ଲାଲ୍ ସେଓର ଆତଙ୍କ ! ଚକଚକିଆ ଦେଖାଯିବା ପାଇଁ ସେଓରେ ଦିଆଯାଉଛି ବିଷାକ୍ତ ମହମ ପ୍ରଲେପ, ହୋଇପାରେ ମାରାତ୍ମକ ରୋଗ ।

76

କନକ ବ୍ୟୁରୋ : କୁହାଯାଏ ପ୍ରତ୍ୟେକ ଦିନ ଗୋଟିଏ ଆପଲ ଖାଇଲେ ଦେହ ସୁସ୍ଥ ରହିବ ଓ ଆପଣଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଫଳ ବଜାରରେ ସେଓର ଚାହିଦା ବେଶୀ । ବଜାରରେ ମିଳୁଥିବା ଚକଚକିଆ ଆପଲ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ଏହା ଶରୀର ପାଇଁ କେତେ ସୁରକ୍ଷିତ ତାହା ଜାଣିବାକୁ କନକ ନ୍ୟୁଜ୍ କରିଥିଲା ଅନୁସନ୍ଧାନ । ସେଓକୁ ପଠାଯାଇଥିଲା ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଜ୍ଞାନଗାରକୁ । ଆଉ ରିପୋର୍ଟ ଯାହା ଆସିଲା, ତାହା ଚମକାଇବା ଭଳି । ଯେଉଁ ସେଓକୁ ଅତି ବିଶ୍ୱାସର ସହ ଆମେ ଖାଉଛୁ, ସେଥିରେ ମିଶିଛି ବିଷ । ଆପଲକୁ ଚିକ୍ ଚିକ୍ କରିବା ପାଇଁ ୱାକ୍ସ ବା ମହମ ବା ମିନେରାଲ ଅଏଲ ଦିଆଯାଇଥିବାର ମିଳିଛି ପ୍ରମାଣ । ଆଉ ଏହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ମଧ୍ୟ ଦର୍ଶାଇଛି ଜନସ୍ୱାସ୍ଥ୍ୟ ବିଭାଗ । ଡାକ୍ତରଙ୍କ କହିବା ଅନୁସାରେ ରାସାୟନିକ ମହମ ଖାଇବା ଦ୍ୱାରା ଲିଭର କ୍ୟାନସର ଭଳି ସାଂଘାତିକ ରୋଗ ହୋଇପାରେ ।

ଚକଚକିଆ ସେଓ ଆଣିପାରେ ବଡ଼ ବିପଦ । ସେଓରେ ଦିଆଯାଉଛି ବିଷାକ୍ତ ମହମ ପ୍ରଲେପ । ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଯେଉଁ ସେଓ ବା ଆପଲ୍ ଖାଉଛନ୍ତି, ତାହା ବିଷ ହୋଇପାରେ । ଚକଚକିଆ ଦେଖାଯାଉଥିବା ଆପଲ୍ ଦେହ ପାଇଁ ଯେ ବିପଦ ଆଣିପାରେ ତାର ପ୍ରମାଣ ମିଳିଛି । ବିଶେଷ କରି ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଆଦି ବିଦେଶରୁ ଆସୁଥିବା ସେଓ ଆଖିକୁ ଯେତିକି ଚକଚକିଆ ଦିଶୁଛି, ଦେହ ପାଇଁ ସେତିକି ମାରାତ୍ମକ । ଅନୁସନ୍ଧାନରୁ ଜଣାପଡିଛି ଆପଲକୁ ଚିକମିକ୍ କରିବା ପାଇଁ ଦିଆଯାଉଛି ବିଷାକ୍ତ ମହମର ପ୍ରଲେପ । ଅର୍ଥାତ୍ ଆପଣ ସେଓ ଖାଉଛନ୍ତି, ଆଉ ତାହା ସହ ଖାଉଛନ୍ତି ବିଷାକ୍ତ ରାସାୟନିକ ।

ନାଲି ଚକଚକ୍ ସେଓର ସତ କହୁଛି ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ବିଜ୍ଞାନାଗାରର ରିପୋର୍ଟ । । ନାଲି ସେଓରେ ଷ୍ଟାର୍ଚ ବା ଶ୍ୱେତସାର, କୃତ୍ରିମ ମିଠା, ୱାକ୍ସ ବା ମହମ ବା ମିନେରାଲ୍ ଅଏଲ୍ ଓ ରଙ୍ଗ ମିଶାଇବା ନେଇ ପ୍ରାୟ ୫ଟି ପରୀକ୍ଷା କରାଯାଇଛି । ପରୀକ୍ଷା ପାଇଁ ଦିଆଯାଇଥିବା ନାଲି ସେଓର ତିନିଟି ନମୁନାର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେଉଁଥିରେ ୱାକ୍ସ ବା ମହମ ବା ମିନେରାଲ୍ ଅଏଲ୍ ଥିବା ନେଇ ପଜିଟିଭ ରିପୋର୍ଟ ଆସିଛି । ଅର୍ଥାତ୍ ନାଲି ସେଓରେ ମହମ ବା ମିନେରାଲ୍ ଅଏଲ୍ ଥିବାର ପ୍ରମାଣ ମିଳିଛି ।

