ମହାନଦୀରେ ଡଙ୍ଗାବୁଡି ! ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଲେ, ସଚେତନତାର ଅଭାବ ଯୋଗୁଁ ଘଟିଲା ଏଭଳି ଅଘଟଣ ।

126

କନକ ବ୍ୟୁରୋ : ନୂଆବର୍ଷରେ ସାରା ରାଜ୍ୟରେ ଦୁଃଖ ଖେଳାଇଲା ମହାନଦୀରେ ଡଙ୍ଗା ବୁଡି ଘଟଣା । ଅନ୍ଧାର ରାତିର ସେହି ହୃଦୟ ବିଦାରକ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ । ମନ୍ତ୍ରୀ କହିଛନ୍ତି ଡଙ୍ଗା ବୁଡି ଘଟଣାର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି, ସରକାରୀ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ୨ ଜଣିଆ ଟିମ୍ ଯାଇ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ସନ୍ଧ୍ୟାରେ ଘଟଣାସ୍ଥଳରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କର ନିୟମ କଡାକଡି ରହିଛି । କିନ୍ତୁ ସଚେତନତାର ଅଭାବ ଯୋଗୁ ଏପରି ଘଟିଛି । ଲୋକେ ସଚେତନ ହେବା ଦରକାର ବୋଲି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି । ତେବେ ଡଙ୍ଗା ବୁଡି ରୋକିବା ପାଇଁ ଉଦ୍ୟମ ଚାଲିଥିବା ମନ୍ତ୍ରୀ କହିଛନ୍ତି । 

ଗତକାଲି ସଂନ୍ଧ୍ୟାରେ ମହାକାଳପଡା  ମହାନଦୀରେ  ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା ।  ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ମହିଳା ଓ ୭ ଶିଶୁ  ରହିଛନ୍ତି । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟ୍ରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ ଭାରସାମ୍ୟ ହରାଇବା କାରଣରୁ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପ୍ରଭାତୀ ସ୍ୱାଇଁ ନାମକ ଜଣେ ମହିଳା, ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାର ବେଳେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ବୋଟର କ୍ଷମତାଠାରୁ ଅଧିକ ଲୋକ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅନ୍ୟପଟେ ପ୍ରବଳ ଶୀତ ଏବଂ ଅନ୍ଧାର ଭିତରେ ସାହାଯ୍ୟ ଓ ଉଦ୍ଧାର କାମରେ ସମସ୍ୟା ଦେଖିବାକୁ ମିଳିଥିଲା । ଲୋକଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ବାହାରକୁ ଆଣିଲା ବେଳେ ସେମାନେ ଜାଡ଼ରେ ଥରୁଥିଲେ । ଏମାନଙ୍କୁ ନିଆଁ ଜଳାଇ ସେକ ଦିଆଯାଇଥିଲା ।