ସ୍ୱପ୍ନର ଘର ପାଇଁ ଚାଲିଗଲା ଜୀବନଯାକର ସଂଚୟ ! ୫୦ ଲକ୍ଷ ଲୁଟିନେଲେ ମାଲିକ, ଘର ନିଲାମ ପାଇଁ ନୋଟିସ ଲଗାଇଲା ବ୍ୟାଙ୍କ

22

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଘର ଖଣ୍ଡିଏ କିଣିବାକୁ ଚାହୁଁଛନ୍ତି କି ତେବେ ସାବଧାନ ହୋଇ ଯଆନ୍ତୁ । ରାଜଧାନୀରେ ଘର କରି ଖୁସିରେ ଜୀବନ ବିତାଇବାକୁ ଚାହୁଁଥିବା ଲୋକଙ୍କ ଜୀବନରେ ଲାଗିପାରେ ଗ୍ରହଣ । ଏମିତି ଏକ ଘଟଣା ଆମେ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛୁ ଯାହା ରାଜଧାନୀରେ ଘର କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଖି ଖୋଲିଦେବ । ଜମି କିମ୍ବା ଘର କିଣିବାବେଳେ ଦ୍ୱିତୀୟଥର ଚିନ୍ତା କରିବାକୁ ବାଧ୍ୟ କରିବ । କାରଣ ସାମ୍ନାକୁ ଆସିଛି ରିୟଲ ଇଷ୍ଟେଟ ଠକେଇର ନୂଆ ତରିକା । ଯାହା ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ । ରିଅଲ ଇଷ୍ଟେଟ ଠକେଇର ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି ।ସ୍ୱପ୍ନର ଘର ପାଇଁ ଚାଲିଗଲା ଜୀବନଯାକର ସଂଚୟ ।ଘର ଦେବାକୁ କହି ୫୦ ଲକ୍ଷ ଲୁଟିନେଲା ମାଲିକ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲ୍ଲାର ପଦ୍ମନାଭ ବେହେରା ଓ ତାଙ୍କ ପରିବାର । ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ଥିବା ଘର କିଣିବାକୁ ମନ ବଳାଇଥିଲେ । ୯୬ ଲକ୍ଷ ଟଙ୍କାରେ ଡିଲ ଫାଇନାଲ ହେବା ପରେ ଘର ମାଲିକ ଗୋବିନ୍ଦ ଚନ୍ଦ୍ର ବଳଙ୍କୁ ତିନିଟି କିସ୍ତିରେ ଦେଇଥିଲେ ୫୦ ଲକ୍ଷ ଟଙ୍କା । କୋର୍ଟ ପେପରରେ ଟଙ୍କା ଦିଆନିଆ ବାବଦରେ ଚୁକ୍ତି ହୋଇଛି । ପଦ୍ମନାଭଙ୍କ ପରିବାରକୁ ଘରର ଚାବି ହସ୍ତାନ୍ତର ବି କରିଛନ୍ତି ଗୋବିନ୍ଦ । ହେଲେ ଘରର ଓନରସିପ ଟ୍ରାନ୍ସଫର ହେବା ପୂର୍ବରୁ ଏହି ଘରେ ନୋଟିସ ଲଗାଇଛି ସହିଦନଗରର ଏକ ଘରୋଇ ବ୍ୟାଙ୍କ । ଘରକୁ ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଲୋନ ଉଠାଇଛନ୍ତି ଗୋବିନ୍ଦ । ଏବେ ଲୋନ ଟଙ୍କା ଅସୁଲ କରିବା ପାଇଁ ଘର ନିଲାମ କରିବାକୁ ଚାହୁଁଛି ବ୍ୟାଙ୍କ ।

ଲୋନ ବାବଦରେ ସଂପୂର୍ଣ୍ଣ ଅନ୍ଧାରରେ ରଖି ଘର ବିକ୍ରି କରିଛନ୍ତି ମାଲିକ । ଏ ବାବଦରେ ଜାଣିବା ପରେ ପଦ୍ମନାଭଙ୍କ ପାଦତଳୁ ମାଟି ଖସିଯାଇଛି । କାରଣ ଏକ ତେଜରାତି ଦୋକାନ କରି ଜୀବନଯାକ ଯାହା ସଂଚୟ କରିଥିଲେ ସେହି ଟଙ୍କାରେ ଏହି ଘର କିଣିଛନ୍ତି । ଗାଁରେ ଥିବା ଜମିବାଡି ମଧ୍ୟ ବିକ୍ରି କରିଦେଇଛନ୍ତି । ଘର ଖଣ୍ଡିକ ବ୍ୟାଙ୍କ ନିଲାମ କରିଦେଲେ କରିବେ କଣ ଏବେ ସେହି ଚିନ୍ତାରେ । ପଦ୍ମନାଭଙ୍କ ସହ ତାଙ୍କ ସାନଭାଇ, ବୁଢା ବାପା, ମାଆ ଓ ଏକ ଦିବ୍ୟାଙ୍ଗ ଝିଏ ବି ଏହି ଘରେ ରହୁଛନ୍ତି ।

ଏଭଳି ବଡଧରଣ ଠକାମୀର ଶିକାର ହେବା ପରେ କୋର୍ଟର ଆଶ୍ରୟ ନେଇଛନ୍ତି ପଦ୍ମନାଭଙ୍କ ପରିବାର । ପ୍ରଶ୍ନ ଉଠୁଛି ଯଦି ଘର ବିକ୍ରି ହେବା ପୂର୍ବରୁ ବ୍ୟାଙ୍କ ଲୋନ ଥିଲା, ତେବେ ସେଲଡିଡି ବେଳେ ଏକଥା ପଦ୍ମନାଭ ଜାଣିପାରିଲେ ନାହିଁ କିପରିି । ଆଉ ଯଦି ଘର ବିକ୍ରି ପରେ ଏହି ଲୋନ ହୋଇଛି ତେବେ ସଂପୃକ୍ତ ବ୍ୟାଙ୍କର ମଧୁଚନ୍ଦ୍ରିକା ନେଇ ମଧ୍ୟ ତଦନ୍ତ ହେବା ଦରକାର ।