ଚିଲିକାରେ ଡଙ୍ଗାବୁଡି ପରେ ବି ପଶୁନି ଚେତା । ମହାନଦୀରେ ମୃତ୍ୟୁକୁ ଚ୍ୟାଲେଞ୍ଜ ଦେଇ ବିନା ଲାଇଫ ଜ୍ୟାକେଟରେ ପୁଣି ନଈ ଭିତରକୁ ଯାଉଛନ୍ତି ଯାତ୍ରୀ ।

248

କନକ ବ୍ୟୁରୋ : ଚିଲିକାରେ ଡଙ୍ଗା ବୁଡି ଘଟଣା ପରେ କେତେ ସଜାଗ ହୋଇଛନ୍ତି ନୌକା ଯାତ୍ରୀ ଓ ଡଙ୍ଗା ଚାଳକ । ଡଙ୍ଗାବୁଡି ଘଟଣା ପରେ ସରକାର ନୌକା ଦୁର୍ଘଟଣା ରୋକିବାକୁ ଆଣିଛନ୍ତି କଡା ଆଇନ । ହେଲେ ଗ୍ରାଉଣ୍ଡ ଜିରୋରେ ଏହାର କେତେ ପାଳନ ହେଉଛି । ସେନେଇ କେନ୍ଦ୍ରାପଡାରେ ମହାନଦୀ ଶାଖାରୁ ରିୟଲିଟି ଚେକ୍ କରିଥିଲା କନକ ନ୍ୟୁଜ ।

ବାରମ୍ୱାର ଡଙ୍ଗା ବୁଡି ପରେ ପଶୁନି ଚେତା । ବିନା ଲାଇଫ୍ ଜ୍ୟାକେଟରେ ଚାଲିଛି ନୌଯାତ୍ରା । ମହାନଦୀର ଅଥଳ ଜଳରାଶି । ତା ଭିତରେ ଭାସି ଚାଲିଥିଲା ମୋଟର ଡଙ୍ଗା । ଏହି ଡଙ୍ଗାରେ ଏମିତି ହୁକିଟୋଲାକୁ ଯାଉଛନ୍ତି ଶହ ଶହ ପର୍ଯ୍ୟଟକ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡାର ମହାନଦୀର ଏକ ଫେରି ଘାଟର । ବାରମ୍ୱାର ନୌକା ଦୁର୍ଘଟଣା ଘଟୁଥିବା ବେଳେ ମହାକାଳପଡା ଡଙ୍ଗା ବୁଡିକୁ ପୁରିଛି ଏକ ବର୍ଷ । ଏହି ଦୁର୍ଘଟଣାର ବର୍ଷକ ପରେ ଡଙ୍ଗାରେ ଯାତ୍ରା ବେଳେ କେତେ ସତେଚନ ଅଛନ୍ତି ଲୋକେ ସ୍ଥିତି ପରଖିଥିଲା କନକ ନ୍ୟୁଜ । ଆଉ ଦେଖିଥିଲୁ ବିପଦପୂର୍ଣ୍ଣ ଜଳ ଯାତ୍ରାର ଚିତ୍ର । କାରଣ କାହା ଦେହରେ ନଥିଲା ଲାଇଫ୍ ଜାକେଟ୍ ।

ମହାନଦୀରେ ମୃତ୍ୟୁକୁ ଚ୍ୟାଲେଞ୍ଜ । ମଣିଷ ସାଙ୍ଗରେ ଲଦା ହୋଇଛି ୩୦ରୁ ଅଧିକ ମୋଟର ବାଇକ୍ । ଏ ହେଉଛି ବାହାକୁଦ ଘାଟର ଚିତ୍ର । ଏହି ଡଙ୍ଗାକୁ ଦେଖିଲେ ଯେ କେହି ଅନୁମାନ କରିପାରିବେ କିପରି ରହିଛି ଓଭର ଲୋଡିଂ । ଏପରି ନୌ ଯାତ୍ରା ବେଳେ ଡଙ୍ଗାରେ ଥିବା କୌଣସି ଯାତ୍ରୀଙ୍କ ପାଖରେ ନାହିଁ ଲାଇଫ୍ ଜାକେଟ୍ । ମହାକାଳପଡା ଡଙ୍ଗା ବୁଡି ପରେ ସରକାର ନୌକା ଯାତ୍ରା ପାଇଁ କଡା ଆଇନ ଆଣିଥିଲେ । ଏହି ଦୃଶ୍ୟ ଦେଖିଲେ ଲାଗୁଛି ସବୁ ରହିଯାଇଛି କାଗଜପତ୍ରରେ ।

ଅଥଳ ଜଳରାଶିରେ ପ୍ରତିଦିନ ହୁକିଟୋଲାକୁ ଏମିତି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଶହ ଶହ ଯାତ୍ରୀ । ହେଲେ ନୌକା ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ଡଙ୍ଗାରେ ରହୁନି ଆବଶ୍ୟକ ଲାଇଫ୍ ଜ୍ୟାକେଟ୍ । ଆଉ ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ଦୁର୍ଘଟଣା ଘଟିଲେ ଦାୟୀ ହେବ କିଏ ।