କଂଗ୍ରେସ ବିଧାୟକଙ୍କ ବୟାନରେ ଖପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ! କହିଲେ, ସୀମା ଲଂଘୁଛନ୍ତି ବିଧାୟକ, ଛାଡିଦେବେ ମୁଖ୍ୟମନ୍ତ୍ରୀ ପଦ । 

166

କନକ ବ୍ୟୁରୋ : କଂଗ୍ରେସ ବିଧାୟକଙ୍କ ବୟାନରେ ଖପ୍ପା ହୋଇଯାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ  । କୁମାରସ୍ୱାମୀ କହିଛନ୍ତି ଯେ, ସୀମା ଲଂଘୁଛନ୍ତି ବିଧାୟକ ଏବଂ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବେ । ସେପଟେ ସିଦ୍ଧରମେୟାଙ୍କୁ ନେଇ ବିଧାୟକ ତାଙ୍କ ମନ କଥା କହିବାରେ କୌଣସି ଆପତି ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅପରପକ୍ଷରେ ବିଧାୟକଙ୍କ ବୟାନକୁ ନେଇ କୌଣସି ବିବାଦ ନାହିଁ ବୋଲି ସିଦ୍ଧରମେୟା କହିଛନ୍ତି  । ସିଦ୍ଧରମେୟା ହିଁ ତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଥିବା ବିଧାୟକ ଏସ୍.ଟି ସୋମଶେଖରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କଂଗ୍ରେସ  ।

ମହାମେଂଟ ଫର୍ମୁଲାରେ କର୍ଣ୍ଣାଟକରେ ବନି ଥିବା କଂଗ୍ରେସ ଓ ଜେଡିଏସ ସରକାର ଉପରେ ପୁଣି ଦେଖାଦେଇଛି ସଙ୍କଟ । କଂଗ୍ରେସ ବିଧାୟକ ଏସ୍.ଟି ସୋମଶେଖରଙ୍କ ବୟାନକୁ ନେଇ କୁମାରସ୍ୱାମୀ ନିଜ ସହଯୋଗୀ କଂଗ୍ରେସ ଉପରେ ଖପ୍ପା ହୋଇଛନ୍ତି । କଂଗ୍ରେସ ବିଧାୟକ କହିଥିଲେ ଯେ, ତାଙ୍କର ନେତା କୁମାରସ୍ୱାମୀ ନୁହଁନ୍ତି ବରଂ ସିଦ୍ଧରମୟା । ଏବଂ ସିଦ୍ଧରମେୟା ହିଁ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ । ଯାହା ଉପରେ କୁମାରସ୍ୱାମୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ସବୁ ପ୍ରସଙ୍ଗ ପ୍ରତି କଂଗ୍ରେସ ନଜର ଦେବା ଆବଶ୍ୟକ । ଯଦି ସେମାନେ ଏହି ସବୁ କାମ ଜାରି ରଖିବେ ତେବେ ସେ ନିଜ ପଦରୁ ଇସ୍ତଫା ଦେଇଦେବେ ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ  । ଜି. ପରମେଶ୍ୱର କହିଛନ୍ତି ଯେ, ସିଦ୍ଧରମୟା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ  । ବିଧାୟକ ମାନେ ସିଦ୍ଧରମୟାଙ୍କୁ ନେଇ ନିଜ ମତ ବ୍ୟକ୍ତ କରିବାରେ କୌଣସି ଭୁଲ୍ ନାହିଁ । ତେବେ ବିଧାୟକଙ୍କ ଏପରି ମନ୍ତବ୍ୟକୁ ନେଇ ଆପତି ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

କୁମାରସ୍ୱାମୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ନେତା ଜିଭିଏଲ ନରସିଂହ ରାଓ କହିଛନ୍ତି ଯେ, ମେଂଟ ସରକାରର କନ୍ଦଳକୁ ଲୁୁଚାଇବାକୁ ଦୁଇ ଦଳ ବିଜେପିକୁ ବିବାଦକୁ ଟାଣୁଛନ୍ତି । ଗତ କିଛି ଦିନ ଧରି କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି । କିଛି ଦିନ ପୂର୍ବରୁ ହିଁ ନିର୍ଦ୍ଦଳୀୟ ବିଧାୟକମାନେ କଂଗ୍ରେସ ଓ ଜେଡିଏସ ମେଂଟ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଏହାସହ କଂଗ୍ରେସର କିଛି ବିଧାୟକ ମଧ୍ୟ ଖପ୍ପା ଥିଲେ ଏବଂ ସେମାନେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା ।