ଅବସର ନେବେ ବିଜୟଶ୍ରୀ ରାଉତରାୟ ! ପ୍ରତିଜ୍ଞା କରିବେ କି, ପରିବାରବାଦ ରାଜନୀତିକୁ ବଢାଇବେନି?

28

ରାଜନୀତିରୁ ଅବସର ନେବେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । କନକ ନ୍ୟୁଜକୁ ସୂଚନା ଦେଇ ସେ କହିଛନ୍ତି, ୨୦୧୯ରେ ନବୀନ ବାବୁ ତାଙ୍କୁ ଟିକେଟ୍ ଯାଚିଲେ ବି ସେ ନିର୍ବାଚନ ଲଢିବେ ନାହିଁ ରାଜନୀତିରେ ୪୦ ବର୍ଷ ହୋଇଗଲାଣି । ତାଂକୁ ଆହୁରି ଅନେକ କାମ କରିବାର ଅଛି । ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଓହରି ଯୁବବର୍ଗଙ୍କୁ ଦାୟିତ୍ୱ ଦିଆଯିବା ଉଚିତ । ଆସନ୍ତା ୧୦ ବର୍ଷ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ହେଲେ ବିଜୟଶ୍ରୀ ରାଉତରାୟଙ୍କ ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ପୁଅକୁ ରାଜନୀତିରେ ପ୍ରତିଷ୍ଠା କରାଇବାକୁ ସେ ଏଭଳି ପଦକ୍ଷେପ ନେଇନାହାନ୍ତି ତ? ଯଦି ଏପରି ହୁଏ ତେବେ ଅବସର ନେବାର ପ୍ରକୃତ ଲକ୍ଷ୍ୟ ଯାହା ମନ୍ତ୍ରୀ ମହୋଦୟ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ କରିଛନ୍ତି, ତାହା ସାଧିତ ହେବନି । ବିଜୟଶ୍ରୀ ରାଉତରାୟଙ୍କ ମତରେ, ସେ କ୍ଲାନ୍ତ ହୋଇନାହାନ୍ତି । ବରଂ ଯୁବଗୋଷ୍ଠୀଙ୍କୁ ରାଜନୀତି ହ୍ୟାଣ୍ଡ ଓଭର କରିଦେବା ଉଚିତ । ଜୀବନରେ ୮ଟି ନିର୍ବାଚନ ଲଢିଥିବା ବିଜୟଶ୍ରୀ ରାଉତରାୟ ଏଥିପାଇଁ ଅଗ୍ରହୀ ନଥିବା ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି ।

ଯେତେବେଳେ ନିଜ ପୁଅକୁ ରାଜନୀତିକୁ ଆଣିବା ସଂପର୍କରେ ବିଜୟଶ୍ରୀ ରାଉତରାୟଙ୍କୁ ପ୍ରଶ୍ନ ପଚରାଗଲା, ମନ୍ତ୍ରୀ ଜବାବ ରଖି କହିଲେ, ଯଦି ତାର କ୍ଷମତା ଆଉ ଦକ୍ଷତା ଥିବ ସେ ରାଜନୀତିକୁ ଆସିବ । ତାକୁ ମୁଁ ନେଇକି ଗଛ ଚଢାଇବିନି । କିନ୍ତୁ ଯଦି ସଂପୁର୍ଣ୍ଣ ଭାବରେ ମନ୍ତ୍ରୀ ମହୋଦୟ ମନା କରିଥାନ୍ତେ, ତାହେଲେ ହୁଏତ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନୂଆ ଚେହେରା ରାଜନୈତିକ ମୈଦାନକୁ ଓହ୍ଲାଇଥାନ୍ତେ । ହେଲେ ଏହି ମନା ନାହିଁ, ରାଜନୀତିରେ ପରିବାରବାଦ୍ କିଛି ନୂଆ କଥା ନୁହେଁ । ଅନେକ ରାଜନେତା ନିଜ ପରିବାରର ସଦସ୍ୟଙ୍କୁ ରାଜନୀତିରେ ପ୍ରତିଷ୍ଠିତ କରାଇ ପାରିଛନ୍ତି ।

ବିଜୟଶ୍ରୀ ରାଉତରାୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣୀ ରାଉତରାୟଙ୍କ ପୁଅ । ଆଉ ସେ ରାଜନୀତିରୁ ଅବସର ନେବା ନେଇ ଘୋଷଣା କରିବା ପରେ ତାଙ୍କ ପୁଅଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ମନ୍ତ୍ରୀ ମହୋଦୟ ଯଦି ପରିବାରବାଦ ରାଜନୀତିକୁ ଅନ୍ତ କରିବାକୁ ପ୍ରତିଜ୍ଞା ନିଅନ୍ତେ ତେବେ ହୁଏତ ରାଜନୈତିକ ଇତିହାସରେ ତାଙ୍କ ନାଁକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ହେବ । ଆଉ ଯଦି ନିଜ ପୁଅ ପାଇଁ ଟିକେଟ କରାଇବାକୁ ଲକ୍ଷ ରଖି ଏଭଳି ନିଷ୍ପତ୍ତି ନେଉଥାନ୍ତି, ତେବେ ପରିବାରବାଦ୍ ରାଜନୀତିର ବହିରେ ଆଉ ଏକ ଅଧ୍ୟାୟ ଯୋଡିହୋଇଯିବ ।