ନବୀନ ନିବାସରେ ରୀତା ସାହୁ : ବିଜେପୁର ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଜଣାଇବେ ଧନ୍ୟବାଦ

3

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ଜିତିବା ପରେ ନବୀନ ନିବାସରେ ରୀତା ସାହୁ । ବିଜୟ ନେଇ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସ ଆସିଛନ୍ତି । ଶହଶହ ସମର୍ଥକଙ୍କ ଗହଣରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରୀତା ସାହୁ କହିଛନ୍ତି, ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସେ ଖୁସି ଅଛନ୍ତି । ବିଜୟ ନେଇ ଦଳୀୟ କର୍ମୀ , ବିଜେପୁରବାସୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଖୁସିଥିବା ରୀତା ପ୍ରକାଶ କରିଛନ୍ତି । ବିଜେପୁରର ଉନ୍ନତି ଓ ସୁଖ ଦୁଃଖରେ ସାଥି ହେବା ସହ ପାନୀୟ ଜଳ ବ୍ୟବସ୍ଥା ସୁଧାରିବା ପାଇଁ ଦୃଷ୍ଟି ଦେବେ ବୋଲି ରୀତା ସାହୁ କହିଛନ୍ତି । ଗତକାଲି ଉପନିର୍ବାଚନ ଫଳାଫଳରେ ବିପୁଳ ସଂଖ୍ୟକ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ରୀତା ସାହୁଙ୍କ ସହ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଆସିଥିଲେ ।

ବିଜେପୁରରେ ବିଜେଡିର ବଡ ବିଜୟ ହୋଇଛି । ଗତକାଲି ବିଜେପୁର ଉପନିର୍ବାଚନର ଫଳାଫଳ ବାହାରିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧୯୩୩ ଭୋଟରେ ବ୍ୟବଧାନରେ ପରାସ୍ତ କରି ବିଜେପୁର ଗଡ ହାତେଇଛନ୍ତି । ଏହି ବିଜୟ ସହ ବିଜେପୁର ଲଢେଇରେ ପୂର୍ଣ୍ଣଛେଦ ପଡିଛି । ମୋଟ ୨୧ ରାଉଣ୍ଡ ଭୋଟ ଗଣତି ପରେ ବିଜେପୁର ବାଜି ଜିତିଛି ବିଜେଡି । ଏହି ବିଜୟ ସହ ପୁଣିଥରେ ଦୀର୍ଘ ୧୪ ବର୍ଷ ପରେ ବିଜେପୁର ଗଡ ଦଖଲ କରିଛି ବିଜେଡି । ୧୩ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ଟିକା ପିନ୍ଧିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ଏହି ସମ୍ମାନର ଲଢେଇରେ ବିଜେଡି ବିଜୟ ହେବା ସହ ନବୀନଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଭରସା ରହିଛି ବୋଲି ରାଜ୍ୟବାସୀଙ୍କ ନିକଟକୁ ଏକ ସ୍ପଷ୍ଟ ବାର୍ତ୍ତା ଯାଇଛି । ଭୋଟ ଗଣତିର ଆରମ୍ଭରୁ ହିଁ ବିଜେଡି ଆଗୁଆ ରହିଥିଲା । ମୋଟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିବା ବେଳେ ୨୧ଟି ରାଉଣ୍ଡରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇଥିଲା ବିଜେଡି । ଏହସହ ଦୀର୍ଘ ୧୪ ବର୍ଷ ବନବାସ ପରେ ବିଜେପୁରକୁ ଫେରିଛି ବିଜେଡି । ପ୍ରଥମ ଥର ପାଇଁ ବିଜେପୁରରେ ବିଜେଡି ଏକ ଲକ୍ଷରୁ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଛି । ଏହି ସମ୍ମାନର ଲଢେଇରେ କିନ୍ତୁ ପୂରା ପଛରେ ପଡିଯାଇଛି କଂଗ୍ରେସ ।

Comments are closed.