ବ୍ୟାଙ୍କ ଓ ମୋବାଇଲ ପାଇଁ ବଦଳିବ ଆଧାର ନିୟମ । ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ମିଳିବ ଅନୁମତି,ଖୁବଶୀଘ୍ର ହେବ ଆଇନରେ ସଂଶୋଧନ

222

କନକ ବ୍ୟୁରୋ : ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ଅନୁମତି ମିଳିବ । ସରକାର ଏଥିପାଇଁ ଆଇନରେ ସଂଶୋଧନ ଆଣିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ନିଷ୍ପତି ନିଆଯାଇଛି । ଏଥିପାଇଁ ଟେଲିଗ୍ରାଫ୍ ଆଇନ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସଂଶୋଧନକୁ କ୍ୟାବିନେଟ ମଂଜୁରି ପ୍ରଦାନ କରିଛି ।

ଘରୋଇ କମ୍ପାନୀଙ୍କ ପାଇଁ ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବରରେ ଆଧାର ତଥ୍ୟ ବ୍ୟବହାର ଉପରେ କଟକଣା ଲଗାଇଥିଲେ । ଆଇନରେ ସଂଶୋଧନ ଆସିଲେ ସେମାନଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ସହଜ ହେବ । ଫଳରେ ମୋବାଇଲ ଫୋନର ନୂଆ ସିମ୍ ନେବା ସହିତ ବ୍ୟାଙ୍କରେ ଆକାଉଂଟ ଖୋଲିବା ପାଇଁ ଗ୍ରାହକମାନେ ସ୍ୱେଚ୍ଛାକୃତ ଭାବେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବା ଲାଗି ଏହି ଆଇନରେ ସଂଶୋଧନ ଅଣାଯିବ ।

ପୂର୍ବରୁ ସୁପ୍ରିମକୋର୍ଟ ଆଧାର ଆକ୍ଟର ସେକ୍ସନ ୫୭କୁ ଖାରଜ କରିଥିଲେ । ଏହି ଆକ୍ଟ ଅନୁଯାୟୀ, ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ୍ କରିବା ଅନିବାର୍ଯ୍ୟ ଥିଲା । କିନ୍ତୁ କୋର୍ଟ ନିଜ ରାୟରେ କହିଥିଲେ ଯେ, ସିମ ଓ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରିବାର କୌଣସି ଆବଶ୍ୟକତା ନାହିଁ । ଆଧାର ଲିଙ୍କ୍ ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଥିଲେ ।