ବାତ୍ୟା ପଛେ ପଛେ ଯାଇ ବଦନାମ! ଗଂଜାମ, ଗଜପତିର ସତ, ଭୁବନେଶ୍ୱରକୁ ଗପ!

40

କିଛି ଦିନ ପୂର୍ବରୁ ଆସିଥିବା ଚଳଚିତ୍ର ‘ସଂଜୁ’ର ବ୍ୟକ୍ତିଗତ ଭାବେ କିଏ ସମର୍ଥନ କରିପାରେ ବା ବିରୋଧ କରିପାରେ ହେଲେ ଚଳଚିତ୍ରର ଶେଷ ଭାଗରେ ବ୍ୟବହାର ହୋଇଥିବା କିଶୋର କୁମାରଙ୍କ ଗୀତ କିନ୍ତୁ ମନକୁ ଛୁଇଁ ଯାଇଥିଲା ।

“କୁଛ ତୋ ଲୋଗ କହେଙ୍ଗେ
ଲୋଗୋଁ କା କାମ୍ ହେ କେହନା
ଛୋଡୋ ବେକାର କି ବାତୋଁ ମେଁ
କହିଁ ବିତ୍ ନା ଜାୟେ ରୈନା”

ବାସ୍ତବରେ ଏହି କିଛି ଶଦ୍ଦର ଯଥେଷ୍ଟ ଗୁରୁତ୍ୱ ରହିଛି । ଠିକ ଯେମିତି ବାତ୍ୟା ‘ତିତଲି’ର ଖବର ପରିବେଷଣ ନେଇ ଗଣମାଧ୍ୟମ ଉପରେ ଉଠିଛି ପ୍ରଶ୍ନବାଚୀ । ଖବରକୁ ଅତିରଂଜିତ କରିବା, ଲୋକଙ୍କୁ ଡରାଇବା, ଛନକା ଭରିବା ଆଉ ଟିଆରପି ବଢାଇବା ପାଇଁ ଭୁଲ ଖବର ପରିବେଷଣ କରିବା ଭଳି ଅନେକ ଦାଗ ‘ତିତଲି’ ଗଣମାଧ୍ୟମ ଦେହରେ ଲଗାଇଛି । 
ଗଣମାଧ୍ୟମର ଭୂଲ କଣ?
ରାତି ପ୍ରାୟ ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ହଠାତ୍ ରାଜୀବ ଭବନ ଅର୍ଥାତ୍ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ପହଂଚି ସମୀକ୍ଷା କଲେ । ଆଉ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ, ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମ ଏହାଠାରୁ କଣ ଅଧିକ ଦେଖାଇଲା? ଯଦି ବାତ୍ୟାର ପ୍ରକୋପ ଅଧିକ ହେବାର ଆଶଙ୍କା ସରକାର ପ୍ରକାଶ କରନ୍ତି, ତେବେ ଗଣମାଧ୍ୟମ କଣ ଚୁପ୍ ବସିଥାନ୍ତା?


ପାଣିପାଗ ବିଭାଗର ପୂର୍ବାନୁମାନ
ଗତ ୩ ଦିନ ଧରି ଲଗାତର ଭାବେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ତାଜା ବୁଲେଟିନ ଜାରି କରାଯାଉଥିଲା । ଅର୍ଥାତ୍ ‘ତିତଲି’ର ସ୍ଥିତିକୁ ନେଇ ସବୁ ଖବର ଏଥିରେ ସ୍ଥାନ ପାଉଥିଲା । କେତେ ବେଗରେ ଏହା ସ୍ଥଳଭାଗ ଆଡକୁ ଆସୁଥିଲା, ପବନର ବେଗ କେତେ ରହିବ, କେଉଁ ଜିଲ୍ଲା ପ୍ରତି ବିପଦ ରହିଛୀ, ଏହି ସବୁ ଖବର ଗଣମାଧ୍ୟମ ଏହି ବୁଲେଟିନରୁ ପାଇ ତାକୁ ଟିଭି ସ୍କ୍ରୀନରେ ଦେଖାଉଥିଲା ।


ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଥିଲେ । ଦିଲ୍ଲୀରେ ଭାରତୀୟ ପାଣିପାଗ ବିଭାଗର ବାତ୍ୟା ବିଭାଗ ମୁଖ୍ୟ ଆକଳନ କରୁଥିଲେ, ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ତଥ୍ୟ ଦେଉଥିଲା, ଗୋପାଳପୁରରେ ଲାଗିଥିବା ଡୋପଲର ରାଡାରରୁ ଆକଳନ କରି ଗଣମାଧ୍ୟମକୁ ତଥ୍ୟ ଦିଆଯାଉଥିଲା । ଆଉ ସବୁଥିରେ କୁହାଯାଉଥିଲା, ବାତ୍ୟାର ପ୍ରକୋପ ଓଡିଶା ଉପରେ ରହିବ, ସତର୍କ ରହିବାକୁ ସବୁଥିରେ ପରାମର୍ଶ ଦିଆଯାଉଥିଲା । ଏହାକୁ ଟିଭି ସ୍କ୍ରୀନରେ ନେବାକୁ ଛାଡିଦେଲେ ବୋଧହୁଏ ଗଣମାଧ୍ୟମ ଆଉ କିଛି କରିନଥିଲା ।


ସରକାରୀ ପଦକ୍ଷେପ
ପାଣିପାଗ ବିଭାଗର ପୂର୍ବାନୁମାନ ଫଳରେ ସରକାରୀ ସ୍ତରରେ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା । ତୁହାକୁ ତୁହା ସମୀକ୍ଷା ସହ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା । ସ୍କୁଲ, କଲେଜ ଛୁଟି ହେଉଥିଲା । କଲେଜ ନିର୍ବାଚନ ବାତିଲ ହୋଇଥିଲା । ସେନାର ସାହାଯ୍ୟ ନେବାକୁ ସରକାର ପ୍ରସ୍ତୁତ ହେଉଥିଲେ । ଏସବୁକୁ ହିଁ ରିପୋର୍ଟ ଜରିଆରେ ଗଣମାଧ୍ୟମ ଦେଖାଉଥିଲା । ସରକାର ଯେତେବେଳେ ଏତେ କ୍ରିୟାଶୀଳ ହୋଇଛନ୍ତି, ସେତେବେଳେ କଣ ଗଣମାଧ୍ୟମ ଚୁପ୍ ବସିଥାନ୍ତା କି?


ରାତିରେ କଭରେଜ
ସାରାରାତି ସମସ୍ତ ଗଣମାଧ୍ୟମ ତିତଲି ସଂକ୍ରାନ୍ତୀୟ ଖବର ପ୍ରସାରଣ କରୁଥିଲା । ଏଥିରେ ପ୍ରତିଯୋଗୀତା ଥାଇପାରେ ହେଲେ ଉଦ୍ଦେଶ୍ୟ କିନ୍ତୁ ଥିଲା ଲୋକଙ୍କୁ ସଚେତନ କରିବା । ଗଣମାଧ୍ୟମର ପ୍ରତିନିଧି ଯେତେବେଳେ ଗୋପାଳପୁରରରେ ଠିଆ ହୋଇ ଲୋକଙ୍କ ନିକଟରେ ଭିଡିଓ ପହଂଚାଉଥିଲେ ତାକୁ ଘରେ ବସି ଦେଖୁଥିବା ଲୋକ ହିଁ ସକାଳୁ ପ୍ରତିକ୍ରିୟା ପ୍ରକାଶ କରୁଥିଲେ ।


ସାମ୍ବାଦିକ କଣ ପାଣିପାଗ ବିଜ୍ଞାନୀ?
ବୋଧହୁଏ କୈାଣସି ଗଣମଧ୍ୟମରେ କେହି ସାମ୍ବାଦିକ କାମ କରୁନାହାନ୍ତି, ଯିଏ ଜଣେ ପାଣିପାଗ ବିଜ୍ଞାନୀ । ଅର୍ଥାତ୍ ସେମାନେ କିଛି ପୂର୍ବାନୁମାନ କରି କହିଦେବେ ଅବା ସେମାନେ ନିଜର କଥାକୁ ଅନ୍ୟ ଉପରେ ଲଦିଦେବେ । ଭାରତୀୟ ପାଣିପାଗ ବିଭାଗ ତରଫରୁ ଦିଆଯାଉଥିବା ତଥ୍ୟ, ସାଟେଲାଇଟ ଚିତ୍ର ଏବଂ କିଛି ବେସରକାରୀ ୱେବସାଇଟ ଦେଉଥିବା ଖବରକୁ ଆଧାର କରି ହିଁ ଗଣମାଧ୍ୟମ ତାର ଖବର ପରିବେଷଣ କରୁଥିଲା ।


