ଭାରତୀୟ ଟ୍ରେନର ‘ଅମଙ୍ଗଳ’ଯାତ୍ରା ! ଗତ ୩ ମାସ ଭିତରେ ହୋଇଛି ୪ଟି ବଡ ଧରଣର ଦୁର୍ଘଟଣା

32

ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଓଡିଶାର ରାୟଗଡା ସୀମାନ୍ତ ଆନ୍ଧ୍ର ପ୍ରଦେଶର କୁନେରୁ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୩୯ ଜଣ ପ୍ରାଣ ହରାଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗତ ୩ ମାସ ମଧ୍ୟରେ ଦେଶରେ ଏହା ହେଉଛି ଚତୁର୍ଥ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ।

୨୬ ଡିସେମ୍ବର ୨୦୧୬ – କାନପୁର ଠାରେ ଲାଇନଚ୍ୟୁତ ହେଲା ସିଲଦା ଓ ଆଜମେର ଏକ୍ସପ୍ରେସର ୧୪ ଟି ବଗି । ଯଦିଓ ଏଥିରେ କେହି ପ୍ରାଣ ହରାଇ ନଥିଲେ ହେଲେ ୬୩ ଜଣ ଗୁରୁତର ଆହତ ହୋଇଥିଲେ ।

୬ ଡିସେମ୍ବର ୨୦୧୬ – ଉତ୍ତର ବଳଙ୍ଗରେ ଲାଇନଚ୍ୟୁତ ହେଲା ଗୌହାଟୀ-ବୁନ୍ଦ କ୍ୟାପିଟାଲ୍ ଏକ୍ସପ୍ରେସ । ଯାହା ୨ ଜଣଙ୍କ ପ୍ରାଣ ନେଲା ଓ ୧୦ରୁ ଅଧିକଙ୍କୁ ଆହତ କଲା ।

୨୦ ନଭେମ୍ବର ୨୦୧୬– ପାଟଣା ଇନ୍ଦୋର ରେଳ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୧୪୭ ଜଣ ପ୍ରାଣ ହରାଇବା ସହ ୧୮୦ ରୁ ଅଧିକ ଆହତ ହୋଇଥିଲେ ।

କାହିଁକି ଲାଇନଚ୍ୟୁତ ହେଉଛି ଟ୍ରେନ? ବାରମ୍ବାର ଦୁର୍ଘଟଣା ପାଇଁ ଦାୟୀ କିଏ ?

ଏ ପ୍ରଶ୍ନର ଉତ୍ତରର ପ୍ରଥମ ଦଫାରେ ଆସୁଛି ରେଲ ବିଭାଗର ଅବହେଳା । କାରଣ ୨୦୦୯-୧୦ରୁ ୨୦୧୪-୧୫ ଭିତରେ ୮୦୩ଟି ରେଳ ଦୁର୍ଘଟଣା ଘଟିଛି । ଯେଉଁଥିରେ ପ୍ରାୟ ୬୨୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୧୮୫୫ ଜଣ ଆହତ ହୋଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରାୟ ୪୭ପ୍ରତିଶତ ଦୁର୍ଘଟଣା ଟ୍ରେନ ଲାଇନଚ୍ୟୁତ ହେବା ଦ୍ୱାରା ଘଟିଛି ।

ଏଇ ୫ ବର୍ଷ ମଧ୍ୟରେ ହୋଇଥିବା ଦୁର୍ଘଟଣା ମଧ୍ୟରୁ ୩୮ ଟି ହେଇଛି ଟ୍ରେନ ଟ୍ରେନ ମଧ୍ୟରେ ଧକ୍କା ହେବାରୁ । ୩୭୩ ଟି ହୋଇଛି ଲାଇନଚ୍ୟୁତ ହେବାରୁ । ଲେବେଲ କ୍ରସିଂ ଠାରେ ହୋଇଛି ୩୪୯ ଟଇ ଦୁର୍ଘଟଣା । ଅଗ୍ନିକାଣ୍ଡ ଘଟିଛି ମାତ୍ର ୨୯ ଟି ସ୍ଥାନରେ ।

ସାଧାରଣତଃ ଦୁର୍ଘଟଣା ମନୁଷ୍ୟକୃତ ତୃଟି, ଯାନ୍ତ୍ରୀକ ତୃଟି ଓ କେହି ଷଡଯନ୍ତ୍ର କରିଥିଲେ ହୋଇଥାଏ । ତେବେ ଗଲା ୬ ବର୍ଷରେ ଦୁର୍ଘଟଣା ରେକର୍ଡ କହୁଛି ଆଶ୍ଚର୍ଯ୍ୟକର କଥା । ୮୬ ପ୍ରତଶତ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି ପାଇଁ ହୋଇଛି । ଯେଉଁଥିରୁ ୪୧ ପ୍ରତିଶତ ଦୁର୍ଘଟଣା କେବଳ ରେଳବାଇ କର୍ମଚାରୀଙ୍କ ଅବହେଳା ପାଇଁ ଘଟିଛି ।

ଏ ତମାମ୍ ତଥ୍ୟ ବୟାନ କରୁଛି କେତେ ସୁରକ୍ଷିତ ଆମେ ରେଳଯାତ୍ରା । ଦେଶ ଏବେ ବୁଲେଟ ଟ୍ରେନ ଓ ସୁପର ଟ୍ରେନ କଥା ଚିନ୍ତା କରୁଛି । ହେଲେ ସାଧାରଣ ଯାତ୍ରୀଙ୍କ ଜୀବନ ପାଇଁ କେତେ ଯତ୍ନବାନ ଏହି ତଥ୍ୟରୁ ସ୍ପଷ୍ଟ ହୋଇ ପଡୁଛି ।