ମୁଖ୍ୟମନ୍ତ୍ରୀଙ୍କ ସହ ଲଞ୍ଚ କଲେ, ବଗିଚାରେ ସେଲଫି ନେଲେ ରେହମାନ

558

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେଲେ ଓସ୍କାର ବିଜେତା ତଥା ପ୍ରସିଦ୍ଧ ଗାୟକ ଏ.ଆର. ରେହମାନ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ପାଇଁ ଏବେ ଓଡିଶାରେ ପହଞ୍ଚିଛନ୍ତି ଏ.ଆର. ରେହମାନ । ଉଦଘାଟନୀ ଉତ୍ସବକୁ କିଭଳି ଅଧିକ ଆକର୍ଷଣୀୟ କରିହେବ ସେଥିପାଇଁ ଆଗୁଆ ଓଡିଶା ଆସିଛନ୍ତି ରେହମାନ । ତେବେ ଏହି ସମୟରେ ହକି ବିଶ୍ୱକପ ପଛର ମୁଖ୍ୟ ପୁରୋଧା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଭୁଲିନଥିଲେ ରେହମାନ ।

ନବୀନଙ୍କୁ ଭେଟିବା ପାଇଁ ଦିନ ୨ଟା ସମୟରେ ନବୀନ ନିବାସରେ ପହଞ୍ଚିଥିଲେ ରେହମାନ । ପ୍ରାୟ ଘଣ୍ଟାଏ କାଳ ନବୀନ ନିବାସରେ ରହିବା ପରେ ଏକା ସାଙ୍ଗରେ ଲଞ୍ଚ କରି ବାହାରକୁ ବାହାରିଥିଲେ ରେହମାନ । ଆଉ ଏହାସହ ନବୀନଙ୍କୁ ପ୍ରଂଶସା କରିବାକୁ ଭୁଲିନଥିଲେ ରେହମାନ । ନବୀନ ତାଙ୍କୁ ବନ୍ଧୁଙ୍କ ଭଳି ବ୍ୟବହାର କଲେ  ଓ ମୋ ସାଙ୍ଗରେ ଲଞ୍ଚ କରିଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ ରେହମାନ ।

ଏହାସହ ହକି ବିଶ୍ୱକପର ଥିମ ସଙ୍ଗ ପାଇଁ ତାଙ୍କୁ ଢେର ପରିଶ୍ରମ କରିବାକୁ ପଡିଥିଲା ବୋଲି କହିଛନ୍ତି ରେହମାନ । ଏହି ଗୀତକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିଲା ଓ ଓଡିଶା, ଚେନ୍ନାଇ, ମୁମ୍ବାଇ ଓ ଦେଶର ଅନ୍ୟ କିଛି ସ୍ଥାନରେ ଏହି ଗୀତର ଭିଡିଓ ସୁଟିଂ କରାଯାଇଥିବା କହିଛନ୍ତି ରେହମାନ ।


ତେବେ ନବୀନ ନିବାସରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବାକୁ ଅନୁରୋଧ କରିଥିଲେ ରେହମାନ । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ବିନା ଦ୍ୱିଧାରେ ରେହମାନଙ୍କ ସହ ସେଲଫି ନେବାକୁ ହଁ କରିଥିଲେ । ପ୍ରଥମେ ନବୀନ ନିବାସ ମଧ୍ୟରେ ସେଲଫି ନେଇଥିଲେ ରେହମାନ । ତେବେ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇବାକୁ ରେହମାନଙ୍କୁ ବଗିଚାକୁ ଡାକି ନେଇଥିଲେ । ବଗିଚାରେ ରେହମାନ ନବୀନଙ୍କ ସହ ସେଲଫି ନେଇଥିଲେ । ଆଉ ଏହି ସମୟରେ ନବୀନଙ୍କୁ ମଧ୍ୟ ବେଶ ରିଲାକ୍ସ ମୁଡରେ ଦେଖିବାକୁ ମିଳିଥିଲା ।

ନବୀନ ବି ରେହମାନଙ୍କୁ ଭେଟି ବହୁତ ଖୁସି ଥିବା କହିଛନ୍ତି ।  କଟକ ଓ ଭୁବନେଶ୍ୱରରେ  ରେହମାନ ସଂଗୀତ ପରିବେଷଣ କରିବେ ବୋଲି ନବୀନ କହିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବା ପରେ ରେହମାନ ହୋଟେଲ ଟ୍ରାଇଡେଂଟ କୁ ଯାଇଥିଲେ । ସେଠାର କମସିଆ ମସଜିଦକୁ ଯାଇ ନମାଜ ପାଠ କରିଥିଲେ ।