ତରିକା ଅଲଗା ହୋଇପାରେ…
ଯେଉଁ ତମାମ ତଥ୍ୟ ଲୋକଙ୍କ ପାଖରେ ପହଂଚୁଥିଲା ବା ଯେଉଁଭଳି ପହଂଚୁଥିଲା ସତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇପାରେ । ହେଲେ ତଥ୍ୟ ବାହାରେ ଯେ କେହି ଆକାଶରୁ ତୋଳି ଆଣି ବା ସଂପୂର୍ଣ୍ଣ ଅମୁଳକ କଥା କହୁଥିଲେ, ଏହା ଭାବିବା ସଂପୂର୍ଣ୍ଣ ଭୁଲ । କାରଣ ପ୍ରତିଟି ଗଣମାଧ୍ୟମରେ ସମ୍ବେଦନଶୀଳ ସାମ୍ବାଦିକ ମାନେ କାମ କରିଥାନ୍ତି । ଆଉ ସେମାନେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ଥାନ୍ତି ।


କଣ କରିଥାନ୍ତା ଗଣମାଧ୍ୟମ?
ସରକାରୀ କଳ ଆଉ ଜିଲ୍ଲା ପ୍ରଶାସନ ଯେତେବେଳେ ମିଶନ ମୋଡରେ କାମ କରୁଛନ୍ତି ଆଉ ଜିରୋ କାଜୁଆଲଟି ଲକ୍ଷ୍ୟ ରଖି ଆଗକୁ ବଢୁଛନ୍ତି ଠିକ ସେତିକି ବେଳେ ଗଣମାଧ୍ୟମର ପ୍ରତିନିଧି କଣ ଚୁପ୍ ବସିଥାନ୍ତେ? ନିଜ ପ୍ରତିନିଧିଙ୍କୁ ନ୍ୟୁଜ କଭର କରିବାକୁ ପଠାଇବା କଣ ଠିକ ନିଷ୍ପତ୍ତି ନଥିଲା? ‘ତିତଲି’କୁ ନେଇ ଯେତେବେଳେ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଉଥିଲା ସେତେବେଳେ କଣ ଆମେ ଆଉ କିଛି ଖବର ଦେଖାଇଥାନ୍ତୁ?


ଫାଇଲିନ ଓ ହୁଡହୁଡ
ଏହି ଦୁଇଟି ବାତ୍ୟାର ପ୍ରତ୍ୟକ୍ଷ ଅନେକ ସାମ୍ବାଦିକଙ୍କର ରହିଛି । ଆଉ ସମସ୍ତେ ବେଶ ଭଲ ଭାବେ ଜାଣିଛନ୍ତି, କିଭଳି ଲୋକମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସାହାଯ୍ୟ ପାଇଥିଲେ । ଫାଇଲିନର ଦିନକ ପରେ ଯେତେବେଳେ ହିଂଜିଳି ଠାରୁ କିଛି ଦୂରରେ ଏକ ଗାଁକୁ ନ୍ୟୁଜ କଭରେଜ ପାଇଁ ଯାଇଥିଲୁ ସେତେବେଳେ ଲୋକଙ୍କର ଆମଠାରୁ ଢେର ଆଶା ଥିଲା । ବିସ୍କୁଟ, କଦଳୀ ଓ ପାଣି ବୋତଲ ଯୋଗାଇବାର ଏକ ମାଧ୍ୟମ ଆମେ ସାଜିଥିଲୁ । ଫାଇଲିନ ପରେ ଆସିଥିବା ବନ୍ୟାରେ ଲୋକଙ୍କ ଦୁଃଖକୁ ଦେଖାଇବା ପରେ ଯେତେବେଳେ ପ୍ରଶାସନ ପହଂଚୁଥିଲା ସେହି ମୁହୁର୍ତ୍ତ ସବୁ ଅଲଗା ପ୍ରକାରର ଥିଲା । ହୁଡହୁଡ ବେଳେ ଯଦିଓ ସ୍ଥିତି ସଂଗୀନ ହୋଇନଥିଲା ତଥାପି ଗଣମାଧ୍ୟମ ତାର ସଚେତନ କରିବା କାର୍ଯ୍ୟରୁ ବିରତ ରହିନଥିଲା ।


‘ତିତଲି’ ଆଉ ସୋସିଆଲ ମିଡିଆ
ବଡ କଥା ହେଉଛି, ତିତଲି ଯେତେବେଳେ ତାର ଗତିପଥ ବଦଳାଇଲା ଓ ଯାହା ପୂର୍ବାନୁମାନ କରାଯାଇଥିଲା ତାହା ଭୁଲ ହେଲା ସେତେବେଳେ ଗଣମାଧ୍ୟମ ଖବର ଦେଖାଇଥିବାରୁ ସୋସିଆଲ ମିଡିଆରେ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା । କୁହାଗଲା, ମିଡିଆ ଟିଆରପି ପାଇଁ ମିଛ ଖବର ଦେଖାଇଲା ଆଉ ଲୋକଙ୍କୁ ଡରାଇଲା ।


