ସୋସିଆଲ ମିଡିଆକୁ ଦୂରୁ ଜୁହାର…କାନ୍ଦି ପକାଇଲେ ମାଲକାନଗିରି ନର୍ସ । କହିଲେ ଭୁଲ କରିଛି, ଦଣ୍ଡ ଭୋଗିବି…

765

କନକ ବ୍ୟୁରୋ: କାନ୍ଦିଲେ ଟିକଟକ୍ ଗାର୍ଲ । କରିଥିବା ଭୁଲ ପାଇଁ ମନ ଦୁଃଖ କଲେ ମାଲକାନଗିରି ମୁଖ୍ୟ ମେଡିକାଲର ନର୍ସ । ଡ୍ୟୁଟି ସରିଯିବା ପରେ ସେମାନେ ଏହି ଭିଡିଓ କରିଥିଲେ । ଡ୍ୟୁଟି ସରିବା ପରେ ଚେଞ୍ଜିଂ ରୁମରେ ସେମାନେ ସମୟ ଅତିବାହିତ କରିବା ପାଇଁ ନିଜ ନିଜ ମଧ୍ୟରେ ଏହି ଭିଡିଓ କରିଥିବା କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଜଣେ ନର୍ସ ।

 

ଏସଏନସିୟୁରେ ନବଜାତ ପିଲା ସହ କରାଯାଇଥିବା ଭିଡିଓକୁ ଖଣ୍ଡନ କରିଛନ୍ତି ନର୍ସ ଜ୍ୟୋତି ରୟ । ପିଲାଟି ଡିସଚାର୍ଜ ହୋଇସାରିଥିଲା, ସେ ସୁସ୍ଥ ଥିଲା । ସେହି ଗୋଟିଏ ଭିଡିଓକୁ ଛାଡିଦେଲେ ଆଉ ସମସ୍ତ ଭିଡିଓ ଆମେ ବାହାରେ ସୁଂଟି କରିଛୁ ବୋଲି ନର୍ସ କହିଛନ୍ତି । ତେବେ ପ୍ରତିକ୍ରିୟା ଦେବାବେଳେ କାନ୍ଦିକାନ୍ଦି କହୁଥିଲେ ନର୍ସ । କରିଥିବା ସେ ଭିଡିଓ କଥା ବଖାଣିଲା ବେଳେ ନର୍ସଙ୍କ କଣ୍ଠ କୋହରେ ଭରି ଯାଉଥିଲା । କାମରେ ଆମେ କେବେ ଅବହେଳା କରିନୁ ତେବେ ଆମ ଉପରେ ଉଠୁଥିବା କଥା ସବୁ ଭୁଲ ବୋଲି କହି ଲାଇଭ ଫୋନରେ କାନ୍ଦିପକାଇଥିଲେ ନର୍ସ ।

ୟୁନିଫର୍ମରେ ଥିବାରୁ ଯାହା ଦଣ୍ଡ ମିଳିବ ତାକୁ ମାନିନେବେ ବୋଲି ସେ କହିଛନ୍ତି । ଆଉ ଆଗାମୀ ଦିନରେ ସୋସିଆଲ ମିଡିଆରୁ ଦୂରେଇ ରହିବେ ବୋଲି ଜ୍ୟୋତି କହିଛନ୍ତି । କିଛି ନବୁଝି ତାଙ୍କ ବିରୋଧରେ କରାଯାଉଥିବା କମେଣ୍ଟରୁ ଲୋକେ ଦୂରେଇ ରୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ତେବେ ଟିକଟକ କରିଥିବା ୪ ନର୍ସଙ୍କୁ ଆଜି ବାଧ୍ୟତାମୂଳକ ଛୁଟିରେ ପଠାଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସେମାନଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।