ବଙ୍ଗୋପସାଗରରେ ଭୟଙ୍କର ଲଘୁଚାପ : ଆଜି ଓ ଆସନ୍ତା କାଲି ପାଇଁ ରେଡଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

39

କନକ ବ୍ୟୁରୋ : ଆଜିଠୁ ପ୍ରବଳ ବର୍ଷା । ୩ ଦିନ ଧରି ସାରା ଓଡିଶାରେ ପ୍ରବଳ ବର୍ଷିବ । ପଶ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୩ ଓ ୧୪ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ୧୪ ତାରିଖରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଉଏମଡି ୱେବସାଇଟ୍ ଜରିଆରେ ସରକାରଙ୍କୁ ସତର୍କ କରାଇଦେଇଛି । ସେପଟେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇସାରିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, ଗଞ୍ଜାମ, ଗଜପତି, ପୁରୀ, ବରଗଡ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୧୫ ତାରିଖ ଯାଏଁ ସାରା ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୩ ଦିନ ସମୁଦ୍ର ଭିତରକୁ ଯିବାରୁ ବାରଣ କରାଯାଇଛି । ଏକ ବିଦେଶୀ ପାଣିପାଗ କେନ୍ଦ୍ର ‘ନଲ୍ ସ୍କୁଲ’ ମଧ୍ୟ, ସୃଷ୍ଟି ହେବାକୁ ଯାଉଥିବା ଏହି ଲଘୁଚାପ ପୂର୍ବରୁ ପବନର ଦିଗ ଓ ଗତି ଅନୁମାନ କରିଛି । ସେପଟେ ବର୍ଷା ସହିତ ବଜ୍ରପାତରୁ ମଧ୍ୟ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।