କଂଗ୍ରେସରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ କୃଷ୍ଣ ସଗରିଆ: କହିଲେ, ଦଳୀୟ ଶୃଙ୍ଖଳା ମୁଁ ଭଙ୍ଗ କରିନି

ଏଆଇସିସିର ନିର୍ଦ୍ଦେର୍ଶରେ ଶୃଙ୍ଖଳା କମିଟି ଶୁଣାଇଥିଲା ନିଷ୍ପତି

143

କନକ ବ୍ୟୁରୋ: ଦଳ ବିରୋଧୀ ଆଚରଣ ପାଇଁ କଂଗ୍ରେସରୁ ବିଦା ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ । ଅଳ୍ପ ସମୟ ପରେ ସାମ୍ବାଦିକ ସମ୍ମିଳନୀ କରିବେ ଶ୍ରୀକାନ୍ତ ଜେନା । ବିଶୃଙ୍ଖଳିତ ଆଚରଣ ଉପରେ ଲଗାମ ଲଗାଇବାକୁ ଯାଇ କଂଗ୍ରେସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳକୁ କ୍ଷତି ପହଂଚାଇଲା ଭଳି ବୟାନବାଜୀ ଯୋଗୁଁ ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଏହି ସୂଚନା ଦେଇଛନ୍ତି ଶୃଙ୍ଖଳା କମିଟିର ଆବାହକ ଅନନ୍ତ ସେଠୀ ।

ଦଳ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଉଭୟ ଶ୍ରୀକାନ୍ତ ଏବଂ ସଗରିଆ ବାରମ୍ବାର କଂଗ୍ରେସ ବିରୋଧୀ ମନ୍ତବ୍ୟ ଦେଉଥିଲେ । ଏପରିକି ପିସିସ କମିଟି ପଦାଧିକାରୀଙ୍କ ବିରୋଧରେ ମଧ୍ୟ ନ୍ୟୁନ ଟିପ୍ପଣୀ କରୁଥିଲେ । ଏଆଇସିସିର ନିଷ୍ପତି ଓ ନିର୍ଦ୍ଦେଶକ୍ରମେ କଂଗ୍ରେସର ଦଳର ପ୍ରାଥମିକ ସଦସ୍ୟ ପଦରୁ ୨ ଜଣଙ୍କୁ ବହିଷ୍କୃତ କରାଯାଇଛି । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସ ଶିବିରରେ ଏବେ ବଡ ଧରଣର ହଟଚମଟ ଦେଖିବାକୁ ମିଳିଛି । ନବ ଦାସ ଦଳ ଛାଡିବା ପରେ ଯୋଗେଶ ସିଂଙ୍କୁ ଦଳ ବିରୋଧୀ ଆଭିମୁଖ୍ୟ ଯୋଗୁଁ ଦଳରୁ ନିଲମ୍ବିତ କରାଯାଇଥିଲା । ଆଉ ଏବେ ଶ୍ରୀକାନ୍ତ ଓ ସଗରିଆଙ୍କ ବିରୁଦ୍ଧରେ କଡ଼ା ନିଷ୍ପତି ନିଆଯାଇଛି ।

ଅନ୍ୟପଟେ,ଦଳରୁ ବହିଷ୍କୃତ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ କୃଷ୍ଣ ସଗରିଆ । ସେ କହିଛନ୍ତି- ଦଳ ବିରୋଧରେ କୌଣସି ମତାମତ ଦେଇ ନାହାଁନ୍ତି । ସରକାରଙ୍କ ବିରୋଧରେ କହିବା କ’ଣ ଦଳ ବିରୋଧୀ ବୋଲି ପ୍ରଶ୍ନ କହିଛନ୍ତି କୃଷ୍ଣ ସଗରିଆ । ପୂର୍ବରୁ କୃଷ୍ଣ ସଗରିଆ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । କୁନ୍ଦୁଲି ପିଡିତାଙ୍କୁ ନ୍ୟାୟ ନମିଳିପାରିବା କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ । ହେଲେ ବାରମ୍ବାର କଂଗ୍ରେସ ବିରୋଧରେ ଟିପ୍ପଣୀ କରି ଆସୁଥିଲେ ସଗରିଆ ।

Comments are closed.