ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶର ମହାବଳ ! ସେପଟେ ମିଜୋରମରୁ ଆସିଲା ବଳିଆ କୁକୁର, ହିମାଳୟ ଭାଲୁ ଓ ଆସାମୀୟ ମାଙ୍କଡ

74

କନକ ବ୍ୟୁରୋ: ମଧ୍ୟପ୍ରଦେଶରୁ ଓଡିଶା ଆସିଲା ମହାବଳ ବାଘ । ଓଡିଶାର ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି । ବାଘକୁ ନିଶ୍ଚେତକ ଦିଆଯାଇ ୪୮ ଘଂଟାର ଯାତ୍ରା ପରେ ସାତକୋଶିଆରେ ପହଂଚିଛି ମହାବଳ ବାଘ । କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ମହାବଳକୁ ଅଣାଯାଇଥିବା ବେଳେ ଦ୍ୱୀତୀୟ ପର୍ଯ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ । ଏହି ବାଘକୁ ସାତକୋଶିଆ ଜଙ୍ଗଲରେ ଛଡାଯାଇଛି । ଜଙ୍ଗଲ ମଧ୍ୟରେ ଜନ୍ତାରୁ ଡିଆଁ ମାରି ଜଙ୍ଗଲ ଭିତରକୁ ଚାଲିଯାଇଛି । ତେବେ ଏହାର ଗତିବିଧି ଉପରେ ବନ ବିଭାଗ ତିକ୍ଷଣ ନଜର ରଖିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଘ ସ୍ଥାନାନ୍ତରରେ ଏହା ଓଡ଼ିଶାରେ ପ୍ରଥମ ଓ ଭାରତରେ ତୃତୀୟ ଘଟଣା। ପୂର୍ବରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହିପରି ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ମହାବଳଙ୍କୁ ସ୍ଥାନାନ୍ତର କରାଯାଇ ବଂଶ ରକ୍ଷା କରାଯାଇଥିଲା। କିନ୍ତୁ ଓଡ଼ିଶାରେ କେବେ ହୋଇନଥିଲା। ଯାହା ସାତକୋଶିଆ ପାଇଁ ଇତିହାସ ରଚିଛି। ତା’ଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯଦିଓ ବାଘ ସ୍ଥାନାନ୍ତର ହୋଇଥିଲା, କିନ୍ତୁ ସେହି ସମାନ ରାଜ୍ୟର ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବାଘକୁ ନିଆଯାଇଥିଲା। କିନ୍ତୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବାଘ ପଠାଇବା ଦେଶର ବନ୍ୟଜନ୍ତୁ ଇତିହାସରେ ପ୍ରଥମ। କେବଳ ଭାରତ କାହିଁକି ବିଶ୍ୱରେ ବି ଏମିତି ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ କେବେ ହେଲେ ବାଘ ସ୍ଥାନାନ୍ତର ହୋଇ ନାହିଁ ବୋଲି ଡ. ପଣ୍ଡା ଦାବି କରିଛନ୍ତି।

ନୂଆ ମହାବଳକୁ ଜଙ୍ଗଲରେ ପାଇ ବନ କର୍ମଚାରୀ ଯେତିକି ଉତ୍ସାହିତ, ସେତିକି ଭୟଭୀତ ମଧ୍ୟ। ଇତିହାସ ରଚିଥିବା ଏହି ନୂଆ ମହାବଳର ସୁରକ୍ଷା ଦାୟିତ୍ୱ ବନ ବିଭାଗର। ଅତୀତରେ ଅନେକ ବାଘଙ୍କୁ ଏଠାରେ ଶିକାର କରାଯିବାର ଇତିହାସ ରହିଛି। ଅପରପକ୍ଷେ ସାତକୋଶିଆ ବାସିନ୍ଦା ମଧ୍ୟ ବାଘକୁ ବିରୋଧ କରୁଛନ୍ତି। ଜଙ୍ଗଲରେ ମାଓବାଦୀଙ୍କର ଆତଯାତ ବି ରହିଛି। ଏଭଳି ସ୍ଥିତିରେ ବାଘର ସୁରକ୍ଷାକୁ ନେଇ ବନ କର୍ମଚାରୀ ଭୟଭୀତ ଅଛନ୍ତି। ବାଘ ମୁଣ୍ଡ ଗଡ଼ିଲେ, ଉପରୁ ତଳ ପର୍ଯ୍ୟନ୍ତ ବନ କର୍ମଚାରୀଙ୍କର ବି ମୁଣ୍ଡ ଗଡ଼ିବା ନିଶ୍ଚିତ ବୋଲି କର୍ମଚାରୀଙ୍କ ମହଲରେ ଆଲୋଚନା ହେଉଛି। ବାଘ ଛାଡ଼ିବା ବେଳେ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପିସିସିଏଫ୍(ଓ୍ଵାଇଲ୍ଡ଼ ଲାଇଫ୍) ଡ. ସନ୍ଦୀପ ତ୍ରିପାଠୀ, ଅତିରିକ୍ତ ପିସିସିଏଫ୍(ଓ୍ଵାଇଲ୍ଡ଼ ଲାଇଫ୍) ତଥା ସାତକୋଶିଆର କ୍ଷେତ୍ର ନିର୍ଦେଶକ ଡ. ପଣ୍ଡା, ସାତକୋଶିଆ ଡିଏଫଓ ଏସଏମଟି ରେହମାନ, ଅନୁଗୁଳ ଡିଏଫ୍ଓ କାର୍ତ୍ତିକ ଭି. ଏସିଏଫ୍ ଶୁଭେନ୍ଦୁ ବେହେରା, ରାଜକିଶୋର ସ୍ୱାଇଁ, ଓ୍ଵାଇଲ୍ଡ଼ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଡ. ଆର୍. ରମେଶ, ରାଇଗୁଡ଼ା ରେଞ୍ଜର ଘନଶ୍ୟାମ ମହାନ୍ତଙ୍କ ସମେତ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।