ପରିବେଶ ପ୍ରଦୂଷଣକୁ ରୋକିବାରେ ସହାୟକ ହେବ ଏଟିଏମ୍ : ପ୍ଲାଷ୍ଟିକ ବୋତଲ ଜମା କଲେ ଦେବ ଟଙ୍କା, ଜାଣନ୍ତୁ କେମିତି ?

94

ଏଟିଏମ ମେସିନ ନଗଦ ଟଙ୍କା ଦେବା ସହିତ ଯଦି ଖାଲି ପ୍ଲାଷ୍ଟିକ ବୋତଲ ଓ କ୍ୟାନ ଜମା କରିବ ତାହେଲେ କେମିତି ହେବ, କେବେ ଭାବିଛନ୍ତି କି ? ବ୍ରିଟେନରେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଚାଲୁ୍ଥିବା ପ୍ରୟୋଗ ଅଧିନରେ ‘ ରିଭର୍ସ ଭେଣ୍ଡିଙ୍ଗ ମେସିନ’(ଆରବିଏମ) ବୋତଲ ଓ କ୍ୟାନ ନେବା ବଦଳରେ ଲୋକଙ୍କୁ କ୍ୟାସ ଦେଉଛି । ଏହା ନୁହେଁ ଯେ ଏଟିଏମ ଦେଉଥିବା କ୍ୟାସ ବୋତଲ ଗୁଡିକର ରିସାଇକ୍ଲିଙ୍ଗର ମୂଲ୍ୟ, ଏହାର ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବରୁ ପରିବେଶକୁ ବଂଚାଇବା ଏବଂ ଘର ଓ ରାସ୍ତାଘାଟକୁ ଆବର୍ଜନା ମୁକ୍ତ ରଖିବା ।

ବ୍ରିଟିଶ ସରକାର ଶୀଘ୍ର ଏହି ଯୋଜନାର ଶୁଭାରମ୍ଭ କରିବେ । ଖବର ମୁତାବକ, ଏହି ପ୍ଲାଷ୍ଟିକ ବୋତଲଗୁଡିକୁ ଜମା କଲେ ୬୦ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ । ବ୍ରିଟେନର ପରିବେଶ ସଚିବ ମାଇକଲ ଗବଙ୍କ କହିବାନୁସାରେ, ତାଙ୍କ ଟିମ ପାନୀୟ ଦ୍ରବ୍ୟ ରହୁଥିବା କ୍ୟାନ ଓ ବୋତଲଗୁଡିକ ଉପରେ ସାଧାରଣ ମୂଲ୍ୟ ଲଗାଇବା ପାଇଁ ବିଚାର କରୁଛନ୍ତି । ଗ୍ରାହକଙ୍କ ଦ୍ୱାରା ବୋତଲ ବା କ୍ୟାନ ଆରବିଏମରେ ଜମା ହେବା ପରେ ହିଁ ଏହି ରାଶି ମିଳିବ । ସରକାରଙ୍କ ଏହି ଯୋଜନା ଯଦି ସଫଳ ହୋଇଯାଏ, ତେବେ ପାନୀୟ ଦ୍ରବ୍ୟ ରହୁଥିବା ବୋତଲ ବା କ୍ୟାନରୁ ହେଉଥିବା ଆବର୍ଜନାକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ କମ କରିଦିଆଯାଇପାରିବ ।

ମାଇକଲ ଗବ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହି ମହତ୍ୱାକାଂକ୍ଷୀ ଯୋଜନାର ଖୁଲାସା କରିବେ । ଏମିତି ଏକ ଯୋଜନା ନରୱେରେ ଚାଲୁଛି । ବ୍ରିଟେନର ଡେପୁଟି ପରିବେଶ ମନ୍ତ୍ରୀ ଥେରେସା କାଫେଁ ଏହି ଯୋଜନା ବିଷୟରେ ସଂପୁର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ଗତ ମାସରେ ନରୱେ ଗସ୍ତ କରିଥିଲେ । ଏହି ଯୋଜନା ନରୱେ ବ୍ୟତୀତ ଜର୍ମାନୀ, ଅଷ୍ଟ୍ରେଲିଆ, ଆମେରିକା ଓ ଇସ୍ରାଏଲରେ ମଧ୍ୟ ଚାଲୁଛି ।

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୩ କୋଟି ୫୦ ଲକ୍ଷ ପ୍ଲାଷ୍ଟିକ ବୋତଲ ଓ ୨ କୋଟିର ଆଲୁମିନିୟମ କ୍ୟାନ ବ୍ରିଟେନରେ ପ୍ରତିଦିନ ବିକ୍ରି ହୁଏ । ଯେଉଁ ଦେଶରେ ଏହି ଯୋଜନା ଚାଲୁଛି, ସେହି ସ୍ଥାନରେ ରିସାଇକ୍ଲିଙ୍ଗର ମୂଲ୍ୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଅଛି । ଏହି ଯୋଜନାର ସମର୍ଥକମାନେ କହିଛନ୍ତି ଯେ, ଏଥିରେ ଯଦି କାଚ ବୋତଲକୁ ବି ସାମିଲ କରାଯାଏ, ତେବେ ଏହି ଯୋଜନା ସଂପୂର୍ଣ୍ଣ ରୂପେ ସଫଳ ହେଇପାରିବ ।