ଜାଣନ୍ତୁ ୱାକ୍ସ ବା ମିନେରାଲ୍ ଅଏଲ୍ କ’ଣ ?

ଆପଲକୁ ଚକଚକ କରିବା ପାଇଁ ମହମ ବ୍ୟବହାର କରାଯାଇଥାଏ । ସେଓକୁ ଚକଚକ୍ କରିବା ପାଇଁ ମର୍ଫୋଲିନ୍ ନାମକ ଏକ ମିନେରାଲ୍ ଅଏଲର ପ୍ରଲେପ ଦିଆଯାଇଥାଏ । ଫଳରେ ଅଧିକ ଦିନ ଧରି ଆପଲକୁ ସତେଜ ରଖାଯାଇପାରେ । ସବୁଠୁ ରୋଚକ କଥା ହେଉଛି, ଦୋକାନୀମାନେ ମଧ୍ୟ ଏକଥା ଜାଣିଛନ୍ତି, ହେଲେ ବର୍ଷ ବର୍ଷ ଧରି ବିକି ଆସୁଛନ୍ତି ଏହିପରି ସେଓ । କିଛି ଲୋକ ମଧ୍ୟ ଏକଥା ଜାଣିଛନ୍ତି, ହେଲେ ବେଧଡକ ଭାବେ ମହମ ମିଶା ଲାଲ ଚିକଚିକ୍ ସେଓ ଖାଇ ଆସୁଛନ୍ତି ।

ରାଜଧାନୀର ତିନିଟି ପ୍ରମୁଖ ସ୍ଥାନରୁ ସେଓ ସଂଗ୍ରହ କରି ଭୁବନେଶ୍ୱରରେ ଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ବିଜ୍ଞାନାଗାରକୁ ପଠାଇଥିଲା କନକ ନ୍ୟୁଜ୍ । ପ୍ରାୟ ୧୫ ଦିନ ପରେ ଆସିଥିଲା ରିପୋର୍ଟ । ଫୁଡ୍ ସେଫଟି ଷ୍ଟାଣ୍ଡାର୍ଡସ ନିୟମାବଳୀ ଅନୁଯାୟୀ ଏହି ଆପଲର ପରୀକ୍ଷା କରାଯାଇଛି । ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ତିନିଟି ଯାକ ନମୁନାରେ କୌଣସି ରଙ୍ଗ ଦିଆଯାଇନାହିଁ । ମାତ୍ର ସବୁ ନମୁନାରେ ୱାକ୍ସ ବା ମିନେରାଲ୍ ଅଏଲ୍ ରହିଥିବା ଧରାପଡ଼ିଛି । ଅର୍ଥାତ୍ ପଜିଟିଭ୍ ଆସିଛି । ମନ୍ତବ୍ୟରେ ଲେଖାଯାଇଛି- ଖାଦ୍ୟ ସୁରକ୍ଷା ଆଇନ, ୨୦୦୬ର ଧାରା ୩.୧ ଅନୁଯାୟୀ ଏହି ଆପଲ୍ ଖାଇବା ଅନସେଫ୍ ଅର୍ଥାତ୍ ଅସୁରକ୍ଷିତ ।

ଖାଦ୍ୟ ସୁରକ୍ଷା ଆଇନ, ୨୦୧୧ ଅନୁଯାୟୀ ବିପଦପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ କରୁଥିବା ବା ବିକୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଏଭଳି ଭୁଲ୍ ପାଇଁ ୬ ମାସ ପର୍ଯ୍ୟନ୍ତ ଜେଲ୍ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଖାଦ୍ୟ ଅପମିଶ୍ରଣ ଯୋଗୁଁ କାହାର ମୃତ୍ୟୁ ଘଟିଲେ, ଆଜୀବନ କାରାଦଣ୍ଡ ଓ ଅନ୍ୟୂନ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ । ଏତେସବୁ ନିୟମ ଥାଇ ମଧ୍ୟ ବର୍ଷ ବର୍ଷ ଧରି ବଜାରରେ ବିକ୍ରି ହେଉଛି ବିଷ ମିଶାଯାଇଥିବା ଫଳ ।