ଚାପ ନା ଉପାନ୍ତ ଅଂଚଳକୁ ବଦଳିର ଭୟ ! ମାଡ ଖାଇ କାହିଁକି ଚୁପ୍ ଅଛନ୍ତି ମ୍ୟାଡାମ୍

72

ବୋଲଗଡ : ମାଡ ଖାଇ ବି କାହିଁକି ଚୁପ୍ ରହିଲେ ମହିଳା ତହସିଲଦାର । ଉପରିସ୍ଥ ଅଫିସରଙ୍କୁ ଜଣାଇବା ବ୍ୟତୀତ ବିଧାୟକଙ୍କ ବିରୋଧରେ କାହିଁକି କଲେନି ଅଭିଯୋଗ । ବେଗୁନିଆ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ପରେ ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା । କୁହାଯାଉଛି, ୧୬ ବର୍ଷର ଏକଛତ୍ରବାଦୀ ଶାସନ ଆଗରେ ମୁଣ୍ଡ ନୁଆଁଇଛନ୍ତି ବ୍ୟୁରୋକ୍ରାଟ୍ । ସେପଟେ ତହସିଲଦାର କହିଛନ୍ତି, ସଂଘ ନେବ ନିଷ୍ପତି ।

ବିଧାୟକଙ୍କ ଅଭିଯୋଗ ଥିଲା ସରକାରୀ ଜାଗାକୁ ଜବରଦଖଲ୍ କରାଯାଇଛି । ଆଉ ତହସିଲଦାର ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘର ଭାଙ୍ଗିବାକୁ ଆସୁନାହାନ୍ତି । ଏଇ କଥାକୁ ନେଇ ସୃଷ୍ଟି ହୋଇଥିଲା ମାହାଭାରତ । ଅନ୍ଧାର ରାତିରେ ମହିଳା ତହସିଲଦାର ନିହାରିକା ନାୟକଙ୍କ ସହ ଏନେଇ ବଚସା କରିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଆଉ ରାଗ ପଂଚମ ହେବାରୁ ଲଣ୍ଠନ ବି ଫୋପାଡି ଦେଇଥିଲେ । ହେଲେ ଆଜି ସତ ପଦାକୁ ଆସିଛି ମାପଚୁପ ପରେ ଜଣା ପଡିଛି ବିଧାୟକ ଭୂଲ ଓ ତହସିଲଦାର ଠିକ୍ ।

ତେବେ ପ୍ରଶ୍ନ ଉଠୁଛି ମାଡ ଖାଇ ମ୍ୟାଡମ୍ କାହିଁକି ଚୁପ୍ ଅଛନ୍ତି । ସରକାରୀ ଦଳର ଚାପ ତାଙ୍କୁ ଚୁପ୍ କରିଦେଇଛି କି । ବିଧାୟକ ଦେଖାଇଛନ୍ତି କି ଉପାନ୍ତ ଅଂଚଳକୁ ବଦଳିର ଭୟ । କାରଣ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଦେଇ ନୀରବ ରହିଛନ୍ତି ନିହାରିକା । ଥାନାକୁ ନଯାଇ ସଂଘ ଉପରେ ଛାଡି ଦେଇଛନ୍ତି ଅପମାନର ବିଚାରକୁ ।
ସେପଟେ ଘଟଣାର ଅନୁସନ୍ଧାନ ପାଇଁ ଓଏଏସ୍ ସଂଘର ଏକ ଟିମ୍ ବୋଲଗଡ ଯାଇଛି । ସହକର୍ମୀ ଅଫିସର୍ ନିହାରିକାଙ୍କୁ ଭେଟିବା ପରେ ଖୋର୍ଦ୍ଦାରେ ବୈଠକ କରିବେ । ଏହାପରେ ସଂଘ ପରବର୍ତ୍ତି ନିଷ୍ପତି ନେବ ।

କେତେବେଳେ ବିରୋଧୀ ନେତାଙ୍କୁ ମାରିଛନ୍ତି ତ କେତେବେଳେ ଦଳର ମୁଖିଆଙ୍କୁ ଗାଳି ଦେଇଛନ୍ତି । ହେଲେ ସବୁଠି ଜିତିଛନ୍ତି ବାଜି । ଏବେ ସରକାରୀ ଅଫିସରଙ୍କୁ ମାଡ ମହଙ୍ଗା ପଡିବ ନା ବାହୁବଳୀ ପୁଣି ଜିତିବେ, ତା ଉପରେ ଏବେ ନଜର ।

ଏହା ସହ ଦେଖନ୍ତୁ ମ୍ୟାଡମଙ୍କୁ ମାଡ ! ବିଜେଡି ବିଧାୟକଙ୍କ ବାହୁବଳୀ ନାଟକରେ ଯୋଡି ହେଲା ଆଉ ଏକ ଅଧ୍ୟାୟ