ରିମାଣ୍ଡରେ ରେହମାନ : ଖୋଲିବ ଓଡିଶା ଆତଙ୍କବାଦୀ ଲିଙ୍କର ଗୁମର

24

ସାଲେପୁର : ଖୋଲିବ ଓଡିଶା ଆତଙ୍କବାଦୀ ଲିଙ୍କର ଗୁମର । ଏକ୍ୟୁଆଇଏସ୍ ଆତଙ୍କବାଦୀ ଅବଦୁର ରେହମାନକୁ ୧୦ଦିନିଆ ରିମାଣ୍ଡରେ ନେଇଛି ଓଡିଶା କ୍ରାଇମବ୍ରାଂଚ । ସାଲେପୁର ଜେଏମଏଫଏସି କୋର୍ଟ ରିମାଣ୍ଡ ଅନୁମତି ଦେଇଛି । ରିମାଣ୍ଡରେ ନେଇ ଓଡିଶାରେ ଆତଙ୍କବାଦୀ ଲିଙ୍କ ନେଇ ରେହମାନକୁ ପଚରାଉଚରା କରିବ କ୍ରାଇମବ୍ରାଂଚ । ତିହାର ଜେଲରୁ କଡା ସୁରକ୍ଷା ଭିତରେ ରେହମାନକୁ ଓଡିଶା ଅଣାଯାଇ ଆଜି ସାଲେପୁର କୋର୍ଟରେ ହାଜର କରାଯାଇଛି । ହାଜର ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ଆବେଦନ କରିଥିଲା । କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ମୌଲାନା ଅବଦୁର ରେହମାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ରେହମାନର ଆତଙ୍କବାଦୀ ଲିଙ୍କ ନେଇ ଖବର ପାଇ ଦିଲ୍ଲୀ ପୁଲିସ କମିସନରେଟ ପୁଲିସ ସହାୟତାରେ ଗିରଫ କରିଥିଲା । ରେହମାନ୍ ବାଙ୍କୀରେ ଏକ ମଦ୍ରାସା କରି ସେଠାରେ ପଢୁଥିବା ପିଲାଙ୍କୁ ଆତଙ୍କବାଦ ବାବଦରେ ପ୍ରୋତ୍ସାହନ ଦେଉଥିଲେ । ଏହାସହ ସେ ଅଲକାଏଦାରେ ନିଯୁକ୍ତି ଦେଉଥିଲା ।

ସେପଟେ ମୋ ଭାଇ ସଂପୂର୍ଣ୍ଣ ନିର୍ଦୋଷ ବୋଲି କହିଛନ୍ତି ଆତଙ୍କବାଦୀ ଅବଦୁର ରେହମାନର ବଡଭାଇ ତାହିର ଅଲ୍ଲୀ ଖାନ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରାଯାଉଛି । ଦେଶକୁ ମୁସଲମାନ ମୁକ୍ତ କରିବାକୁ ଚାହୁଁଛନ୍ତି ନରେନ୍ଦ୍ର ମୋଦି । ରାଜ୍ୟ ସରକାର ମଧ୍ୟ ସମାନ ଧାରା ଅବ୍ୟାହତ କରିଛନ୍ତି । ଭାଇକୁ ନ୍ୟାୟ ପାଇଁ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।