ଏଯାବତ୍ ବୁଝାପଡୁନି, ମିଡିଆ କଣ ଭୂଲ ଦେଖାଇଲା? ସରକାର ଆଉ ପାଣିପାଗ ବିଜ୍ଞାନୀ ଯାହା କହିଲେ, ତାକୁ ଯଦି ଦେଖାଇବା ଭୂଲ ଥିଲା ତେବେ ଗଣମାଧ୍ୟମ କାହାକୁ ବିଶ୍ୱାସ କରିବ? ଗୋଟିଏ କାମ କରିବା, ଯେଉଁମାନେ ସୋସିଆଲ ମିଡିଆରେ ଆଜି ପାଣିପାଗ ବିଜ୍ଞାନୀ ସାଜି ଗଣମାଧ୍ୟମକୁ ନୈତିକତାର ପାଠ ପଢାଇଉଛନ୍ତି ସେମାନେ ଏଥର ଠାରୁ ପୂର୍ବାନୁମାନ କରନ୍ତୁ ଆଉ ଗଣମାଧ୍ୟମକୁ ପ୍ରେସ ରିଲିଜ ଜରିଆରେ ତଥ୍ୟ ପଠାନ୍ତୁ ଯେ, ପାଣିପାଗ କିଭଳି ରହିବ, ଆମେ ସେହି ଅନୁସାରେ ଖବର ପ୍ରସାରଣ କରିବୁ ।


ଯିଏ ଦେଖିଛି ସେ ଜାଣିଛି
ସୋସିଆଲ ମିଡିଆରେ କିଛି ଲୋକ କହିଦେଲେ, ‘ତିତଲି’ର ପ୍ରଭାବ କିଛି ନାହିଁ । ଅଯଥାରେ ଏକ ଡର ସୃଷ୍ଟି କରାଗଲା । ଲୋକଙ୍କ ମନରେ ଭୟ ଭରିଦିଆଗଲା । ହେଲେ ଯେଉଁମାନେ ଏହା କହୁଛନ୍ତି, ସେମାନେ କେଉଁ ସ୍ଥାନରେ ଥିଲେ? ଗୋପାଳପୁରରେ ଥାଇ ସେମାନେ କଣ ବାସ୍ତବ ଚିତ୍ର ଦେଖି ଫେସବୁକରେ ପୋଷ୍ଟ କରୁଥିଲେ, ବୋଧହୁଏ ନା । ଯେଉଁ ସବୁ ଗଣମାଧ୍ୟମର ପ୍ରତିନିଧି ଗୋପାଳପୁରରେ ଠିଆ ହୋଇ ‘ତିତଲି’ ବାବଦରେ ରିପୋର୍ଟିଂ କରୁଥିଲେ, ସେମାନେ ହିଁ ଏହାର ବାସ୍ତବ ସ୍ଥିତିକୁ ଅନୁଭବ କରିଛନ୍ତି ।


ମତ ରଖିବା ସହଜ?
ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ଯେଉଁଠି, ଯେ କୈାଣସି ବ୍ୟକ୍ତି ନିଜର ଚିନ୍ତାକୁ ବ୍ୟକ୍ତ କରିପାରିବ ନିଜର ମତ ରଖିପାରିବ । ଏଥିରେ କିଛି ଅସୁବିଧା ନାହିଁ । ସ୍ୱାଧୀନ ମତ ରଖିବାର ଅଧିକାର ସମସ୍ତଙ୍କର ରହିଛି । ହେଲେ ଗତ କିଛି ଦିନର ଟ୍ରେଣ୍ଡ କହୁଛି, କିଭଳି ମିଡିଆ ଉପରେ ଦୋଷ ଲଦିବା ଏବଂ ସାମ୍ବାଦିକଙ୍କୁ କାଠଗଡାରେ ଠିଆ କରିବା ଏକ ସାଧାରଣ କଥାରେ ପରିଣତ ହେଲାଣି । ତେଣୁ ସ୍ୱାଭାବିକ ଭାବେ, ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପାଇବା ସ୍ୱାଭାବିକ ।

