ରାଜ୍ୟରେ ବଢିଲା ଭିଆଇପିଙ୍କ ସଂଖ୍ୟା

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ରାଜ୍ୟରେ ବଢିଲା ଭିଆଇପିଙ୍କ ସଂଖ୍ୟା । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଏଣିକି ନିଜ ଗାଡିରେ ଲଗାଇଲେ ନାଲିବତୀ । ବାଣିଜ୍ୟ ଓ ପରିବହନ ବିଭାଗ ଏ ସଂପର୍କିତ ବିଜ୍ଞପ୍ତି ଜାରି କରିଛି । ଫଳରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ବିଧାୟକଙ୍କ ଗାଡିରେ ନାଲିବତୀ ଲାଗିଛି । ଅବଶ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗାଡ଼ି ଭଳି ଧପଧପ କରିବ ନାହିଁ । ହେଲେ ଏହା ଫଳରେ ନେତାଙ୍କ ନାଲିବତୀ ପ୍ରେମ ରାଜ୍ୟରେ ପୁଣି ସାମ୍ନାକୁ ଆସିଛି ।

ରାଜ୍ୟରେ ଲଗାତର ଚାରି ଥର କ୍ଷମତାକୁ ଆସିଥିବା ବିଜେଡିରେ ଅନେକ ମନ୍ତ୍ରୀ ପଦକୁ ଅନାଇ ବସିଛନ୍ତି । ହେଲେ ଆଶାୟୀ ନେତାଙ୍କୁ ଥଇଥାନ କରିବାକୁ ବଛାଗଲା ରାସ୍ତା । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ବସାଇ ନାଲିବତୀ ଦେଇ ସନ୍ତୁଷ୍ଟ କରିବାକୁ ଗୋଟି ଚାଳନା ହୋଇଥିବା ଚର୍ଚ୍ଚା ହେଉଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ କେଉଁମାନେ କିଭଳି ନାଲିବତୀ ବ୍ୟବହାର କରିବେ ତାହା ଧାର୍ଯ୍ୟ କରିବ ବାଣିଜ୍ୟ ଓ ପରିବହନ ବିଭାଗ ।

ନବକଳେବର ଭିତିଭୁମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ବି ପାଇଛନ୍ତି ନାଲିବତୀ । ନବକଳେବର ସରିବାକୁ ବର୍ଷେ ବିତିବ, ହେଲେ ନା ଭିତିଭୂମି କାମ ସରୁଛି ନା ମହେଶ୍ୱରଙ୍କ କ୍ୟାବିନେଟ ପାହ୍ୟା ହଟୁଛି । କୁହାଯାଉଛି, ମନ୍ତ୍ରୀ ପଦ ଆଶାୟୀ ଥିବା ମହେଶ୍ୱରଙ୍କୁ ଥଇଥାନ କରିବାକୁ ଏଭଳି ରାସ୍ତା ଆପଣାଇଛନ୍ତି ବିଜେଡି ସୁପ୍ରିମୋ । ତଥ୍ୟ ଅନୁସାରେ ପୁରୀରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାମ ଆଜି ବି ଅଧାପନ୍ତରିଆ ଭାବେ ପଡିରହିଛି । କାମ ବି ଆଖିଦୃଶିଆ ଭାବେ ଆଗଉନି ।

ରାଜ୍ୟରେ ୩୦ ଜିଲ୍ଲା ପାଇଁ ସମାନ ସଂଖ୍ୟକ ମନ୍ତ୍ରୀ ନଥିବାରୁ ଜିଲ୍ଲା ଯୋଜନା ପ୍ରଣୟନରେ ଅସୁବିଧା ହେଉଥିଲା । ତେଣୁ ଅଧ୍ୟକ୍ଷ ପଦରେ ବିଧାୟକଙ୍କୁ ବସାଇବାକୁ ରାଜ୍ୟ ସରକାର ନିଷ୍ପତି ନେଲେ । ଚର୍ଚ୍ଚା ହେଉଛି, ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବାକୁ ବିଜେଡି ବିଧାୟକଙ୍କୁ ଥଇଥାନ କରାଯାଉଛି ।