢ଼ିପାରିବ ନାହିଁ । ଏହାକୁ ଆଖି ଆଗରେ ରଖି ଜିଓକୁ ସକ୍ରିୟ କରାଗଲା । ବର୍ତ୍ତମାନ କମ୍ପାନୀ ଭାରତର ୧.୯ ମିଲିୟନ୍ ସ୍କୁଲ ଏବଂ ୫୮,୦୦୦ ୟୁନିଭର୍ସିଟିରେ ଜିଓ ସୁବିଧା ସକ୍ରିୟ କରିବାର ଯୋଜନା ରଖିଛି ।