ଫେସବୁକର କ୍ରାଇସିସ ରେସପନସ
ବାତ୍ୟା ତିତଲି ପାଇଁ କ୍ରାଇସିସ ରେସପନସ ପେଜ ଆରମ୍ଭ କରିଥିଲା ଫେସବୁକ । ନିଜେ ସୁରକ୍ଷିତ ଥିବା ନେଇ ଜଣାଇବା ସହ ସାହାଯ୍ୟ ଆବଶ୍ୟକ କରିବା ଏବଂ ସାହାଯ୍ୟ ଯୋଗାଇବା ପାଇଁ ଏଥିରେ ଅପ୍ସନ ଥିଲା । ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଏକ ପଦକ୍ଷେପ ଓଡିଶାର ଏକ ବାତ୍ୟାକୁ ନେଇ କରାଯାଇଥିଲା । ଯଦି କିଛି ବି ହେବାର ନଥିଲା ବୋଲି ତଥାକଥିତ ଲୋକମାନେ ନିଜ ମତ ରଖୁଛନ୍ତି, ତେବେ ଫେସବୁକ ବି ବୋଧହୁଏ ବୁଝିପାରିନଥିଲା । କିମ୍ବା ଖୁସିରେ ଏଭଳି ଏକ ପେଜ ଆରମ୍ଭ କରିଦେଇଥିଲା ବୋଧହୁଏ ।


‘ତିତଲି’ ତାଣ୍ଡବ ରଚିଥିଲେ…
ଯଦି ‘ତିତଲି’ ପ୍ରଚଣ୍ଡ ରୂପ ଧାରଣ କରି ତାଣ୍ଡବ ରଚିଥାନ୍ତ ତେବେ ସୋସିଆଲ ମିଡିଆର ତମାମ ପୋଷ୍ଟ ଯାହା ଗଣମାଧ୍ୟମକୁ କାଠଗଡାରେ ଠିଆ କରିଛି, ତାହା ସରକାରଙ୍କ ଆଡକୁ ମୋଡି ହୋଇଯାଇଥାନ୍ତା । ସରକାରଙ୍କ ଦୁରଦୃଷ୍ଟିର ଅଭାବ, ସରକାର କ୍ରିୟାଶୀଳ ହେଲେନାହିଁ, ସରକାରଙ୍କ ଅପାରଗତା ପାଇଁ ପ୍ରବଳ କ୍ଷୟକ୍ଷତି ହେଲା ଏମିତି କେତେ କଣ । ଏହା କହିବାର ଅର୍ଥ ପ୍ରତିଟି ଉକ୍ତିର ଦୁଇଟି ଦିଗ ରହିଛି । ତେଣୁ କିଏ କେଉଁ ଭଳି ବ୍ୟବହାର କରିବ, ଏହା ଉକ୍ତ ବ୍ୟକ୍ତିର ଚିନ୍ତା ଉପରେ ନିର୍ଭର କରିଥାଏ ।


ଗଣମାଧ୍ୟମ ପାଇଁ କିଶୋର କୁମାରଙ୍କର ଦୁଇଟି ଗୀତ ବେଶ ପ୍ରଯୁଜ୍ୟ । ଗୋଟିଏ ଗୀତ ଆରମ୍ଭରେ ଲେଖିଥିଲୁ, ଶେଷରେ ଆଉ ଏକ ଗୀତ…

ମଝଧାର ମେଁ ନୟା ଡୋଲେ
ତୋ ମାଂଝି ପାର୍ ଲଗାୟେ
ମାଂଝି ଯୋ ନାଓ ଡୁବୋୟେ
ଉସେ କୈାନ ବଚାୟେ?

ଗଣମାଧ୍ୟମ ପ୍ରତିନିଧି ଭାବେ ଲୋକଙ୍କୁ ସଚେତନ କରିବାକୁ ଆମେ ଦିନରାତି ପ୍ରୟାସ କରିଥିଲୁ, ହେଲେ କିଛି ଲୋକଙ୍କ ନଜରରେ…
ପୁରୁଣା କଥାର କିଛି ଅବତାରଣ କରିବା ଆବଶ୍ୟକ ନାହିଁ, କେତେବେଳେ ଗଣମାଧ୍ୟମ ସହାୟକ ହୋଇଥିଲା ଆଉ କେବେ ହୋଇନାହିଁ, ହେଲେ ଏତିକି ବୁଝିବାକୁ ଯଥେଷ୍ଟ ଲୋକ ପ୍ରତିକ୍ରିୟା ପ୍ରକାଶ କରିବା ସହଜ । ଯେଉଁମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି ତାହା ଆମକୁ ଶକ୍ତ କରାଏ ଏବଂ ଆଗକୁ ବଢିବାକୁ ପ୍ରେରଣା ମଧ୍ୟ ଦିଏ ।

Comments are closed.