ମିଟିଂ ହେଉ ଅବା ପଢିବାବେଳେ ଘୁମାଉଛନ୍ତି କି ! ଜାଣନ୍ତୁ ଏହା ପଛର କାରଣ

37

ନିଦ ଯୋଗୁ ବହୁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ନିଦକୁ ନେଇ ବେଳେ ବେଳେ ଅପଦସ୍ତ ହେବାକୁ ପଡେ । କୌଣସି ଆଲୋଚନା ଚକ୍ର କିମ୍ବା ମିଟିଂ ଚାଲିଥିବାବେଳେ କିଛି ଲୋକଙ୍କୁ ନିଦ ଲାଗିଥାଏ। ଏହାକୁ ଅନେକ ଶରୀର ଅଶୁସ୍ଥ ବା ବାର୍ତ୍ତାଳାପ ମଜାଦାର ନ ହେବାରୁ ନିଦ ଲାଗୁଥିବା କହିଥାନ୍ତି। କିନ୍ତୁ ଏହା ପ୍ରକୃତ କାରଣ ନୁହେଁ । ନିଦର ପ୍ରକୃତ କାରଣଟି ହେଲା ମସ୍ତିଷ୍କରେ ଥିବା ସ୍ନାୟୁ କୋଷିକା ଦାୟୀ ବୋଲି ଗବେଷକମାନେ ଜାଣି ପାରିଛନ୍ତି। କିଛି ନର୍ଭଙ୍କର ଦୁର୍ବଳତା ଯୋଗୁ ନିଦ ଆସିଥାଏ ବୋଲି ଗବେଷଣାରୁ ବୈଜ୍ଞାନିକମାନେ ଜାଣି ପାରିଛନ୍ତି । ମସ୍ତିଷ୍କରେ ଥିବା ଆକ୍ୟୁବେନ୍ ନ୍ୟୁକ୍ଲିୟସ୍ ନିଦ ସୃଷ୍ଟି କରିବାରେ ସହାୟକ ହୋଇଥାଏ।

ତୁସୁକୁବା ଓ ଫୁଦାନ୍ ବିଶ୍ୱ ବିଦ୍ୟାଳୟର ଗବେଷକମାନେ କେମିଓ-ଜେନେଟିକ୍ ଓ ଅପ୍ଟିକାଲ ଟେକନିକ୍ ମାଧ୍ୟମରେ କିଭଳି ମସ୍ତିଷ୍କରେ ଥିବା ସ୍ନାୟୁ କୋଷିକା ନିଦରେ ସହାୟ ହୋଇଥାନ୍ତି ତାହା ଅଧ୍ୟୟନ କରିଛନ୍ତି । ସାଧାରଣ ନିଦ ଅପେକ୍ଷା କୌଣସି ଆଲୋଚନା ଚକ୍ର ଓ ମିଟିଂ କିମ୍ବା ପଢିବା ବେଳେ ଅଧିକ ନିଦ ଆସିଥାଏ, ତାହା ମସ୍ତିଷ୍କର ଉଚ୍ଚ ତରଙ୍ଗ ଦ୍ୱାରା ଉତ୍ପନ୍ନ ହୋଇଥାଏ ବୋଲି ପ୍ରଫେସର ୟୋ ଓଶିହି ଗବେଷଣାରୁ ଜାଣିପାରିଛନ୍ତି । ଏଥିରେ ସୋମନୋଜେନ୍ ଆଡିନୋସାଇନ୍ ବାୟୋକେମିକାଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆଡିନୋସାଇନ୍ ମସ୍ତିଷ୍କକୁ ନିଦ ସମ୍ପର୍କରେ ସୂଚନାଦେବା ସହ ଶରୀରରେ ସାଧାରଣ ଭାବେ ଉତ୍ପନ୍ନ ହେଉଥିବା ଶକ୍ତିକୁ କମାଇ ଦେଇଥାଏ। ଫଳରେ ଆଡିନୋସାଇନ୍ ରିସେପ୍ଟର ମାଧ୍ୟମରେ ମସ୍ତିଷ୍କ ନିଦ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥାଏ।

ଆକ୍ୟୁବେନ୍ ନ୍ୟୁକ୍ଲିୟସ୍ରେ ଏ-୨-ଏ ନାମକ ଏକ ପ୍ରକାର ଆଡିନୋସାଇନ୍ ରିସେପ୍ଟର ଅଧିକ ସଂଖ୍ୟାରେ ରହିଥାଏ, ଯାହାକି ନିଦ ଲାଗିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କୌଣସି ନିଶାଦ୍ରବ୍ୟ ସେବନ କଲେ ଶରୀରରେ ଉତ୍ତେଜନା ସୃଷ୍ଟି ହୋଇଥାଏ। ଏହା ଆକ୍ୟୁବେନ୍ ନ୍ୟୁକ୍ଲିୟସ୍ ସହିତ ଏ-୨-ଏ ଆଡିନୋସାଇନ୍ ରିସେପ୍ଟରର କାର୍ୟ୍ୟରେ ମଧ୍ୟ ବାଧା ସୃଷ୍ଟି କରିଥାଏ। ଶରୀରରେ ମସ୍ତିଷ୍କ ନିର୍ଦ୍ଦେଶରେ ସୃଷ୍ଟି ହେଉଥିବା ଏହି ପ୍ରତିକ୍ରିୟାକୁ ଅଧ୍ୟୟନ କରାଯାଇ ନିଦ୍ରାହୀନତା ରୋଗର ସଫଳ ଚିକିତ୍ସା କରାଯାଇଥାଏ। ବୟସ ବଢ଼ିବା ସହିତ ଏ-୨-ଏ ଆଡିନୋସାଇନ୍ ରିସେପ୍ଟରର କାର୍ୟ୍ୟକାରିତା ହ୍ରାସ ପାଇଥାଏ। ଫଳରେ ବୟସ୍କ ଲୋକଙ୍କଠାରେ ନିଦ୍ରାହୀନତା ରୋଗ ଦେଖାଯାଇଥାଏ ବୋଲି ପ୍ରଫେସର ୟୋ ଓଶିହି କହିଛନ୍ତି । କିନ୍ତୁ ଅନେକ ସମୟରେ ପିଲାମାନେ ପାଠପଢିବା ସୟରେ ହେଉ କିମ୍ବା କ୍ଲାସ ରୁମରେ ଘୁମାଉଥିବା ଦେଖିବାକୁ ମିଳିଥାଏ । ଅଧିକ ପରିଶ୍ରମ ଓ ଖେଳାଖଏଳି ପାଇଁ ପିଲାମାନଙ୍କୁ ନିଦ ଆସୁଥିବା ବୋଲି ଆପଣ ଭାବୁଥିବେ କିନ୍ତୁ ପ୍ରକୃତ କାରଣ ହେଲା ଆଡିନୋସାଇନ ଶରୀରର ସୃଷ୍ଟି ହେଉଥିବା ଶକ୍ତିକୁ କମାଇବାର କ୍ଷମତା ରଖିଥାଏ ।