ଗଜପତିଙ୍କ ମୁହଁରେ ଦୁଇଟି କଥା: ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷେପରେ ଆଶ୍ଚର୍ଯ୍ୟ ପ୍ରକଟ କଲେ ଗଜପତି । କହିଲେ, ନବୀନ ବାବୁ କେମିତି ନେଲେ ଏତେ ବଡ଼ ପଦକ୍ଷେପ ?

571

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ନେଇ ଦୁଇଟି କଥା କହିଛନ୍ତି ଗଜପତି । ଶ୍ରୀକ୍ଷେତ୍ର ପୁରୀ ପାଇଁ ରାଜ୍ୟ ସରକାର ସବୁଠାରୁ ବଡ ପ୍ୟାକେଜ ଘୋଷଣା କରିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ତେବେ ପ୍ରଥମ ପ୍ରତିକ୍ରିୟାରେ ଗଜପତି ରାଜ୍ୟ ସରକାରଙ୍କୁ ତାତ୍ସଲ୍ୟ କରିଥିବା ବେଳେ ଦ୍ୱିତୀୟ ପ୍ରତିକ୍ରିୟାରେ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ତେବେ ରାଜ୍ୟ ସରକାରଙ୍କୁ ନେଇ ଗଜପତିଙ୍କ ମୁହଁରେ ଦୁଇଟି କଥା ବାହାରିବା ପରେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ରବିବାର ପୁରୀରେ ଜଗନ୍ନାଥ ଚେତନା କାର୍ଯ୍ୟକ୍ରମରେ ଯୋଗଦେଇ ଗଜପତି ରାଜ୍ୟ ସରକାରଙ୍କୁ ନେଇ ଯେଉଁ କଥା କହିଛନ୍ତି ତାହା କଟାକ୍ଷ କଲା ଭଳି ଶୁଣାଯାଉଥିଲେ ହେଁ ମିଡିଆ ଆଗରେ ପ୍ରଶଂସା କରିଛନ୍ତି ଗଜପତି । ତେବେ ଗଜପତି କହିଥିଲେ କି, ‘ଯାହା ହେଉ ଉତ୍କଳ ପ୍ରଦେଶ ହେବା ପରଠାରୁ କୌଣସି ସରକାର ଶ୍ରୀମନ୍ଦିର ପାଇଁ, ପୁରୀ ପାଇଁ ଚିନ୍ତନ କରି ନଥିଲେ । ହେଲେ ନବୀନ ବାବୁଙ୍କ ମୁଣ୍ଡରେ ଏଭଳି ଭକ୍ତି କିପରି ଆସିଲା…’ ବୋଲି ହସିହସି ତାତ୍ସଲ୍ୟ କଲାଭଳି କହିଥିଲେ ଗଜପତି ।

ଗଜପତି ଆହୁରି ମଧ୍ୟ କହିଥିଲେ କି ‘ଜାନକୀ ବାବୁ ପଣ୍ଡିତ ଲୋକ ଥିଲେ, ଜଗନ୍ନାଥଙ୍କ ଉପରେ ଜାଣିଥିଲେ । ତେଣୁ ତାଙ୍କ ମନରେ ଏଭଳି ଭାବନା ଆସିବା ସ୍ୱାଭାବିକ କିନ୍ତୁ ନବୀନ ବାବୁ କରିବା ଆଶ୍ଚର୍ଯ୍ୟ କଥା ନୁହେଁ କି, ଏସବୁ କିଏ କରୁଛି ?’ ବୋଲି ଲୋକଙ୍କୁ ପ୍ରଶ୍ନ କରି ଗଜପତି ଉପରକୁ ଇସାରା କରିଥିଲେ ।

ତେବେ ମଞ୍ଚରେ ରାଜ୍ୟ ସରକାରଙ୍କ ଉପରେ ତାତ୍ସଲ୍ୟପୂର୍ଣ୍ଣ ଶବ୍ଦ ପ୍ରୟୋଗ କରିଥିବା ଗଜପତି ମିଡିଆ ଆଗରେ ଭିନ୍ନ ଏକ ପ୍ରତିକ୍ରିୟା ରଖିଥିଲେ । ଗଣମାଧ୍ୟମରେ ଗଜପତି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ସରକାରଙ୍କ ଏଜେଣ୍ଡାରେ ମହାପ୍ରଭୁ ଏବଂ ଶ୍ରୀମନ୍ଦିରଙ୍କ ସ୍ଥାନ ପ୍ରଥମ । ଏହା ଉତ୍କଳର ପରମ୍ପରା । ତେଣୁ ବର୍ତ୍ତମାନ ସରକାର ଶ୍ରୀମନ୍ଦିର ଆଉ ଶ୍ରୀକ୍ଷେତ୍ରକୁ ପ୍ରାଧାନ୍ୟ ଦେଇ କାମ ହାତକୁ ନେଇଛନ୍ତି । ତାକୁ ଆମେ ସ୍ୱାଗତ କରୁଛୁ ବୋଲି ଗଜପତି କହିଥିଲେ ।

ତେବେ ନବୀନ ତାଙ୍କର ପଂଚମ ପାଳିରେ ପୁରୀ ଶ୍ରୀମନ୍ଦିର ପାଇଁ ୫ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିସହ ମନ୍ଦିର ଆଖପାଖ ଓ ପୁରୀ ସହର ପାଇଁ ଆହୁରି ବଡ ବଡ ପଦକ୍ଷେପ ମାନ ନେଉଛନ୍ତି । ଆଉ ଏହାକୁ ନେଇ ଦୁଇଟି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ।